ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟର୍‌ ସୋଏବ ମଲ୍ଲିକଙ୍କ ତୃତୀୟ ବିବାହ ପରେ ଏବେ ସାମାଜିକ ଗଣମାଧ୍ୟମଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମାଲୋଚନା, କଟୁକ୍ତିର ଚର୍ଚ୍ଚା ଜୋର ଧରିଛି। ଶନିବାର ପାକିସ୍ତାନୀ ଅଭିନେତ୍ରୀ ସନା ଜା‌ଭେଦଙ୍କୁ ବିବାହ କରିବାର ଫଟୋକୁ ସେୟାର କରିବା ପରେ ଏହି ଆଲୋଚନା ତୀବ୍ର ହୋଇଥିଲା। ଫଳରେ କିଛି ଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ଏହା ଦ୍ବାରା ଗୋଟିଏ କଥା ସ୍ପଷ୍ଟ ହୋଇଛି ସାନିଆ ଓ ‌ସୋଏବଙ୍କ ସମ୍ପର୍କରେ ଫାଟ ଥିଲା। ଉଭୟ କ୍ରୀଡ଼ା ସେଲିବ୍ରିଟିଙ୍କ ବିବାହ ବିଚ୍ଛେଦ ଆନୁଷ୍ଠାନିକ ଭାବେ ବହୁ ପୂର୍ବରୁ ହୋଇସାରିଛି। କେବଳ ଖବରଟି ବିଳମ୍ବରେ ବାହାରକୁ ଆସିଛି। ସୋଏବଙ୍କ ତୃତୀୟ ବିବାହ ଫଟୋ ପଦାକୁ ଆସିବା ପରେ ସାନିଆଙ୍କ ପରିବାର ପକ୍ଷରୁ ମଧ୍ୟ ବିବାହ ବିଚ୍ଛେଦ ସମ୍ପର୍କରେ ପୃଷ୍ଟି କରିଛନ୍ତି। ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଆସାଉଦ୍ଦିନଙ୍କୁ ବିବାହ କରିଥିବା ସାନିଆଙ୍କ ଭଉଣୀ ଆନମ ମିର୍ଜା ଲେଖିଛନ୍ତି ଆଇନଗତ ଭାବେ ସାନିଆ ଓ ସୋଏବ କିଛି ମାସ ହେବ ଅଲଗା ହୋଇସାରିଛନ୍ତି। ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ରେ ଆନମ ଲେଖିଛନ୍ତି ‘ସାନିଆ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ସାଧାରଣ ଲୋକଙ୍କ ନଜରଠାରୁ ଦୂରେଇ ରଖିଥାଏ। ଏବେ କିନ୍ତୁ ପରିସ୍ଥିତି ଆସିଛି ସ୍ପଷ୍ଟ କରିବାକୁ ଯେ ସୋଏବ ଓ ସାନିଆଙ୍କ ବିଚ୍ଛେଦ କିଛି ମାସ ହେବ ହୋଇସାରିଛି। ଜୀବନର ନୂଆ ଯାତ୍ରା ପାଇଁ ‌ସୋଏବଙ୍କୁ ମଧ୍ୟ ସାନିଆା ଶୁଭେଚ୍ଛା ଜଣାଇଛନ୍ତି। ଜୀବନର ଏହି ସ୍ପର୍ଶକାତର ସମୟରେ ଆମେ ଶୁଭେଚ୍ଛୁ ଓ ପ୍ରଶଂସକମାନଙ୍କୁ ଅନୁରୋଧ କରୁଛୁ ‌‌କୌଣସି ପ୍ରକାର କଳ୍ପନାଜଳ୍ପନାଠାରୁ ଦୂରେଇ ରୁହନ୍ତୁ ଏବଂ ଆମ ବ୍ୟକ୍ତିଗତ ଜୀବନକୁ ସମ୍ମାନ କରନ୍ତୁ’’

