ଲଣ୍ଡନ : ବ୍ରିଟିସ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ୧୦ ଡାଉନିଂ ଷ୍ଟ୍ରିଟ୍ ବଗିଚାରେ ୧.୩ ନିୟୁତ ପାଉଣ୍ଡ ମୂଲ୍ୟର ବ୍ରୋଞ୍ଜ ନିର୍ମିତ କାରୁକୃତି (ମୂର୍ତ୍ତି)) ସ୍ଥାପନକୁ ନେଇ ବିବାଦ ସୃଷ୍ଟି ହୋଇଛି। ବିଖ୍ୟାତ ଇଂଲିଶ ସ୍ଥପତି ସ୍ବର୍ଗତ ହେନରି ମୁରଙ୍କ ଦ୍ବାରା ୧୯୮୦ ଦଶକରେ ନିର୍ମିତ ‘ୱାର୍କିଂ ମଡେଲ ଫର ସିଟେଡ୍ ୱମ୍ୟାନ’ ସମ୍ଭବତଃ ନିଲାମରେ ବିକ୍ରି ହୋଇଥିଲା ଏବଂ ତାକୁ ଗତମାସରେ ସରକାରୀ ପାଣ୍ଠିରେ ପରିଚାଳିତ ଗଭର୍ଣ୍ଣମେଣ୍ଟ ଆର୍ଟ କଲେକ୍ସନ ଦ୍ବାରା କିଣାଯାଇଛି। କିନ୍ତୁ ଯେତେବେଳେ ଇଂଲଣ୍ଡ ମୁ୍ରାସ୍ଫୀତି ଓ ଆର୍ଥିକ ସଂକଟ ଦେଇ ଗତି କରୁଛି ଏବଂ ସବୁ କ୍ଷେତ୍ରରେ ସରକାର ଖର୍ଚ୍ଚକାଟ କରିବାକୁ ବାଧ୍ୟ ହେଉଛନ୍ତି, ସେତେବେଳେ ସରକାରୀ ଅର୍ଥରେ ଏହି ଦାମୀ ମୂର୍ତ୍ତି କିଣାକୁ ବିରୋଧ କରାଯାଇଛି।
ତେବେ ଡାଉନିଂ ଷ୍ଟ୍ରିଟ୍ ପକ୍ଷରୁ କୁହାଯାଇଛି ଯେ ଏହି ମୂର୍ତ୍ତି କିଣା ନେଇ କୌଣସି ରାଜନେତା ନିଷ୍ପତ୍ତି ନେଇନାହାନ୍ତି। ୧୦ ଡାଉନିଂ ଷ୍ଟ୍ରିଟ୍ ଉଦ୍ୟାନରେ ମୁରଙ୍କ ଏକ କାରୁକୃତି ଗତ ୪୦ ବର୍ଷ ହେଲା ରଖାଯାଇ ଆସୁଛି। ସ୍ବର୍ଗତ ମୂର୍ତ୍ତିକାରଙ୍କ ଦାତବ୍ୟ ଅନୁଷ୍ଠାନର ଅନୁରୋଧକ୍ରମେ ଏହି ମୂର୍ତ୍ତିକୁ ନିୟମିତ ବ୍ୟବଧାନରେ ପରିବର୍ତ୍ତନ କରାଯାଇଥାଏ। ସେହି କ୍ରମରେ ଏହି ପରିବର୍ତ୍ତନ ଘଟିଛି। ତେଣୁ ଏହାକୁ ନେଇ ଅଯଥାରେ ବିବାଦ କରାଯିବା ଠିକ୍ ନୁହେଁ।