କଙ୍ଗନାଙ୍କ ବୟାନକୁ ନେଇ ବିବାଦ

ବଲିଉଡ୍‌ରେ ବିରୋଧ

୯ରେ ମୁମ୍ବାଇ ଫେରୁଛି, କାହା ବାପାର ସାହସ ଥିଲେ ଅଟକାନ୍ତୁ
କଙ୍ଗନା ତୁରନ୍ତ ମୁମ୍ବାଇ ଛାଡ଼ିଦିଅନ୍ତୁ: ଦେଶମୁଖ

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ରାଜନେତା ଓ ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ କାଦୁଅଫିଙ୍ଗା ଚାଲିଛି। ଆଜି ଏହି କାଦୁଅଫିଙ୍ଗା ଓ ପରସ୍ପର ବିରୋଧୀ ମତମନ୍ତବ୍ୟ ପ୍ରାୟ ଶୀର୍ଷ ଛୁଇଁଛି। ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମୁମ୍ବାଇରେ ତାଙ୍କୁ ‘ପାକ୍‌ ଅଧିକୃତ କାଶ୍ମୀର’ରେ ରହିବା ଭଳି ଅନୁଭୂତ ହେଉଛି। ମୁମ୍ବାଇରେ ତାଲିୱାନ ଶାସନ ଚାଲିଛି। ଏଣୁ ସେ ମୁମ୍ବାଇରେ ସେ ସୁରକ୍ଷିତ ନୁହଁନ୍ତି ବୋଲି କଙ୍ଗନା ଟ୍ବିଟ୍‌ କରିଥିଲେ। ସେହିଭଳି ମୁମ୍ବାଇ ପୁଲିସ ମାଫିଆ ଡନ୍‌ଠାରୁ ଭୟଙ୍କର ବୋଲି କଙ୍ଗନା ରାଣାୱତ କହିଥିଲେ। କଙ୍ଗନାଙ୍କ ଏଭଳି ବୟାନକୁ ନେଇ ମହାରାଷ୍ଟ୍ର ସରକାରଙ୍କ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗୃହମନ୍ତ୍ରୀ ଦେଶମୁଖ କହିଛନ୍ତି, ଯଦି କଙ୍ଗନା ମୁମ୍ବାଇରେ ସୁରକ୍ଷିତ ଅନୁଭବ କରୁନାହାନ୍ତି, ତେବେ ସେ ତୁରନ୍ତ ମୁମ୍ବାଇ ଛାଡ଼ି ଦିଅନ୍ତୁ। ମୁମ୍ବାଇରେ ରହିବା ତାଙ୍କର କୌଣସି ଅଧିକାର ନାହିଁ ବୋଲି ଗୃହମନ୍ତ୍ରୀ କହିଛନ୍ତି। ମୁମ୍ବାଇ ପୁଲିସ ନିଜ ଜୀବନକୁ ବାଜି ଲଗେଇ କରୋନା ମହାମାରୀ ବିରୋଧରେ ଲଢ଼େଇ କରୁଛି। ଆହୁରି ମଧ୍ୟ ପୁଲିସ ଯୋଗୁଁ ଉଭୟ ମୁମ୍ବାଇ ଓ ମହାରାଷ୍ଟ୍ର ସୁରକ୍ଷିତ ରହିଛି। ମୁମ୍ବାଇ ପୁଲିସର ସଚ୍ଚୋଟତା ଓ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇବାର ଅଧିକାର କଙ୍ଗନାଙ୍କର ନାହିଁ ବୋଲି ଗୃହମନ୍ତ୍ରୀ ଦେଶମୁଖ କହିଛନ୍ତି। ମୁମ୍ବାଇ ଗୃହମନ୍ତ୍ରୀଙ୍କ ଏଭଳି ବୟାନ ପରେ କଙ୍ଗନା କହିଛନ୍ତି, ତାଙ୍କୁ କେତେକ ଶିବସେନା ନେତା ଓ ମନ୍ତ୍ରୀ ମୁମ୍ବାଇ ନ ଆସିବାକୁ ଧମକ ଦେଇଛନ୍ତି। ସେ ସେପ୍‌ଟେମ୍ବର ୯ରେ ହିମାଚଳ ପ୍ରଦେଶରୁ ମୁମ୍ବା‌ଇକୁ ଫେରୁଛନ୍ତି। ଦେଖିବା ତାଙ୍କୁ କିଏ ଅଟକେଇବ ବୋଲି କଙ୍ଗନା କହିଛନ୍ତି। ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ଏଭଳି ବୟାନର ଜବାବରେ କଙ୍ଗନା ଟ୍ବିଟ୍‌ କରିଛନ୍ତି, ‘କିସି କେ ବାପ୍‌ ମେ ହିମ୍ମତ୍‌ ‌ହୈ ତୋ ରୋକ୍‌ ଲେ।’ ସୂଚନାଯୋଗ୍ୟ, କଙ୍ଗନା ରାଣାୱତ ବର୍ତ୍ତମାନ ହିମାଚଳ ପ୍ରଦେଶରେ ଅଛନ୍ତି। ମୁମ୍ବାଇ ବିମାନ ବନ୍ଦର ଛାଡ଼ିବା ସମୟରେ ସେ ମହାରାଷ୍ଟ୍ର ସରକାର ଓ ପୁଲିସ ବିରୋଧରେ ଟ୍ବିଟ୍‌ କରିଥିଲେ। ଏହା ପୂର୍ବରୁ ଶିବସେନା ନେତା ସଞ୍ଜୟ ରାଉତ କଙ୍ଗନାଙ୍କୁ ଧମକ ଦେଇଥିବାର ଅଭିଯୋଗ ଆସିଥିଲା। ‘କଙ୍ଗନାଙ୍କୁ ଆମେ ଅନୁରୋଧ କରୁଛୁ, ଦୟାକରି ସେ ମୁମ୍ବାଇ ନ ଆସନ୍ତୁ’ ‌ବୋଲି ସଞ୍ଜୟ ରାଉତ ଦଳର ମୁଖପତ୍ର ‘ସାମ୍ନା’ରେ ଲେଖିଥିଲେ।

