ନୂଆଦିଲ୍ଳୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ‘ଓଜନ ହ୍ରାସ’କୁ ନେଇ ଆପ୍‌ର ସାଂସଦ ସଞ୍ଜୟ ସିଂହ ଅଭିଯୋଗ କରିଛନ୍ତି। ଏହାପରେ ପୁଣିଥରେ ତିହାର ଜେଲ୍‌ କର୍ତ୍ତୃପକ୍ଷ ଓ ଆପ୍‌ ମୁହାଁମୁହିଁ ହୋଇଛନ୍ତି। ଦୁଇଦିନ ପୂର୍ବେ ଆପ୍‌ ସାଂସଦ ସଞ୍ଜୟ ସିଂହ କହିଥିଲେ ଯେ କେଜ୍ରିୱାଲ୍‌ଙ୍କ ଓଜନ ମାର୍ଚ୍ଚ ୨୧ ତାରିଖ ଠାରୁ ଜୁଲାଇ ୧୩ ତାରିଖ ମଧ୍ୟରେ ୭୦ କିଲୋଗ୍ରାମ୍‌ରୁ ୬୧.୫ କିଗ୍ରାକୁ ହ୍ରାସ ପାଇଛି। କେଜ୍ରିୱାଲଙ୍କ ସ୍ବାସ୍ଥ୍ୟରେ ଗୁରୁତର ସମସ୍ୟା ଅଛି ଓ‌ ସେ ଜେଲ୍‌ ବାହାରେ ଚିକିତ୍ସାସେବା ଆବଶ୍ୟକ କରୁଛନ୍ତି। ଆଜି ସାଂସଦ ସିଂହଙ୍କ ଏହି ଅଭିଯୋଗକୁ ତିହାର ଜେଲ୍‌ କର୍ତ୍ତୃପକ୍ଷ ଖଣ୍ଡନ କରିଛି।

Advertisment

ଜେଲ୍‌ ପକ୍ଷରୁ ଜାରି କରାଯାଇଥିବା ସ୍ବାସ୍ଥ୍ୟ ରିପୋର୍ଟରେ ଓଜନ କେବଳ ୨ କିଲୋଗ୍ରାମ ହ୍ରାସ ପାଇଛି ବୋଲି ଦର୍ଶାଯାଇଛି। ଏପ୍ରିଲ୍‌ ୧ରେ କେଜ୍ରିୱାଲ୍‌ ଜେଲ୍‌କୁ ଆସିବା ବେଳେ ୬୫ କିଗ୍ରା ଥିଲେ। ଏପ୍ରିଲ୍‌ ୮ରୁ ୨୯ ତାରିଖ ମଧ୍ୟରେ ତାଙ୍କର ଓଜନ ହାରାହାରି ୬୬ କିଗ୍ରା ଥିଲା। ଜୁନ୍‌ ୨ରେ, ୨୧ ଦିନ ଅନ୍ତରୀଣ ଜାମିନ ପାଇ ଗଲାବେଳେ କେଜ୍ରିୱାଲ୍‌ଙ୍କ ଓଜନ ୬୩.୫ କିଗ୍ରା ଥିଲା। ଜୁଲାଇ ୧୪ରେ ତାଙ୍କ ଓଜନ ୬୧.୫ କିଗ୍ରା ରହିଛି। କେଜ୍ରିୱାଲ୍‌ଙ୍କ ରକ୍ତଚାପ, ରକ୍ତଶର୍କରା, ଓଜନ ଆଦି ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟକୁ ଗୃହମନ୍ତ୍ରଣାଳୟକୁ ସୂଚିତ କରି ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି, ନ୍ୟସ୍ତସ୍ବାର୍ଥ ମନୋଭାବରେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଚାପ ପ୍ରୟୋଗ କରିବା ନିମନ୍ତେ ମିଥ୍ୟା ତଥ୍ୟ ଦ୍ବାରା ଲୋକଙ୍କୁ ଭ୍ରମିତ କରିବାକୁ ଆପ୍‌ ଚେଷ୍ଟା କରୁଛି।