ନୂଆଦିଲ୍ଲୀ : ଶ୍ରୀମନ୍ଦିର ଐତିହ୍ୟ କରିଡର ବିବାଦ ଓଡ଼ିଶାରୁ ଯାଇ ଦିଲ୍ଲୀରେ ଉଠିବା ସହିତ ଆଜି ନାଟକୀୟ ମୋଡ଼ ନେଇଛି। ଏହି ପ୍ରସଙ୍ଗରେ ଆଜି ‌ଲୋକସଭାରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି। ଶୂନ୍ୟକାଳରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିର ନିକଟରେ ଚାଲିଥିବା ନିର୍ମାଣକୁ ବେଆଇନ ଦର୍ଶାଇ ଏହାକୁ ବନ୍ଦ କରିବାକୁ ଦାବି କରିଥିବା ବେଳେ ଏହାର କଡ଼ା ଜବାବ ଦେଇଥିଲେ ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର। ପିନାକୀ ଅପରାଜିତାଙ୍କର ଅଭିଯୋଗକୁ ଅସତ୍ୟ ବୋଲି ବର୍ଣ୍ଣନା କରିବା ସହିତ ରାଜ୍ୟ ସରକାର କେବେ ବି କୌଣସି ବେଆଇନ କାମକୁ ପ୍ରଶୟ ଦିଅନ୍ତି ନାହିଁ ବୋଲି କହିଛନ୍ତି। ଆଜି ଏ ପ୍ରସଙ୍ଗରେ ବିଜେଡି-ବିଜେପି ତର୍କ ଗୃହରେ ସରଗରମ ପରିସ୍ଥିତି ସୃଷ୍ଟି କରିଥିଲା।

Advertisment

publive-image

ଐତିହ୍ୟ କରିଡର ପ୍ରସଙ୍ଗ ଉଠାଇ ଅପରାଜିତା କହିଥିଲେ, ଦେଶର ଚାରିଧାମରୁ ପୁରୀ ଶ୍ରୀଜଗନ୍ନାଥ ଧାମ ଅନ୍ୟତମ। ଏହା ହିନ୍ଦୁମାନଙ୍କର ଆସ୍ଥାର କେନ୍ଦ୍ର। ଦ୍ବାଦଶ ଶତାବ୍ଦୀରୁ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ରକ୍ଷା କରିବା ସମସ୍ତଙ୍କର କର୍ତ୍ତବ୍ୟ। ୧୯୫୮ରେ ସଂସଦରେ ଆମ୍‌ସାର୍ ଆଇନ ପାରିତ ହୋଇଥିଲା। ଏହି ଆଇନରେ ବ୍ୟବସ୍ଥା ରହିଛି ଯେ କୌଣସି ଐତିହ୍ୟସ୍ଥଳରେ ୧୦୦ ମିଟର ନିଷିଦ୍ଧାଞ୍ଚଳ। ଏହା ମଧ୍ୟରେ କୌଣସି ପ୍ରକାର ନୂଆ ନିର୍ମାଣ କାର୍ଯ୍ୟ ‌ହୋଇପାରିବ ନାହିଁ। ଏହାପରେ ୨୦୦ ମିଟରର ରେଗୁଲେଟେଡ ଏରିଆରେ ଯଦି ନିର୍ମାଣ କାର୍ଯ୍ୟ କରାଯିବ ତେବେ ନ୍ୟାସନାଲ ମନ୍ୟୁମେଣ୍ଟର ଅନୁମତି ନେବାକୁ ପଡିଥାଏ। କିନ୍ତୁ ପୁରୀ ଶ୍ରୀମନ୍ଦିର କ୍ଷେତ୍ରରେ ସେପରି କିଛି ହୋଇନାହିଁ। ଆହୁରି ବିଡ଼ମ୍ବନା ହେଲା ସବୁ ନିୟମକୁ ଅଣଦେଖା କରି ତଥା ବେଆଇନଭାବେ ରାଜ୍ୟ ସରକାର ନିଷିଦ୍ଧାଞ୍ଚଳ ଏବଂ ନିୟନ୍ତ୍ରିତ ଅଞ୍ଚଳରେ ବ୍ୟାପକଭାବେ ଖନନ ଓ ଭଙ୍ଗାରୁଜା କାର୍ଯ୍ୟ ଜାରି ରଖିଛନ୍ତି। ଏଏସଆଇ ଓ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟିର ଅନୁମତି ନିଆଯାଇନାହିଁ।

ସାଂସଦ ଆହୁରି କହିଥିଲେ, ବିକାଶ ଓ ସୌନ୍ଦର୍ଯୀକରଣ କାର୍ଯ୍ୟକୁ ଆମେ ସମର୍ଥନ କରୁଛୁ। ହେଲେ ଆଇନର ଉଲ୍ଲଂଘନ କରାଯାଇ ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ। ମନ୍ଦିରକୁ କ୍ଷତି ପହଞ୍ଚାଇବା କାର୍ଯ୍ୟ ତୁରନ୍ତ ବନ୍ଦ କରାଯାଉ। ଯେତେବେଳେ ଏହି ନିର୍ମାଣ ଆରମ୍ଭ ହେଲା ସେ‌ତେବେଳେ ପରାମର୍ଶଦାତା କମିଟି ଗଠନ କରାଯାଇଥିଲା। ହେଲେ ସେଥିରେ ଏଏସ୍‌ଆଇର କୌଣସି ସଦସ୍ୟଙ୍କୁ ରଖାଗଲା ନାହିଁ। ବିନା ଏଏସଆଇରେ କାର୍ଯ୍ୟ କିଭଳି ସଂପାଦିତ କରାଯାଉଛି ସେ ନେଇ ଅପରାଜିତା ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ସେହିପରି ପ୍ରକଳ୍ପର ପ୍ରଭାବ ଆକଳନ ଅଧ୍ୟୟନ କରାଯାଇନାହିଁ। ଏଥି ସହିତ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସର୍ଭେ ହୋଇନାହିଁ ବୋଲି ଅପରାଜିତା ଅଭିଯୋଗ କରିଥିଲେ।

publive-image

ସାଂସଦ କହିଥିଲେ, ଶ୍ରୀଜଗନ୍ନାଥ ମନ୍ଦିରର ଏହା ସୁରକ୍ଷାର ପ୍ରଶ୍ନ। ଏହା ସାଢ଼େ ଚାରି କୋଟି ଓଡିଆଙ୍କ ଭାବାବେଗ ସହିତ ଜଡ଼ିତ। ଏହି ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ତୁରନ୍ତ ହସ୍ତକ୍ଷେପ କରନ୍ତୁ। ବିକାଶର କାର୍ଯ୍ୟ ଆଇନର ପରିଧିରେ ହେଉ। ନ୍ୟାସନାଲ ମନ୍ୟୁମେଣ୍ଟ ଅଥିରିଟିର ଅନୁମତି ନେବା ଅପରିହାର୍ଯ୍ୟ। ବର୍ତ୍ତମାନ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ୧୦୦ ମିଟର ଭିତର ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ସେ ଦାବି କରିଥିଲେ।

ଅପରାଜିତାଙ୍କ ଅଭିଯୋଗ ଉପରେ ପିନାକୀ ମିଶ୍ର ଜବାବ ରଖିଥିଲେ। ପିନାକୀ କହିଥିଲେ, ଶ୍ରୀଜଗନ୍ନାଥ ଐତିହ୍ୟ କରିଡରରେ ଯେଉଁ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି ସେଥିପାଇଁ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟିରୁ ଏନ୍‌ଓସି ହାସଲ କରାଯାଇଛି। ଏହି କାର୍ଯ୍ୟରେ ଏଏସ୍‌ଆଇ ସାମିଲ ରହିଛି। ସେଠାରେ କୌଣସି ପ୍ରକାର ଖନନ କାର୍ଯ୍ୟ ହେଉନାହିଁ ବୋଲି ସୂଚାଇ ଶ୍ରୀ ମିଶ୍ର ସିଧାସଳଖ ଅପରାଜିତାଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ। ସେଠାରେ କେବଳ ୪ ଟି ଶୌଚାଳୟ ନିର୍ମାଣ କରାଯାଉଥିବା କହିଥିଲେ ପିନାକୀ।