ବଲିଉଡ୍‌ରେ ବିରୋଧ
ମୁମ୍ବାଇ: କଙ୍ଗନାଙ୍କ ‘ପାକ୍‌ ଅଧିକୃତ କାଶ୍ମୀର’ ଏବଂ ‘ବଲିଉଡରେ ୯୯% ଡ୍ରଗ୍‌ସ ସେବନ କରନ୍ତି’ ବୟାନକୁ ବଲିଉଡର ଅନେକ ଅଭିନେତା ଅଭିନେତ୍ରୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅଭିନେତ୍ରୀ ରବିନା ଟଣ୍ଡନ କହିଛନ୍ତି, ଦୁନିଆରେ ୯୯% ବିଚାରପତି, ରାଜନେତା, ଅଫିସର ଓ ପୁଲିସ ଦୁର୍ନୀତିଗ୍ରସ୍ତ କହି ଏଥିରେ ସମସ୍ତଙ୍କୁ ସାମିଲ କରାଯାଇ ପାରିବ ନାହିଁ। ଅଳ୍ପ କିଛି ସେଓ ପାଇଁ ପୂରା ସେଓ ଝୁଡ଼ି ଖରାପ ହୋଇଯିବନି ବୋଲି ସେ କହିଛନ୍ତି। ଅଭିନେତା ସୋନୁ ସୁଦ୍‌ ଟ୍ବିଟ୍‌ କରି କହିଛନ୍ତି, ‘ମୁମ୍ବାଇ ସହର ଭାଗ୍ୟ ବଦଳେଇ ଦେଇଥାଏ। ଆପଣ ତାକୁ ସମ୍ମାନ ଜଣାଇଲେ, ଆପଣଙ୍କୁ ସମ୍ମାନ ମିଳିବ।’ ସେହିଭଳି ‘ଗଲି ବଏ’ ନିର୍ଦ୍ଦେଶିକା ଜୋୟା ଅଖ୍‌ତର କଙ୍ଗନାଙ୍କ ଆରୋପର ଅର୍ଥ ସେ ବୁଝି ପାରୁନାହାନ୍ତି ବୋଲି କହିଛନ୍ତି। ସେହିଭଳି ଅଭିନେତ୍ରୀ ସ୍ବରା ଭାସ୍କର କହିଛନ୍ତି, ମୁମ୍ବାଇରେ ଜଣେ ବାହାରର ବ୍ୟକ୍ତିଭାବେ ବହୁବର୍ଷ ହେଲା ରହିଆସୁଛି। ରହିବା ଏବଂ କାମ କରିବା ପାଇଁ ବମ୍ବେ ଏକ ଭଲ ଓ ନିରାପଦ ସହର ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ସେହିଭଳି କଙ୍ଗନାଙ୍କ ‘ପିଓକେ’ ବୟାନକୁ ଅଭିନତ୍ରୀ ରେଣୁକା ସାହାଣେ, ଉର୍ମିଳା ମାତଣ୍ଡକର ମଧ୍ୟ ସମାଲୋଚନା କରିଛନ୍ତି। କଙ୍ଗନାଙ୍କ ଏଭଳି ତୁଳନା ଠିକ୍‌ ନୁହେଁ ବୋଲି ଏହି ଦୁଇ ଅଭିନେତ୍ରୀ କହିଛନ୍ତି।