Advertisment

ସୋଏବଙ୍କ ଭଉଣୀ ଖପ୍ପା
ସୋଏବ ମଲ୍ଲିକଙ୍କ ବିବାହ ଉତ୍ସବକୁ ନେଇ ଭାରତ ଓ ପାକିସ୍ତାନ ମିଡିଆ ସହିତ ସାମାଜିକ ଗଣମାଧ୍ୟମରେ ଢେର ଆଲୋଚନା ଚାଲିଛି। ପାକିସ୍ତାନ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ଏକ ସୂଚନା ଅନୁସାରେ ସୋଏବଙ୍କ ତୃତୀୟ ବିବାହକୁ ତାଙ୍କ ପରିବାରର କୌଣସି ବ୍ୟକ୍ତି ଆସି ନଥିଲେ। ଅର୍ଥାତ ସାନିଆଙ୍କ ସହ ବିଚ୍ଛେଦ ଓ ସନାଙ୍କ ସହ ବିବାହ କରିବା ପଛରେ ପରିବାରର ସମର୍ଥନ ନଥିଲା। ସୋଏବଙ୍କ ନୂଆ ବିବାହକୁ ନେଇ ତାଙ୍କ ଭଉଣୀ ମଧ୍ୟ ଖପ୍ପା ହୋଇଛନ୍ତି। ସାନିଆଙ୍କଠାରୁ ବିଚ୍ଛେଦକୁ ତାଙ୍କ ଭଉଣୀ ଗମ୍ଭୀରତାର ସହ ନେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ସୋଏବଙ୍କ ପରକୀୟା ସମ୍ପର୍କକୁ ନେଇ ସାନିଆ ବିରକ୍ତ ହେଉଥିବାରୁ ଶେଷରେ ଏହି ପରିଣତି ଆସିଛି।

ସନାଙ୍କୁ ବି ଦିନେ ଛାଡ଼ିବେ
ସୋଏବ ମଲ୍ଲିକଙ୍କୁ ତାଙ୍କ ବିବାହ ନିଷ୍ପତ୍ତି ପାଇଁ ଭୀଷଣ ଟ୍ରୋଲ୍ ହେବାକୁ ପଡ଼ିଛି। ଲୋକମାନେ ସୋଏବଙ୍କୁ ‘ବ୍ୟାଡ୍‌ ବୟ’ ଆଖ୍ୟା ଦେବା ସହ ଅଧିକ ଦୋଷାରୋପ କରିଛନ୍ତି। ସମୟ ଆସିବ ସୋଏବ ଦିନେ ସନାଙ୍କ ମଧ୍ୟ ଛାଡ଼ପତ୍ର ଦେବେ ବୋଲି ସେମାନେ ପ୍ରକାଶ କରିଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି ‘ପ୍ରେମ ବିବାହରେ ଆଉ ବିଶ୍ବାସ ହେଉନାହିଁ’। ଆଲ୍ଲା ସାନିଆଙ୍କ ଅଧିକ ଭଲ ‌ଦେଇପାରିଥାନ୍ତେ, ତଥାପି ଯାହା ଘଟିଲା ଭଲ ହେଲା। ଆଉ ଜଣେ ଲେଖିଛନ୍ତି ‘ଦେଶ ପାଇଁ ଲଢ଼ି ପ୍ରଶଂସା ପାଇଥିଲେ, ତାଙ୍କୁ ବିବାହ କରି ଘୃଣା ଅର୍ଜନ କରିଥିଲେ। ସେ ସୁନାଟିଏ, ପ୍ରେରଣାଦାୟୀ ଓ ନିଜକୁ ଗଢ଼ିଥିବା ମହିଳା।’ ସବୁଠାରୁ ବଡ଼ କଥା ହେଉଛି ସୋଏବଙ୍କ ବିବାହ ଖବର ପରେ ସାନିଆଙ୍କୁ ଭାରତ ଅପେକ୍ଷା ପାକିସ୍ତାନରୁ ଅଧିକ ସମର୍ଥନ ଓ ସମବେଦନା ମିଳିଛି।