ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍ସିଆର୍ରେ ଥିବା ସମସ୍ତ ବୁଲା କୁକୁରଙ୍କୁ ୮ ସପ୍ତାହ ମଧ୍ୟରେ ଉଠାଇ ଆଣି ଆଶ୍ରୟସ୍ଥଳୀରେ ରଖିବା ଓ ବନ୍ଧ୍ୟାକରଣ କରିବାକୁ ସୋମବାର ସୁପ୍ରିମ୍କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ନେଇ ବିବାଦ ସୃଷ୍ଟି ହୋଇଛି। ବୁଲା କୁକୁର ହଟାଇବା ମାମଲାର ପୁନଃ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଏକ ନୂଆ ଖଣ୍ଡପୀଠ ଗଠନ କରିଛନ୍ତି ଏବଂ ଆସନ୍ତାକାଲି ଏକ ବଡ଼ ଖଣ୍ଡପୀଠରେ ଏହାର ଶୁଣାଣି ହେବ। ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହେଟ୍ଟା ଏବଂ ଜଷ୍ଟିସ ଏନ୍ଭି ଅଞ୍ଜରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।
ଆଜି ପୂର୍ବାହ୍ନରେ ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗୱାଇ କହିଥିଲେ, ମୁଁ ଏହାର ଅନୁଧ୍ୟାନ କରିବି। କିଛି ଲୋକ ଦିଲ୍ଲୀ-ଏନ୍ସିଆର୍ ରାସ୍ତାଗୁଡ଼ିକୁ କୁକୁରମୁକ୍ତ କରିବା ନିର୍ଦ୍ଦେଶକୁ ସ୍ୱାଗତଯୋଗ୍ୟ ବୋଲି କହି ପ୍ରଶଂସା କରିଥିବା ବେଳେ ଅନ୍ୟମାନେ ଏହାକୁ ନିନ୍ଦା କରିଛନ୍ତି ଏବଂ ଚେତାବନୀ ଦେଇଛନ୍ତି ଯେ ଏହା ମଣିଷ-କୁକୁର ସଂଘର୍ଷକୁ ବଢାଇପାରେ। ବୁଧବାର ସକାଳେ ଏହି ମାମଲା ମୁଖ୍ୟ ବିଚାରପତିଙ୍କ ନିକଟକୁ ଅଣାଯାଇଥିଲା, ଯେଉଁଥିରେ ବୁଲା କୁକୁରଙ୍କୁ ସ୍ଥାନାନ୍ତର କିମ୍ବା ହତ୍ୟା ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ସେମାନଙ୍କ ଚିକିତ୍ସା ଉପରେ ପ୍ରଚଳିତ ଆଇନ ଓ ନିୟମ ପାଳନକୁ ବାଧ୍ୟତାମୂଳକ କରିବା ପାଇଁ ପୂର୍ବ ଅଦାଲତ ଦେଇଥିବା ଆଦେଶକୁ ସ୍ମରଣ କରାଯାଇଥିଲା। ଏହି ମାମଲାରେ ଆବେଦନ କରିଥିବା ଓକିଲଙ୍କ କହିବା ଅନୁସାରେ, ସୁପ୍ରିମ୍କୋର୍ଟ ଦେଇଥିବା ରାୟ ପଶୁ ନିର୍ଯାତନା ନିବାରଣ ଆଇନ ୧୯୬୦ ଓ ତାଙ୍କ ପୂର୍ବ ରାୟର ବିପରୀତ। ପୂର୍ବ ରାୟରେ କୋର୍ଟ କହିଥିଲେ ଯେ କୌଣସି ପରିସ୍ଥିତିରେ କୁକୁରମାନଙ୍କୁ ଅଯଥାରେ ହତ୍ୟା କରାଯାଇପାରିବ ନାହିଁ। କର୍ତ୍ତୃପକ୍ଷମାନେ ପ୍ରଚଳିତ ଆଇନର ‘ଜନାଦେଶ ଓ ଭାବନା’ ଅନୁଯାୟୀ କାର୍ଯ୍ୟ କରିବା ଓ ସମସ୍ତ ଜୀବଜନ୍ତୁଙ୍କ ପ୍ରତି ସମବେଦନା ପ୍ରଦର୍ଶନ କରିବା ଆବଶ୍ୟକ। ଭବିଷ୍ୟତରେ କୌଣସି ବିବାଦକୁ ଉପଯୁକ୍ତ ସାମ୍ବିଧାନିକ ଅଦାଲତ କିମ୍ବା ଫୋରମ୍ରେ ଅଣାଯାଇପାରିବ ବୋଲି କୋର୍ଟ କହିଥିଲେ।