ନୂଆଦିଲ୍ଲୀ : ପଂଜାବ କଂଗ୍ରେସ ପ୍ରଭାରୀ ହରିଶ ରାୱତଙ୍କ ବୟାନକୁ ନେଇ ଆଜି ଏକ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ପଂଜାବ ଆଗାମୀ ବିଧାନସଭା ନିର୍ବାଚନ ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ନେତୃତ୍ବରେ ଲଢ଼ିବ ବୋଲି ରାୱତ କହିବା ପରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବତନ ପଂଜାବ କଂଗ୍ରେସ ମୁଖ୍ୟ ସୁନୀଲ ଜାଖର ରାୱତଙ୍କ ଉପରେ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଶପଥ ନେବାର କିଛି ଘଣ୍ଟା ପୂର୍ବରୁ ହରିଶ ରାୱତଙ୍କର ଏଭଳି ଟିପ୍ପଣୀକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସୁନୀଲ ଜାଖର କହିଛନ୍ତି, ଚରଣଜିତ ସିଂହଙ୍କ ଶପଥ ଗ୍ରହଣ ଦିନ ରାୱତ ସିଦ୍ଧୁଙ୍କ ନେତୃତ୍ବରେ କଂଗ୍ରେସ ପଂଜାବ ବିଧାନସଭା ନିର୍ବାଚନ ଲଢ଼ିବା କଥା କହିବା ଆଶ୍ଚର୍ଯ୍ୟଜନକ। ହରିଶ ରାୱତଙ୍କ ଏହି ଟିପ୍ପଣୀ ଦଳକୁ ଦୁର୍ବଳ କରିଦେଉଛି। ଏବେ ଚନ୍ନିଙ୍କୁ ଦୃଢ଼ କରିବାର ସମୟ ଆସିଛି। ଏଭଳି ସମୟରେ ଏହି ଟିପ୍ପଣୀ ଠିକ୍ ନୁହେଁ ବୋଲି ଜାଖର କହିଛନ୍ତି।
ଅନ୍ୟପକ୍ଷେ ବିଏସ୍ପି ସୁପ୍ରିମୋ ମାୟାବତୀ ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସ ବିରୋଧରେ ବର୍ଷିଛନ୍ତି। ରାୱତଙ୍କ ଟିପ୍ପଣୀ ବିରୋଧରେ ବର୍ଷି ମାୟାବତୀ କହିଛନ୍ତି, କଂଗ୍ରେସ ଜଣେ ଅଣଦଳିତଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିବାର ଅର୍ଥ ହେଉଛି କଂଗ୍ରେସ ଦଳିତ ସମ୍ପ୍ରଦାୟକୁ ସମ୍ପୂର୍ଣ୍ଣ ବିଶ୍ବାସ କରିନାହିଁ। ସେହିପରି ସ୍ୟାଡ୍ ନେତା ମଜିନ୍ଦର ସିଂହ ସିର୍ସା ମଧ୍ୟ ରାୱତଙ୍କ ଟିପ୍ପଣୀକୁ ସମାଲୋଚନା କରିଛନ୍ତି। ଏହା ଦଳିତମାନଙ୍କ ପାଇଁ ଅପମାନ ବୋଲି ସେ କହିଛନ୍ତି। ତେବେ ରାୱତଙ୍କ ଟିପ୍ପଣୀକୁ ନେଇ ବିବାଦ ହେବାପରେ କଂଗ୍ରେସ ସ୍ପଷ୍ଟୀକରଣ ଦେଇଛି। ଉଭୟ ସିଦ୍ଧୁ ଏବଂ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ମିଳିତ ଭାବେ ପଂଜାବ ନିର୍ବାଚନ ଲଢ଼ିବେ ବୋଲି କଂଗ୍ରେସ ସ୍ପଷ୍ଟ କରିଛି। ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ସେ ହରିଶ ରାୱତଙ୍କ ସହ କଥା ହୋଇଛନ୍ତି। ରାୱତ କହିଛନ୍ତି, ତାଙ୍କ ଟିପ୍ପଣୀକୁ କିଛି ବନ୍ଧୁ କଦର୍ଥ କରିଛନ୍ତି। ସୂର୍ଯ୍ୟେୱାଲାଙ୍କ ଅନୁଯାୟୀ, ରାୱତ କହିଥିଲେ, ଚରଣଜିତ ସିଂହ ଚନ୍ନି ଆମ ମୁଖ୍ୟମନ୍ତ୍ରୀ। ଆମ ରାଜ୍ୟ କଂଗ୍ରେସ ସଭାପତି ସିଦ୍ଧୁ। ସେମାନେ ଏକାଠି ପଂଜାବ ନିର୍ବାଚନ ଲଢ଼ିବେ। ଏହା ସତ ବୋଲି ସୂର୍ଯ୍ୟେୱାଲା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/65sf4h654sf65h4sfh654sfh654sfh65sfh4654sfh65.jpg)