ପିନାକୀ ଆହୁରି କହିଥିଲେ ଯେ ନବୀନ ବାବୁଙ୍କ ଉପରେ ଶ୍ରୀଜଗନ୍ନାଥଙ୍କର ବିଶେଷ ଅନୁକମ୍ପା ରହିଛି। ସେଥିପାଇଁ ସେ ୫ ଥର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେଲେଣି। ପିନାକୀ ଅପରାଜିତାଙ୍କୁ ଇଙ୍ଗିତ କରି କହିଥିଲେ, ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀରୂପେ ତାଙ୍କର ଓଡ଼ିଶାର କାର୍ଯ୍ୟ ଅବଧିରେ ସେ ଏକଥା ଅନ୍ତତଃ ଜାଣିଥିବେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ କୌଣସି ନିୟମର ଉଲ୍ଲଂଘନ କରାଯାଏନାହିଁ। ଓଡ଼ିଶାରେ ଆଇନ-ନିୟମ ଅନୁସାରେ ହିଁ ସବୁ କାର୍ଯ୍ୟ ହେଉଛି। ଏଇଥିପାଇଁ ୨୨ ବର୍ଷରୁ ଓଡ଼ିଶାର ଲୋକ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ନିର୍ବାଚିତ କରିଆସୁଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରର ସମ୍ମାନରେ ଆଞ୍ଚ ଆସିବାର ପ୍ରଶ୍ନ ଉଠୁନାହିଁ ବୋଲି ପିନାକୀ ଦୃଢ଼ୋକ୍ତି ପ୍ରକାଶ କରିବା ସହିତ ଅପରାଜିତାଙ୍କ ସଂସଦୀୟ କ୍ଷେତ୍ରରେ ଅବସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିରର କାର୍ଯ୍ୟ ଉପରେ ଧ୍ୟାନ ଦେବା ପାଇଁ ଓଲଟା ତାଙ୍କୁ ପରାମର୍ଶ ଦେଇଥିଲେ।

publive-image

ଅପରାଜିତା-ପିନାକୀଙ୍କ ମଧ୍ୟରେ କଟାକଟି ଭିତରେ କିଛି ସମୟ ଧରି ଗୃହର ବାତାବରଣ ସରଗରମ ହୋଇଯାଇଥିଲା। ବିଜେଡିର ସାଂସଦମାନେ ପିନାକୀଙ୍କ ବକ୍ତବ୍ୟକୁ ସମର୍ଥନ କରୁଥିବା ବେଳେ ବିଜେପି ସାଂସଦଙ୍କ ଅଭିଯୋଗ ଉପରେ ଆପତ୍ତି କରିଥିଲେ। ସେପଟେ ଗୃହ କମିଟି ଗଠନ କରଯାଉ ବୋଲି ସେ ତାଙ୍କ ଆସନରୁ କହୁ୍‌ଥିବା ଦେଖିବାକୁ ମିଳିଥିଲା। ତେବେ ପିନାକୀ କହିଥିଲେ, ରାଜ୍ୟ ସରକାର ଗୃହ କମିଟି ଗଠନ କରିସାରିଲେଣି। ଯଦି ଆପଣ ଆଉ କିଛି କମିଟି ଗଠନ କରିବା ପାଇଁ ଚାହୁଁଛନ୍ତି ତାହେଲେ କରନ୍ତୁ ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ, ଗତକାଲି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଭାରତୀୟ ପ୍ରତ୍ନତତ୍ବ ବିଭାଗର ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ଏହାର ସୁରକ୍ଷା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ।

ଶ୍ରୀମନ୍ଦିର ସୁରକ୍ଷା ଅନୁଧ୍ୟାନ ପାଇଁ ଗୃହ କମିଟି

ଭୁବନେଶ୍ବର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦ୍ବାରା ଶ୍ରୀମନ୍ଦିର ପ୍ରତି ବିପଦ ଅଛି କି ନାହିଁ? ଏହାର ଅନୁଧ୍ୟାନ କରିବାକୁ ବୁଧବାର ବି ବିଧାନସଭାର ଗୃହ କମିଟି ଗଠନ କରାଯାଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ପ୍ରତାପ ଜେନା, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଶାସକ ଦଳର ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ଅତନୁ ସବ୍ୟସାଚ୍ଚୀ ନାୟକ, ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ସଦସ୍ୟ ରହିଛି। ଏହି କମିଟି ପୁରୀ ଯାଇ ପ୍ରକଳ୍ପର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି।

ଗତ ୨୯ ତାରିଖରେ ଶ୍ରୀମନ୍ଦିରର ସୁରକ୍ଷା ପ୍ରସଙ୍ଗରେ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଏହି ପ୍ରସଙ୍ଗ ଉଠାଇବା ସହ ଗୃହ କମିଟି ଗଠନ କରିବାକୁ ଦାବି କରିଥିଲେ। କମିଟି ଗଠନ ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସରକାରଙ୍କ ପକ୍ଷରୁ ସମ୍ମତି ଜଣାଇଥିଲେ।