ମନ୍ତବ୍ୟକୁ ଦଳ ସମର୍ଥନ କରେ ନାହିଁ: ବିଜେପି, କଙ୍ଗନା ବିଜେପି ଭାଷା କହୁଛନ୍ତି: କଂଗ୍ରେସ
ମୁମ୍ବାଇ : ମୁମ୍ବାଇକୁ ପାକ୍‌ ଅଧିକୃତ କାଶ୍ମୀର ସହ ତୁଳନା କରିବା ପ୍ରସଙ୍ଗରେ ‘ମହାରାଷ୍ଟ୍ର ନବନିର୍ମାଣ ସେନା’ (ଏମ୍‌ଏନ୍‌ଏସ୍‌) ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଘେରିଛି। ବିଜେପି ଆଇଟି ‌ସେଲ୍‌ର ପ୍ରରୋଚନାରେ କଙ୍ଗନା ଏଭଳି ବୟାନ ଦେଉଛନ୍ତି ବୋଲି ଏମ୍‌ଏନ୍‌ଏସ୍‌ କହିଛି। ସେହିଭଳି କଂଗ୍ରେସ ମୁଖପାତ୍ର ସଚିନ୍‌ ସାୱନ୍ତ କହିଛନ୍ତି, କଙ୍ଗନା ବିଜେପିର ଭାଷା କହୁଛନ୍ତି। ତେବେ ମୁମ୍ବାଇ, ମୁମ୍ବାଇବାସୀ ଓ ମୁମ୍ବାଇ ଲୋକଙ୍କ ସଂପର୍କରେ କଙ୍ଗନା ଦେଇଥିବା ମନ୍ତବ୍ୟରୁ ବିଜେପି ନିଜକୁ ଦୂରେଇ ନେଇଛି। ଦଳ କଂଗନାଙ୍କ ଏଭଳି ମନ୍ତବ୍ୟକୁ ସମର୍ଥନ କରେ ନାହିଁ ବୋଲି ବିଜେପିର ଜଣେ ପ୍ରବକ୍ତା କହିଛନ୍ତି।

ସମ୍ବନ୍ଧିତ ଖବର