ବିଜେପି ଜିତିବ ବୋଲି କେରଳ ବିଶପଙ୍କ ଭାଷଣକୁ ନେଇ ବିବାଦ

ତିରୁଅନନ୍ତପୁରମ୍ : ଜଣେ ପ୍ରଭାବଶାଳୀ ଆର୍କବିଶପଙ୍କ ଭାଷଣକୁ ନେଇ କେରଳରେ ରାଜନୈତିକ ଆଲୋଡ଼ନ ଦେଖାଦେଇଛି। କେନ୍ଦ୍ର ସରକାର ଯଦି ରବରର ସଂଗ୍ରହ ମୂଲ୍ୟ କିଲୋଗ୍ରାମ୍ ପିଛା ୩୦୦ ଟଙ୍କାକୁ ବୃଦ୍ଧି କରିବେ ତେ‌ବେ କେରଳରେ ବିଜେପିର ଯେଉଁ ସାଂସଦ ମରୁଡ଼ି ଦେଖାଦେଇଛି ତାହା ଦୂର ହୋଇପାରିବ ବୋଲି ସାଇରୋ-ମାଲାବାର କ୍ୟାଥଲିକ ଚର୍ଚ୍ଚର ପ୍ରଭାବଶାଳୀ ଆର୍କବିଶପ ମାର ଜୋସେଫ କହିଛନ୍ତି। ବିଶେଷତଃ କୃଷକମାନେ ଯୋଗ ଦେଇଥିବା ଏକ ବୈଠକରେ ଜୋସେଫ କହିଥିଲେ ଯେ ଗଣତନ୍ତ୍ରରେ ପ୍ରତିବାଦର କିଛି ମୂଲ୍ୟ ନାହିଁ, ଯଦି ତାହା ନିର୍ବାଚନରେ ଭୋଟରେ ରୂପାନ୍ତରିତ ନ ହୁଏ।
ବିଶପ କହିଲେ,- ‘‘ଆମେ କେନ୍ଦ୍ର ସରକାରଙ୍କୁ କହିବୁ, ତୁମର ଯେଉଁ ଦଳ ହୋଇଥାଉ ନା କାହିଁକି, ତୁମେ ଯଦି ରବର ମୂଲ୍ୟ ୩୦୦ ଟଙ୍କାକୁ ବୃଦ୍ଧି କରିପାରିବ, ତେବେ ଆମେ ତୁମକୁ ଭୋଟ ଦେବୁ। ଏଠାରେ ବାହାରୁ ଆସି ରହୁଥିବା ଲୋକମାନେ ତୁମର ସାଂସଦ ଅଭାବ ସମସ୍ୟାକୁ ଦୂର କରିବେ।’’

କିଛି ସପ୍ତାହ ତଳେ ତିନୋଟି ସଂଖ୍ୟାଲଘୁ-ବହୁଳ ଉତ୍ତର-ପୂର୍ବ ରାଜ୍ୟରେ ନିର୍ବାଚନୀ ସଫଳତା ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ କେରଳରେ ବି ବିଜେପି ମେଣ୍ଟ ସରକାର ଗଢ଼ିବ କାରଣ ସଂଖ୍ୟାଲଘୁ ସମ୍ପ୍ରଦାୟର ଜନମତ ଏଣିକି ଅଧିକ ସଂଖ୍ୟାରେ ବିଜେପି ଆଡ଼କୁ ମୁହାଁଉଛି। ଏବେ ବିଶପଙ୍କ ଉପରୋକ୍ତ ଭାଷଣ କେରଳ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।

ବିଶପଙ୍କ ଉକ୍ତ ଭାଷଣ ପରେ ବିଜେପି ପକ୍ଷରୁ ଏହାକୁ ସ୍ବାଗତ କରାଯାଇଛି। ରାଜ୍ୟ ବିଜେପି ନେତାଏ କହିଛନ୍ତି ଯେ ସେମାନେ ଏ ସମ୍ପର୍କରେ କେନ୍ଦ୍ରୀୟ ନେତୃତ୍ବ ସହ ଆଲୋଚନା କରିବେ ଏବଂ ବିଶପଙ୍କ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବେ। ଅପରପକ୍ଷେ କେରଳର ବାମପନ୍ଥୀ ଓ କଂଗ୍ରେସ ସରକାର ଖ୍ରୀଷ୍ଟିଆନମାନଙ୍କୁ ଭୋଟବ୍ୟାଙ୍କ ଭଳି ବ୍ୟବହାର କରୁଛି ଏବଂ ସେମାନଙ୍କର ମୁକ୍ତ ଭାବରେ କଥା କହିବାର ଅଧିକାରକୁ ଚାପିଦେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। କୃଷକଙ୍କ ସମସ୍ୟାର ସମାଧାନ କଲେ କେରଳରେ ଖ୍ରୀଷ୍ଟିଆନମାନେ ବିଜେପିକୁ ଜିତାଇବାରେ ସାହାଯ୍ୟ କରିବେ ବୋଲି ବରିଷ୍ଠ ବିଶପଙ୍କ ବିବୃତିକୁ କେନ୍ଦ୍ରମନ୍ତ୍ରୀ ଭି ମୁରଲୀଧରନ ସ୍ବାଗତ କରିଛନ୍ତି। ତେବେ ବିଶପଙ୍କର ଏଭଳି ବିବୃତିକୁ ନେଇ ତାଙ୍କୁ ଅନ୍‌ଲାଇନ୍‌ରେ ଟାର୍ଗେଟ କରାଯାଇଥିବା ବିଜେପି ମୁଖପାତ୍ର ଟମ ବାଦକନ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ କେଜେ ଆଲଫନ୍ସ ଅଭିଯୋଗ କରିଛନ୍ତି। ବାମପନ୍ଥୀ ଓ କଂଗ୍ରେସ ନେତାମାନେ ବିଶପଙ୍କ ମୁକ୍ତ ଭାବରେ ମତ ପ୍ରକାଶ କରିବାର ଅଧିକାରକୁ ଚାପିଦେବାକୁ ଚେଷ୍ଟା କରୁଛନ୍ତି ବୋଲି ମୁରଲୀଧନ କହିଛନ୍ତି।

ସମ୍ବନ୍ଧିତ ଖବର