ରୁଷିଆ ଟିକାକୁ ନେଇ ବିବାଦ : ପଦ ଛାଡ଼ିଲେ ଫୁସ୍‌ଫୁସ୍‌ ବିଶେଷଜ୍ଞ

ମସ୍କୋ : ମହାମାରୀ କରୋନାଭୂତାଣୁ ବିରୋଧରେ ଲଢ଼ିବା ପାଇଁ ରୁଷିଆ ବିଶ୍ବର ପ୍ରଥମ ଦେଶ ଭାବେ ଏକ ଟିକାକୁ ଲୋକାର୍ପିତ କରିବାର ସୌଭାଗ୍ୟ ବହନ କରୁଥାଇପାରେ, ମାତ୍ର ଉକ୍ତ ଟିକାର ନିରାପତ୍ତା ଏବଂ ଫଳପ୍ରଦତା ସମ୍ପର୍କରେ ବିଶ୍ବର ବିଭିନ୍ନ ଭେଷଜ ବିଶେଷଜ୍ଞମାନେ ଦୃଢ଼ ନିଶ୍ଚିତ ହୋଇପାରିନାହାନ୍ତି। ଏପରିକି ନିଜ ଦେଶରେ ବି ଏହାକୁ ବିରୋଧ କରାଗଲାଣି। ରୁଷିଆର ସରକାରୀ ପ୍ରତିଷ୍ଠାନ ଗମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି ଏବଂ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ବିକଶିତ ‘ସ୍ପୁଟନିକ୍‌-ଭି’ ନାମକ ଏହି ଟିକାର ଗୁରୁତ୍ବପୂର୍ଣ୍ଣ ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସରିନଥିବାରୁ ଏପରି ବିବାଦ ଦେଖାଦେଇଛି।

ଏହାର ନୈଦାନିକ ପରୀକ୍ଷଣ ବେଳର ଯାବତୀୟ ତଥ୍ୟ ପ୍ରକାଶ କରିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପୂର୍ବରୁ ରୁଷିଆକୁ ବାରମ୍ବାର ପରାମର୍ଶ ଦେବା ସତ୍ତ୍ବେ ପୁଟିନ୍‌ ପ୍ରଶାସନ ତାହା କରିନଥିବାରୁ ‘ହୁ’ ଦ୍ବାରା ପୂର୍ବରୁ ଘୋଷିତ ସମ୍ଭାବ୍ୟ ଫଳପ୍ରଦ କୋଭିଡ୍‌ ଟିକା ତାଲିକାରେ ‘ସ୍ପୁଟ୍‌ନିକ୍‌-ଭି’ ସ୍ଥାନ ପାଇନାହିଁ। ପୂର୍ଣ୍ଣ ପରୀକ୍ଷଣ ଆଗରୁ ଟିକାର ବ୍ୟବହାରକୁ ବିରୋଧ କରି ରୁଷିଆ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପ୍ରଖ୍ୟାତ ଫୁସ୍‌ଫୁସ୍‌ ବିଶେଷଜ୍ଞ ଡା.ଆଲେକଡାଣ୍ଡାର ଚୁଚାଲିନ୍‌ ନିଜ ପଦବିରୁ ଇସ୍ତଫା ଦେଇଛନ୍ତି। ‘ସ୍ପୁଟ୍‌ନିକ୍‌-ଭି’ର ସାର୍ବଜନୀନ ବ୍ୟବହାର ପାଇଁ ସରକାର ଯେପରି ତତ୍ପରତା ଦେଖାଇଛନ୍ତି, ତାହା ଭେଷଜ ନୀତି ନିୟମର ଉଲ୍ଲଂଘନ କରୁଛି ବୋଲି ଡା. ଚୁଚାଲିନ୍‌ ଅଭିଯୋଗ କରିଛନ୍ତି। ଅସମ୍ପୂର୍ଣ୍ଣ ଫଳାଫଳ ବିଶିଷ୍ଟ ଉକ୍ତ ଟିକାର ବ୍ୟାବହାରିକ ପଞ୍ଜୀକରଣରେ ରୋକ ଲଗାଇବା ପାଇଁ ଯାବତୀୟ ପ୍ରଚେଷ୍ଟା ସତ୍ତ୍ବେ ବିଫଳ ହେବାରୁ ସେ ରୁଷିଆ ସ୍ବାସ୍ଥ୍ୟ ମନ୍ତ୍ରଣାୟର ନୀତି ନିର୍ଦ୍ଧାରଣ ପରିଷଦ ଛାଡ଼ିବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର