ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଆଉ ଏକ ବିବାଦ ଦେଖାଦେଇଛି। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ବିଜେପି ଅଗ୍ନିବୀର ନାମରେ ଜାତିବୀର ସୃଷ୍ଟି କରିବାକୁ ଚାହୁଛି କାରଣ ନିଯୁକ୍ତି ବେଳେ ସେମାନଙ୍କୁ ଜାତି ଓ ଧର୍ମର ସାର୍ଟିଫିକେଟ୍ ମଗାଯାଉଛି। ଆମ୍ ଆଦ୍ମୀ ପାର୍ଟି (ଆପ୍) କହିଛି ଯେ ଅଗ୍ନିବୀର ନାମରେ ଜାତିବୀର ସୃଷ୍ଟି କରିବାକୁ ଯୋଜନା କରାଯାଇଛି। ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) କହିଛି ଯେ ଅଗ୍ନିବୀର ଭିତରେ ଆର୍ଏସ୍ଏସ୍-ପ୍ରରୋଚିତ ଏକ ଜାତି ପକ୍ଷପାତ ଭର୍ତ୍ତି କରାଯାଇଛି। ଅପରପକ୍ଷେ ସେନା ପକ୍ଷରୁ ଏଭଳି ଅଭିଯୋଗକୁ ଖଣ୍ଡନ କରାଯାଇଛି। ପୂର୍ବରୁ ଯେଉଁ ନିୟମ ରହିଥିଲା ତାହା ହିଁ କାର୍ଯ୍ୟକାରୀ ହୋଇଛି ଏବଂ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ସେନା ସ୍ପଷ୍ଟ କରିଛି। ସେନାରେ ନିଯୁକ୍ତି ପାଇଁ ଜାତି-ଧର୍ମ ପ୍ରମାଣପତ୍ର ପୂର୍ବରୁ ମଧ୍ୟ ମଗାଯାଉଥିଲା ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ସେନାରେ ତାଲିମ ବା କର୍ତ୍ତବ୍ୟରତ ଅବସ୍ଥାରେ କାହାର ମୃତ୍ୟୁ ହୋଇଗଲେ ଅନ୍ତିମ ସଂସ୍କାର ତାଙ୍କର ଧର୍ମ ଅନୁଯାୟୀ କରିବାକୁ ପଡ଼ିଥାଏ। ତେଣୁ ଧର୍ମ ସ୍ତମ୍ଭର ଆବଶ୍ୟକତା ରହିଛି ବୋଲି ସେନା ପକ୍ଷରୁ କୁହାଯାଇଛି।
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ୩ଟି ଆବେଦନକୁ କୋର୍ଟ ଆଜି ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରିଦେଇଛନ୍ତି। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ୍ ଏଏସ୍ ବୋପନ୍ନାଙ୍କ ଖଣ୍ଡପୀଠ କହିଛନ୍ତି, କେରଳ, ଦିଲ୍ଲୀ, ପଂଜାବ, ହରିୟାଣା , ପାଟନା ଏବଂ ଉତ୍ତରାଖଣ୍ଡ ହାଇକୋର୍ଟ ଅଗ୍ନିପଥ ଯୋଜନା ବିରୋଧରେ ଆବେଦନର ଶୁଣାଣି କରୁଛନ୍ତି। ତେବେ ଆମ ମତରେ ଉକ୍ତ ବିଷୟରେ ଏକାଧିକ ଆବେଦନ ଗ୍ରହଣୀୟ ନୁହେଁ। ଅନ୍ୟପକ୍ଷେ କେରଳ, ପଂଜାବ, ହରିୟାଣା, ପାଟନା ଏବଂ ଉତ୍ତରାଖଣ୍ଡ ହାଇକୋର୍ଟ ଆବେଦନକାରୀଙ୍କ ଆବେଦନ ଦିଲ୍ଲୀ ହାଇକୋର୍ଟ ସ୍ଥାନାନ୍ତର ପାଇଁ ଅନୁମତି ନିଅନ୍ତୁ ନଚେତ୍ ଆବେଦନକାରୀଙ୍କୁ ଦିଲ୍ଲୀ ହାଇକୋର୍ଟରେ ପକ୍ଷଭୁକ୍ତ ହେବାପାଇଁ ସ୍ବାଧୀନତା ଦିଅନ୍ତୁ ବୋଲି କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଆଜି ସ୍ଥାନାନ୍ତର କରିଥିବା ୩ଟି ଆବେଦନ ସହ ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଆବେଦନ ଉପରେ ହାଇକୋର୍ଟ ତ୍ବରିତ ଶୁଣାଣି କରିବାପାଇଁ ସୁପ୍ରିମକୋର୍ଟ କହିଛନ୍ତି।