ରୋହିଙ୍ଗ୍ୟ‌ା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବୟାନକୁ ନେଇ ବିବାଦ; ଫ୍ଲାଟ୍‌ ନୁ‌ହେଁ, ଅଟକ ଶିବିରରେ ରହିବେ: ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦିଲ୍ଲୀରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ସରକାରୀ ଫ୍ଲାଟ୍‌ ମିଳିବା ପ୍ରସଙ୍ଗରେ ଆଜି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଦେଇଥିବା ଟିପ୍ପଣୀକୁ ନେଇ ବଡ଼ ବିବାଦ ହୋଇଛି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଆଜି ଏକ ଟ୍ବିଟ୍‌ କରି କହିଥିଲେ , ଦେଶରେ ଆଶ୍ରୟ ‌ନେଉଥିବା ଶରଣାର୍ଥୀଙ୍କୁ ଭାରତ ସବୁବେଳେ ସ୍ବାଗତ କରିଆସିଛି। ଦିଲ୍ଲୀର ବକ୍କରୱାଲା ଅଞ୍ଚଳରେ ଥିବା ଇଡବ୍ଲ୍ୟୁଏସ୍‌ ( ଆର୍ଥିକ ଦୁର୍ବଳ ଶ୍ରେଣୀ)ର ଫ୍ଲାଟ୍‌କୁ ରୋହିଙ୍ଗ୍ୟାମାନଙ୍କୁ ପଠାଯିବା ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେମାନଙ୍କୁ ୟୁଏନଏଚସିଆର ଆଇଡି ଏବଂ ୨୪ ଘଣ୍ଟା ଦିଲ୍ଲୀ ପୁଲିସର ସୁରକ୍ଷା ମିଳିବ। ତେବେ ମନ୍ତ୍ରୀଙ୍କର ଏହି ବୟାନକୁ ନେଇ ଜୋରଦାର ବିବାଦ ହେବାପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ସ୍ପଷ୍ଟୀକରଣ ଦେଇଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ୩ଟି ଟ୍ବିଟ୍‌ ମାଧ୍ୟମରେ ସ୍ପଷ୍ଟୀକରଣ ଦିଆଯାଇଛି। ବେଆଇନ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଦିଲ୍ଲୀରେ କୌଣସି ଫ୍ଲାଟ୍‌ ଦିଆଯାଇନାହିଁ ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛି। ଦିଲ୍ଲୀ ସରକାର ରୋହିଙ୍ଗ୍ୟାଙ୍କୁ ଏକ ନୂଆ ସ୍ଥାନକୁ ନେବାପାଇଁ ପ୍ରସ୍ତାବ ଦେଇଛନ୍ତି। ଗୃହ ମନ୍ତ୍ରାଳୟ ମଧ୍ୟ ଦିଲ୍ଲୀ ସରକାରଙ୍କୁ ଏନେଇ ଏକ ନିର୍ଦ୍ଦେଶ ଦେଇଛନ୍ତି। ରୋହିଙ୍ଗ୍ୟା ଶରଣାର୍ଥୀମାନେ ବର୍ତ୍ତମାନ ଯେଉଁ ସ୍ଥାନ‌ରେ ଅଛନ୍ତି ତାହା ଯେମିତି ଆଗକୁ ବଜାୟ ରହେ ତାହା ନିଶ୍ଚିତ କରିବାପାଇଁ ଗୃହ ମନ୍ତ୍ରାଳୟ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ମନ୍ତ୍ରାଳୟ ପରିଶେଷରେ କହିଛନ୍ତି, ବେଆଇନ ଶରଣାର୍ଥୀମାନଙ୍କୁ ପ୍ରତ୍ୟର୍ପଣ କରାଯିବା ପର୍ଯ୍ୟନ୍ତ ସେମାନଙ୍କୁ ଅଟକ କେନ୍ଦ୍ର‌ରେ ରଖାଯିବ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ରମନ୍ତ୍ରୀଙ୍କ ଟ୍ବିଟ୍‌ ପରେ କେନ୍ଦ୍ର ସରକାରକୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନା ହୋଇଥିଲା। ପୂର୍ବତନ ତ୍ରିପୁରା ଏବଂ ମେଘାଳୟ ରାଜ୍ୟପାଳ ତଥାଗତ ରାୟ କହିଛନ୍ତି ଯେ ରୋହିଙ୍ଗ୍ୟାକୁ ସୁରକ୍ଷା ମିଳିଲେ ଏହା ବିଜେପି ସରକାରର ଏକ ଆତ୍ମଘାତୀ ପଦକ୍ଷେପ ‌ହେବ।

ସମ୍ବନ୍ଧିତ ଖବର