ନୂଆଦିଲ୍ଲୀ: ସାମ୍ପ୍ରତିକ ସମୟର ସବୁଠାରୁ ଲମ୍ବା ସାମରିକ ବିବାଦର ଅନ୍ତ ଘଟାଇବା ପାଇଁ ଭାରତ ଓ ଚୀନ୍ ଏହି ସପ୍ତାହରେ ଯେଉଁ ଐତିହାସିକ ଚୁକ୍ତିରେ ପହଞ୍ଚିଥିଲେ ତାହା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କଠାରୁ ଚୂଡ଼ାନ୍ତ ଅନୁମୋଦନ ପାଇଛି। ପାଞ୍ଚବର୍ଷର ବ୍ୟବଧାନ ପରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଏହି ଦ୍ବିପାକ୍ଷିକ ଆଲୋଚନା ସଫଳ ହୋଇଛି, ଯାହା ଏଲ୍ଏସିରେ ସ୍ଥିତିକୁ ଆହୁରି ସହଜ କରିବ ବୋଲି ଭାରତ ପକ୍ଷରୁ କୁହାଯାଇଛି। ତେବେ ଚୀନ୍ ମୁଖପାତ୍ରଙ୍କ ବିବୃତିରେ ‘ଚୁକ୍ତି’ ଶବ୍ଦର ଉଲ୍ଲେଖ କରାଯାଇ ନାହିଁ। ସେ କେବଳ ପୂର୍ବ ଲଦାଖ ବିବାଦ ଉପରେ ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି ହୋଇଛି ବୋଲି କହିଛନ୍ତି। ଏହାକୁ ନେଇ କେତେକ ଦ୍ବନ୍ଦ୍ବ ମଧ୍ୟ ଉପୁଜିଛି। ଅନେକ ଅସମାହିତ ପ୍ରଶ୍ନ ଉପରେ ଚୀନ୍‌ ନିଜ ଆଭିମୁଖ୍ୟ ସ୍ପ‌ଷ୍ଟ କରୁନାହିଁ। ଭାରତ-ଚୀନ୍‌ ସୀମା ବିବାଦର ସମାଧାନ ନେଇ ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ପୂରା ବିଶ୍ବର ନଜର ରହିଛି।   ସମ୍ପର୍କକୁ ‘ରଣନୀତିକ ଓ ଦୀର୍ଘମିଆଦୀ ଦୃଷ୍ଟିକୋଣରୁ ଆଗେଇ ନେବା, ରଣନୈତିକ ଯୋଗାଯୋଗ ବୃଦ୍ଧି କରିବା ଏବଂ ବିକାଶମୂଳକ ଆହ୍ୱାନର ମୁକାବିଲା ପାଇଁ ସହଯୋଗ’ ଉପରେ ଉଭୟ ଦେଶ ଗୁରୁତ୍ବାରୋପ କରିଛନ୍ତି। ଗତ ମାସରେ ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ବହୁପାକ୍ଷିକ କାର୍ଯ୍ୟକ୍ରମ ଅବସରରେ ଭାରତର ଏନ୍‌ଏସ୍‌ଏ ଅଜିତ ଡୋଭାଲ ଏବଂ ତାଙ୍କ ଚୀନ୍‌ ପ୍ରତିପକ୍ଷଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା ଏବଂ ସେହି ଆଧାରରେ କେତେକ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି।

Advertisment

ଚୀନ୍ କହିଲା ‘ଚୁକ୍ତି’ ନୁହେଁ, ‘ଗୁରୁତ୍ବପୂର୍ଣ୍ଣ ଅଗ୍ରଗତି’ ହୋଇଛି
ସମ୍ପର୍କ ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି

ପୂର୍ବ ଲଦାଖରେ ୨୦୨୦ରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ଓ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ହୋଇଥିବା ଚୁକ୍ତିକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିବା ସହ  ଶାନ୍ତି ଓ ସ୍ଥିରତା ଭଙ୍ଗ ନ କରିବା ଉପରେ  ଗୁରୁତ୍ୱାରୋପ କରିଥିଲେ। ବୈଦେଶିକ ସଚିବ ବିକ୍ରମ ମିସ୍ରି କହିଛନ୍ତି ଯେ ମୋଦୀ ୨୦୨୫ରେ ଚୀନ୍‌ର ଏସ୍‌ସିଓ ସଭାପତିତ୍ୱକୁ ଭାରତର ପୂର୍ଣ୍ଣ ସମର୍ଥନ ପାଇଁ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କାଜାନରେ ଗତକାଲି ମୋଦୀ-ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ହୋଇଥିବା ବୈଠକକୁ ଚୀନ୍   ଗଠନମୂଳକ ଓ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛି। ତେବେ ଚୀନ୍ ମୁଖପାତ୍ର ‌ବୈଠକ ପରେ ଯେଉଁ ବୟାନ ଦେଇଛନ୍ତି, ସେଥିରେ ‘ରାଜିନାମା’ ବା ‘ଚୁକ୍ତି’ ଶବ୍ଦର ବ୍ୟବହାର ହୋଇନାହିଁ। ସେ କେବଳ ଏତିକି କହିଛନ୍ତି ଯେ ସୀମାନ୍ତ ପ୍ରସଙ୍ଗରେ ଗଭୀର ଯୋଗାଯୋଗ ମାଧ୍ୟମରେ ହୋଇଥିବା ‘ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି’କୁ ଉଭୟ ନେତା ପ୍ରଶଂସା କରିଛନ୍ତି। ଆମେ ବିଶ୍ୱାସ କରୁ ଯେ ଭାରତ-ଚୀନ ସମ୍ପର୍କ କେବଳ ଆମ ଲୋକଙ୍କ ପାଇଁ ନୁହେଁ; ବରଂ ବିଶ୍ୱ ଶାନ୍ତି, ସ୍ଥିରତା ଓ ପ୍ରଗତି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦୀ ତାଙ୍କ ପ୍ରାରମ୍ଭିକ ଭାଷଣରେ କହିଥିଲେ।