ବିବିସି ସିରିଜ୍‌ ନେଇ ତେଜୁଛି ବିବାଦର ନିଆଁ: ଅଶାନ୍ତ ବିଶ୍ବବିଦ୍ୟାଳୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରସ୍ତୁତ ବିବିସି ଡକୁମେଣ୍ଟାରିକୁ ନେଇ ସ୍କ୍ରିନିଂ ୱାର୍‌ ଆରମ୍ଭ ହୋଇଯାଇଛି। ବିଭିନ୍ନ ବିଶ୍ବବିଦ୍ୟାଳୟରେ ଏହି ଡକୁମେଣ୍ଟାରି ପ୍ରଦର୍ଶନ ପାଇଁ ଯୋଜନା ହୋଇଥିବା ବେଳେ ଏହାକୁ ବିରୋଧ କରିବାରୁ ସଂଘର୍ଷ ଉପୁଜିଛି। ଜେଏନ୍‌ୟୁ, ଜାମିଆ ମିଲିଆ , ଦିଲ୍ଲୀ ଏବଂ ଆମ୍ବେଦକର ବିଶ୍ବବିଦ୍ୟାଳୟରେ ଏହି ଡକୁମେଣ୍ଟାରି ପ୍ରଦର୍ଶନକୁ କେନ୍ଦ୍ରକରି ହିଂସା ହୋଇଛି। ଅନ୍ୟପକ୍ଷେ ଆଜି ଟିସ୍‌ (ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ) ମୁମ୍ବାଇ ବାହାରେ ବିବିସି ଡକୁମେଣ୍ଟାରି ପ୍ରଦର୍ଶନକୁ ବିରୋଧ କରି ଆନ୍ଦୋଳନ ହୋଇଛି। ବିଜେପି ଯୁବମୋର୍ଚ୍ଚା ବିବାଦୀୟ ସିରିଜ ପ୍ରଦର୍ଶନ ପାଇଁ ନିର୍ଦ୍ଦିଷ୍ଟ ଛାତ୍ରଗୋଷ୍ଠୀଙ୍କ ଯୋଜନାକୁ ବିରୋଧ କରି ବିଶ୍ବବିଦ୍ୟାଳୟ ପରିସର ବାହାରେ ଆନ୍ଦୋଳନ କରିଛି। ପିଏସଏଫ୍‌ (‌ପ୍ରୋଗ୍ରେସିଭ ଷ୍ଟୁଡେଣ୍ଟ୍‌ସ ଫୋରମ୍‌) ଦ୍ବାରା ଆଜି ଡକୁମେଣ୍ଟାରି ପ୍ରଦର୍ଶନ ପାଇଁ ଯୋଜନା ହୋଇଥିଲା। ପ୍ରଦର୍ଶନରୁ ବିରତ ରହିବାପାଇଁ ବିଶ୍ବବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଶୁକ୍ରବାର ଏକ ନୋଟିସ ଜାରି ହୋଇଥିଲେ ମଧ୍ୟ ଏହାକୁ ଗୋଟିଏ ଗୋଷ୍ଠୀ ପ୍ରତ୍ୟାଖ୍ୟାନ କରି ସିରିଜ୍‌ ପ୍ରଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ ବିଶ୍ବବିଦ୍ୟାଳୟଗୁରେ ବିବିସି ସିରିଜ୍‌କୁ ନେଇ ଅଶାନ୍ତକର ସ୍ଥିତି ଲାଗି ରହିଥିବା ବେଳେ ଭାରତ ବିରୋଧୀ ସ୍ଲୋଗାନ ଦିଆଯିବା ଚିନ୍ତାର କାରଣ ହୋଇଛି।

ମୁମ୍ବାଇ ଟିସ୍‌ରେ ସିରିଜ୍‌ ବିରୋଧୀ ଆନ୍ଦୋଳନ
ଡିୟୁ, ଜେଏନ୍‌ୟୁ, ଜାମିଆରେ ବି ଉତ୍ତେଜନା
ସୁରକ୍ଷା କଡ଼ାକଡ଼ି

ଭାରତରେ ସାଂପ୍ରଦାୟିକ ବିଦ୍ବେଷ ସୃଷ୍ଟି କରିବା ଏବଂ ଭାରତର ନ୍ୟାୟିକ ବ୍ୟବସ୍ଥାକୁ ବଦନାମ କରିବା ବିବିସି ସିରିଜ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିବାରୁ ସରକାର ଏହା ଉପରେ କଟକଣା ଜାରି କରିଛନ୍ତି। ତେବେ ଏହା ସତ୍ତ୍ବେ ବିଭିନ୍ନ ବିଶ୍ବବିଦ୍ୟାଳୟରେ କଂଗ୍ରେସ ଏବଂ ବାମଦଳ ସମର୍ଥିତ ଛାତ୍ରଗୋଷ୍ଠୀଗୁଡ଼ିକ ଏହି ସିରିଜ ପ୍ରଦର୍ଶନ ପାଇଁ ଅଡ଼ି ବସିଛନ୍ତି। ଏହାକୁ ନେଇ ବିଶ୍ବବିଦ୍ୟାଳୟଗୁଡ଼ିକ ଏବେ ବିବାଦର କେନ୍ଦ୍ର ପାଲଟିଯାଇଛି । ଭାରତ ଏବେ ଜି-୨୦ର ଅଧ୍ୟକ୍ଷତା କରୁଥିବାରୁ ବୈଶ୍ବିକସ୍ତରରେ ଭାରତକୁ ବଦନାମ କରିବା ପାଇଁ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ମଧ୍ୟ ହେଉଛି ବୋଲି ବିଭିନ୍ନ ମହଲ ମତ ଦେଉଛନ୍ତି।

