କରଜାତ: ମୁମ୍ବାଇ ନିକଟରେ ଏକ ‘ହଲାଲ ଲାଇଫ୍ ଷ୍ଟାଇଲ୍’ ଟାଉନସିପ୍କୁ ପ୍ରୋତ୍ସାହିତ କରୁଥିବା ଏକ ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପକୁ ନେଇ ରାଜନୈତିକ ନେତା, ସାମାଜିକ କର୍ମୀ ଓ ନାଗରିକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଏହାର ପ୍ରମୋସନାଲ ଭିଡିଓ ଭାଇରାଲ ହେବା ପରେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି) ମହାରାଷ୍ଟ୍ର ସରକାରଙ୍କୁ ନୋଟିସ ଜାରି କରି ତଦନ୍ତ ଓ ବିସ୍ତୃତ ଆକ୍ସନ ଟେକେନ୍ ରିପୋର୍ଟ (ଏଟିଆର୍) ମାଗିଛନ୍ତି।
ସୁକୁନ ଏମ୍ପାୟାର ନାମକ ଏହି ଟାଉନସିପ୍ ମୁମ୍ବାଇଠାରୁ ପ୍ରାୟ ୧୦୦ କିଲୋମିଟର ଦୂର କରଜାତରେ ଅବସ୍ଥିତ। ଏଥିରେ ଧାର୍ମିକ ଓ ସାଂସ୍କୃତିକ ମୂଲ୍ୟବୋଧକୁ ବଜାୟ ରଖିବା ଉଦ୍ଦେଶ୍ୟରେ ପ୍ରାର୍ଥନା କ୍ଷେତ୍ର ଓ ସାମ୍ପ୍ରଦାୟିକ ସ୍ଥାନ ଭଳି ସୁବିଧା ଥିବା ଏହି ପ୍ରକଳ୍ପକୁ ମୁସଲମାନ ପରିବାରଗୁଡ଼ିକ ପାଇଁ ପ୍ରସ୍ତୁତ ଏକ ସ୍ଥାନ ଭାବରେ ବିକ୍ରି କରାଯାଉଛି। ଏନ୍ଏଚ୍ଆର୍ସି ସଦସ୍ୟ ତଥା ବିଜେପି ନେତା ପ୍ରିୟଙ୍କା କାନୁନଗୋ ଏହି ପ୍ରକଳ୍ପର ବିଜ୍ଞାପନକୁ ବିଭାଜନକାରୀ ବୋଲି କହି ସୋସିଆଲ ମିଡିଆରେ ସେୟାର କରିବା ପରେ ବିବାଦ ବଢିଯାଇଥିଲା। ନିଜ ପୋଷ୍ଟରେ ସେ ଏହି ଟାଉନସିପ୍ କୁ ‘ନେସନ୍ ଇନ୍ ଦି ନେସନ୍’ ବୋଲି ଉଲ୍ଲେଖ କରିବା ସହ ଭିଡିଓକୁ ବିଜ୍ଞାପନ ପରିବର୍ତ୍ତେ ‘ବିଷ’ ବୋଲି ବର୍ଣ୍ଣନା କରିଛନ୍ତି।
ହିଜାବ ପିନ୍ଧିଥିବା ଜଣେ ମହିଳାଙ୍କୁ ଦେଖିବାକୁ ମିଳିଥିବା ଏହି ଭିଡିଓରେ ହଲାଲ ପରିବେଶରେ ପିଲାଙ୍କୁ ବଡ଼ କରିବା ଓ ସମାନ ଚିନ୍ତାଧାରା ଥିବା ପରିବାର ମଧ୍ୟରେ ରହିବା ବିଷୟରେ କୁହାଯାଇଛି। ଏହା ଖୁବ୍ ଶୀଘ୍ର ଭାଇରାଲ ହେବା ସହ ଜନମତ ତୀବ୍ର ବିଭାଜିତ ହୋଇଥିଲା। କିଛି ଲୋକ ଧାର୍ମିକ ବିଭାଜନକୁ ପ୍ରୋତ୍ସାହିତ କରିବା ପାଇଁ ଚିନ୍ତା ପ୍ରକଟ କରିଥିବା ବେଳେ ଅନ୍ୟମାନେ ଦର୍ଶାଇଛନ୍ତି ଯେ ଭାରତର ଅନେକ ସ୍ଥାନରେ ମୁସଲମାନମାନେ ସମ୍ମୁଖୀନ ହେଉଥିବା ଆବାସ ଭେଦଭାବ କାରଣରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ଉତ୍ତେଜନା ମଧ୍ୟରେ ବିଜେପି ବିଧାୟକ ଅତୁଲ ଭାଟଖାଲକର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଚିଠି ଲେଖି ବିଲ୍ଡରଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ବିଜ୍ଞାପନ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ଭାରୁଥିଟଖାଲକର କହିଛନ୍ତି ଯେ, ଏଭଳି ଟାଉନସିପ୍ର ପ୍ରଚାର ଭାରତୀୟ ସମ୍ବିଧାନର ଉଲ୍ଲଂଘନ ଏବଂ ସାମାଜିକ ସଦ୍ଭାବନା ପ୍ରତି ବିପଦ ସୃଷ୍ଟି କରୁଛି। ଏହି ପ୍ରକଳ୍ପ ‘ଲାଣ୍ଡ୍ ଜିହାଦ’ର ଏକ ଉଦାହରଣ ବୋଲି ସେ ଅଭିଯୋଗ କରିବା ସହ ଏହା ରାଜ୍ୟର ଶାନ୍ତି ଓ ଆଇନ ଶୃଙ୍ଖଳା ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି କହିଛନ୍ତି। ସମାଜରେ ବିଭାଜନ ସୃଷ୍ଟି କବା ବିଜ୍ଞାପନକୁ ରୋକିବା ପାଇଁ ଗାଇଡ୍ଲାଇନ୍ ପ୍ରସ୍ତୁତ କରିବାକୁ ସେ ତାଙ୍କ ଚିଠିରେ ସରକାରଙ୍କୁ ଅନୁରୋଧ କରିଛନ୍ତି। ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ)ର ମୁଖପାତ୍ର କ୍ରିଷ୍ଣା ହେଗଡେ ମଧ୍ୟ ଏହି ପ୍ରକଳ୍ପକୁ ସମାଲୋଚନା କରିବା ସହ ଏହି ବିଜ୍ଞାପନକୁ ହଟାଇବା ପାଇଁ ଦାବି କରିଛନ୍ତି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍ସିପିସିଆର୍) ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ମହାରାଷ୍ଟ୍ର ସରକାର ଦୁଇ ସପ୍ତାହ ମଧ୍ୟରେ ଏନ୍ଏଚ୍ଆର୍ସିକୁ ରିପୋର୍ଟ ପ୍ରଦାନ କରିବେ ବୋଲି ଆଶା କରାଯାଉଛି।