ଶୌଚାଳୟରେ ଲଗାଗଲା ଅଶୋକ ସ୍ତମ୍ଭ ଚିତ୍ରିତ ଟାଇଲସ, ତେଜିଲା ବିବାଦ

ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାର ଶୌଚାଳୟମାନଙ୍କରେ ଭାରତର ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ଭର ଚିତ୍ର ଥିବା ଟାଇଲସ ଲଗାଯାଇଥିବା ଦେଖିବାକୁ ମିଳିଛି | ତିନି ମାସ ପରେ ଏଭଳି ଅଭିଯୋଗ ଆସିବା ପରେ ଏବେ ଏହି ଟାଇଲସ ସବୁକୁ ହଟାଯାଇଛି | ଏହି ସବୁ ଟାଇଲସ ସ୍ଵଛ ଭାରତ ଅଭିଯାନ ଯୋଜନାରେ ନିର୍ମାଣ ହୋଇଥିବା ଶୌଚାଳୟରେ ଲଗାଯାଇଥିଲା | କୁହାଯାଉଛି ସ୍ଵଛ ଭାରତ ଅଭିଯାନ ଦ୍ୱାରା ୩୦୦ ଶୌଚାଳୟ ନିର୍ମାଣ କରାଯାଇଥିଲା |

ତିନିମାସ ପୂର୍ବରୁ ଏହି ସବୁ ଶୌଚାଳୟ ନିର୍ମାଣ କରାଯାଇଥିଲା | ତେବେ ଜଣେ ବ୍ୟକ୍ତି ଏହାର ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ | ଏହାପରେ ଘଟଣାଟି ସାମ୍ନାକୁ ଆସିଥିଲା | ପରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା | ଏହାପରେ ଲଗାଯାଇଥିବା ଟାଇଲସକୁ ହଟାଯାଇଥିଲା |

ଜିଲ୍ଲା ପଂଚାୟତ ଅଧିକାରୀ ଅମରଜିତ ସିଂ କହିଛନ୍ତି ଯେ କିଛି ଶୌଚାଳୟରେ ଏଭଳି ଟାଇଲସ ଲଗାଯାଇଥିବାର ସୂଚନା ମିଳିଛି | ଏହାକୁ ନେଇ ଯାଞ୍ଚ ଜାରି ରହିଛି | ତେବେ ଅଶୋକ ସ୍ତମ୍ଭକୁ ଏଭଳି ଅପମାନ କରାଯାଇଥିବାରୁ ଶୌଚାଳୟ ନିର୍ମାଣ କରିଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି |

ସମ୍ବନ୍ଧିତ ଖବର