ହନୁମାନ ଚାଳିଶା ପାଠକୁ ନେଇ ବିବାଦ

ମୁମ୍ବାଇ: ହନୁମାନ ଚାଳିଶା ପାଠକୁ ନେଇ ମହାରାଷ୍ଟ୍ରରେ ଆଜି ବଡ଼ ଧରଣର ବିବାଦ ଓ ଉତ୍ତେଜନା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଆନ୍ଦୋଳନ ସାଙ୍ଗକୁ ଭଙ୍ଗାରୁଜା ଏବଂ ଶେଷରେ ହାଇଡ୍ରାମା ମଧ୍ୟରେ ଆଜି ଏହି ମାମଲା‌ରେ ମହାରାଷ୍ଟ୍ର ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ବିଧାୟକ ରବି ରାଣା ଗିରଫ ହୋଇଛନ୍ତି। ଖାର୍‌ ପୁଲିସ ଶନିବାର ସନ୍ଧ୍ୟାରେ ସେମାନଙ୍କ ବାସଭବନରେ ପହଞ୍ଚି ସେମାନଙ୍କୁ ଗିରଫ କରିଥିଲା। ନବନୀତ ରାଣା ଏବଂ ରବି ରାଣାଙ୍କ ବିରୋଧରେ ଆଇପିସିର ଧାରା ୧୫୩ ଏ ଅଧୀନରେ ଏତଲା ରୁଜୁ ହୋଇଛି। ଅନ୍ୟପକ୍ଷେ ରବି ରାଣା ଏବଂ ନବନୀତ ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ପରିବହନ ମନ୍ତ୍ରୀ ଅନିଲ ପରବ ଏବଂ ଶିବସେନା ସାଂସଦ ସଂଜୟ ରାଉତଙ୍କ ବିରୋଧରେ ପୁଲିସରେ ଏତଲା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଆଜି ସକାଳେ ରବି ରାଣା ଏବଂ ନବନୀତ ରାଣା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବାସଭବନ ମତୋଶ୍ରୀ ବାହାରେ ହନୁମାନ ଚାଳିଶା ପାଠ କରିବାପାଇଁ ଧମକ ଦେଇଥିଲେ। କିନ୍ତୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପାଇଁ ସେମାନେ ଏହାକୁ ବାତିଲ କରିଦେଇଥିଲେ। ରାଣା ଦମ୍ପତି ଶୁକ୍ରବାର ସକାଳେ ମୁମ୍ବାଇ ପହଞ୍ଚିଥିଲେ। ସେମାନେ ମତୋଶ୍ରୀ ଆଗରେ ହନୁମାନ ଚାଳିଶାା ପାଠ କରିବାପାଇଁ ଯୋଜନା କରିଛନ୍ତି ବୋଲି କହିଥିଲେ। ଏହି ଘଟଣାକୁ ନେଇ ଶିବସେନା ରାଣା ଦମ୍ପତିଙ୍କୁ ଚ୍ୟାଲେଂଜ କରିଥିଲା। ମତୋଶ୍ରୀ ଆଗରେ ହନୁମାନ ଚାଳିଶା ପାଠ କଲେ ରାଣା ଦମ୍ପତିଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଶିବସେନା କର୍ମୀମାନେ ଧମକ ଦେଇଥିଲେ। ଶନିବାର ସକାଳେ ବହୁ ସଂଖ୍ୟାରେ ଶିବସେନା କର୍ମୀ ଅମରାବତୀ ସାଂସଦ ନବନୀତ ରାଣାଙ୍କ ମୁମ୍ବାଇ ବାସଭବନ ବାହାରେ ଆନ୍ଦୋଳନ କରିଥିଲେ ଏବଂ ବ୍ୟା‌ରିକେଡ୍‌ ଭାଙ୍ଗିଥିଲେ। ଶିବସେନା କର୍ମୀମାନେ ତାଙ୍କ ଅମରାବତୀ ଘର ଉପରେ ମଧ୍ୟ ଆକ୍ରମଣ କରିଛନ୍ତି ବୋଲି ରବି ରାଣା ଦାବି କରିଛନ୍ତି। ସେ କହିଛନ୍ତି ଯେ ପିଲାମାନେ ଘରେ ଥିବା ସମୟରେ ଶିବସେନା ପକ୍ଷରୁ ଆକ୍ରମଣ ହୋଇଛି। ପୁଲିସ ଶିବସେନାର ଗୁଣ୍ଡାଗିରି ଆଗରେ ଅସହାୟ ହୋଇ ରହିଥିଲା ବୋଲି ସେ କହିଛନ୍ତି।
ଉକ୍ତ ଘଟଣାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଫଡ଼ନାବିସ କହିଛନ୍ତି, ରାଜ୍ୟ ସରକାର ନିଜ ବିଫଳତା ଲୁଚାଇବାପାଇଁ ଚେଷ୍ଟା କରୁଛନ୍ତି। ନବନୀତଙ୍କ ବିରୋଧରେ ଶିବସେନାର ହିଂସ୍ର ଆଚରଣ ନିନ୍ଦନୀୟ। ଏତେ ସଂଖ୍ୟାରେ ଲୋକ ସାଂସଦଙ୍କ ବାସଭବନରେ ଚଢ଼ଉ କରିବା କି ପ୍ରକାର ରାଜନୀତି ବୋଲି ଫଡ଼ନାବିସ କହିଛନ୍ତି।

ସମ୍ବନ୍ଧିତ ଖବର