କାଠମାଣ୍ଡୁ : ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଜଣେ ଭାରତୀୟ ବ୍ୟବସାୟୀଙ୍କୁ ନେଇ ଯେଉଁ ଟିପ୍ପଣୀ ଦେଇଛନ୍ତି ସେଥିପାଇଁ ବିରୋଧୀମାନେ ତାଙ୍କ ଇସ୍ତଫା ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନେପାଳରେ ଅବସ୍ଥାପିତ ଜଣେ ଭାରତୀୟ ବ୍ୟବସାୟୀ ଦିନେ ତାଙ୍କୁ ପ୍ରଧାନମନ୍ତ୍ରୀ କରିବାପାଇଁ ଉଦ୍ୟମ କରିଥିଲେ। ‘ରୋଡ୍ସ ଟୁ ଦି ଭ୍ୟାଲି: ଦି ଲିଗାସି ଅଫ ସର୍ଦାର ପ୍ରୀତମ ସିଂହ ଇନ୍ ନେପାଳ’ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଚଣ୍ଡ କହିଥିଲେ, ସିଂହ ଦିନେ ତାଙ୍କୁ ପ୍ରଧାନମନ୍ତ୍ରୀ କରିବାପାଇଁ ଉଦ୍ୟମ କରିଥିଲେ।
ପ୍ରଚଣ୍ଡ କହିଛନ୍ତି, ସେ ମତେ ପ୍ରଧାନମନ୍ତ୍ରୀ କରିବାପାଇଁ ଅନେକ ଥର ଦିଲ୍ଲୀ ଯାଇଛନ୍ତି ଏବଂ କାଠମାଣ୍ଡୁରେ ରାଜନେତାମାନଙ୍କ ସହ କଥା ହୋଇଛନ୍ତି। ନେପାଳ-ଭାରତ ସମ୍ପର୍କ ସୁଦୃଢ଼ କରିବାରେ ତାଙ୍କର ସ୍ବତନ୍ତ୍ର ଭୂମିକା ରହିଛି। ତେବେ ପ୍ରଚଣ୍ଡଙ୍କ ଏହି ଟିପ୍ପଣୀକୁ ବିରୋଧ କରି ବିରୋଧୀଦଳ ନେତାମାନେ ତାଙ୍କର ଇସ୍ତଫା ଦାବି କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କହିଛନ୍ତି, ପ୍ରଚଣ୍ଡଙ୍କ ଟିପ୍ପଣୀ ଦେଶର ସ୍ବାଧୀନତା, ସମ୍ମାନ, ସମ୍ବିଧାନ ଏବଂ ସଂସଦ ପ୍ରତି ଏକ ଧକ୍କା।