ବ୍ରିଟିସ ଅତ୍ୟାଚାର ଉପରେ କାହିଁକି ସିରିଜ୍‌ ପ୍ରସ୍ତୁତ ହୋଇନି: ‌କେରଳ ରାଜ୍ୟପାଳ

ନୂଆଦିଲ୍ଲୀ: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ ଆଜି ବିବିସି ଡକୁମେଣ୍ଟାରିକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଛନ୍ତି। ରାଜ୍ୟପାଳ କହିଛନ୍ତି, ବିବିସି ଡକୁମେଣ୍ଟାରିର ପ୍ରସ୍ତୁତକାରୀମାନେ ଗୁଜରାଟ ଦଙ୍ଗା ଉପରେ ଡକୁମେଣ୍ଟାରି ପ୍ରସ୍ତୁତ କଲେ। କିନ୍ତୁ ସେମାନେ ବ୍ରିଟିସ ଅତ୍ୟାଚାର ଉପରେ କୌଣସି ଡକୁମେଣ୍ଟାରି କାହିଁକି ପ୍ରସ୍ତୁତ କରିନାହାନ୍ତି। ଆରିଫ କହିଛନ୍ତି, ଉକ୍ତ ବିବିସି ଡକୁମେଣ୍ଟାରି ଅତ୍ୟନ୍ତ ଅସନ୍ତୋଷଜନକ। ସମଗ୍ର ବିଶ୍ବରେ ଭାରତର କାର୍ଯ୍ୟ ପ୍ରତି ଭଲ ସମର୍ଥନ ରହିଛି। ଏଭଳି ସମୟରେ ଏହି ବିବିସି ଡକୁମେଣ୍ଟାରିକୁ କେବଳ ଏକ ମନ୍ଦ ଉଦ୍ଦେଶ୍ୟ ରଖି ସାମ୍ନାକୁ ଅଣାଯାଇଛି। ରାଜ୍ୟପାଳ କହିଛନ୍ତି, ମତେ ଏହା ଖୁବ୍‌ ଦୁଃଖ ଦେଇଛି ଯେ ଆମ ଦେଶର କିଛି ଲୋକ ଅଦାଲତଙ୍କ ରାୟ ଅପେକ୍ଷା ବିବିସି ଡକୁମେଣ୍ଟାରି ଉପରେ ଅଧିକ ଭରସା କରିଛନ୍ତି। ଭାରତ ଜି-୨୦ର ଅଧ୍ୟକ୍ଷତା କରୁଥିବାବେଳେ ଏହି ସମୟ‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରସ୍ତୁତ କରାଯାଇଥିବା ବିବିସି ଡକୁମେଣ୍ଟାରିକୁ ନେଇ ବିଭିନ୍ନ ମହଲ କଡ଼ା ନିନ୍ଦା କରିଛନ୍ତି।

ଦିଲ୍ଲୀ ବିଶ୍ବବିଦ୍ୟାଳୟ ସଂଘର୍ଷର ତଦନ୍ତ କରିବ ୭ ଜଣିଆ କମିଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀଙ୍କ ଉପରେ ବିବିସି ଡକୁମେଣ୍ଟାରି ପ୍ରଦର୍ଶନକୁ କେନ୍ଦ୍ରକରି ବିବା‌ଦ ଘନେଇବାରେ ଲାଗିଛି। ଗତକାଲି ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏହି ଡକୁମେଣ୍ଟାରି ପ୍ରଦର୍ଶନକୁ କେନ୍ଦ୍ର କରି ସଂଘର୍ଷ ହୋଇଥିଲା। ଉକ୍ତ ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଆଜି ୭ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଛନ୍ତି। ଡିୟୁ ପ୍ରୋକ୍ଟର ରଜନୀ ଆବ୍ବି ଏହି କମିଟିର ମୁଖ୍ୟ ରହିଛନ୍ତି। ଜାନୁଆରି ୩୦ ସନ୍ଧ୍ୟା ୫ଟା ସୁଦ୍ଧା ପ୍ରୋକ୍ଟର ଏନେଇ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ବିଶ୍ବବିଦ୍ୟାଳୟ ପରିସରରେ ଶୃଙ୍ଖଳା ବଜାୟ ରଖିବାପାଇଁ ଭିସି ଏହି କମିଟି ଗଠନ କରିଛନ୍ତି। ୨୭ ତାରିଖ ଦିନ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଫାକଲ୍ଟି ଅଫ୍‌ ଆର୍ଟସ ପରିସର ବାହାରେ ହୋଇଥିବା ହିଂସା ଘଟଣାର ଏହି କମିଟି ତଦନ୍ତ କରିବ। ବିଶ୍ବବିଦ୍ୟାଳୟ ବାହାରୁ କିଛି ଗୋଷ୍ଠୀ ଡକୁମେଣ୍ଟାରି ପ୍ରଦର୍ଶନ ପାଇଁ ଚେଷ୍ଟା କରୁଛନ୍ତି ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର