ଭୁଲ ବୁଝାମଣା ପାଇଁ କୁଚ୍ ବିହାରରେ ଲୋକେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ : ନିର୍ବାଚନ କମିସନ

କୋଲକାତା: ଆଜି ପଶ୍ଚିମବଙ୍ଗର କୁଚ୍‌ ବିହାର ଜିଲ୍ଲା ଅନ୍ତର୍ଗତ ସୀତଲକୁଚି ମତଦାନ ବୁଥ ବାହାରେ ସଂଘର୍ଷ ଘଟି ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁବରଣ କରିଥିବା ୪ଜଣ ବ୍ୟକ୍ତି ଟିଏମସି କର୍ମୀ ଥିଲେ ବୋଲି ଜଣାପଡ଼ିଥିବା ବେଳେ ଏବେ ଏହି ଘଟଣାକୁ ନେଇ ପରସ୍ପରକୁ ଦାୟୀ କରୁଛନ୍ତି ବିଜେପି ଓ ଟିଏମସି। ଘଟଣା ଘଟିବା ପରେ ଏହା ପଛର କାରଣ ତଦନ୍ତ କରି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ କହିଥିଲେ ନିର୍ବାଚନ କମିସନ। ଏବେ ରିପୋର୍ଟ ଆସିଥିବା ବେଳେ ଭୁଲ ବୁଝାମଣା ପାଇଁ ୪ଜଣଙ୍କ ଜୀବନ ଚାଲିଯାଇଥିବା କହିଛନ୍ତି ନିର୍ବାଚନ କମିସନ।

ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ କମିସନ ପକ୍ଷରୁ କୁହାଯାଇଛି ଯେ, ସୀତଲକୁଚିର ବୁଥ ନମ୍ବର ୧୨୬ରେ ମତଦାନ ଚାଲିଥିବା ବେଳେ ମାନିକ ମହମ୍ମଦ ନାମକ ଜଣେ ବାଳକ ଅସୁସ୍ଥ ‌ହୋଇପଡ଼ିବାରୁ ୨-୩ଜଣ ସ୍ଥାନୀୟ ମହିଳା ତାଙ୍କର ଦେଖାଶୁଣା କରୁଥିଲେ। ସେହି ପୋଲିଂ ବୁଥରେ ମୁତୟନ ଥିବା ସିଆଇଏସଏଫ କର୍ମୀ ବାଳକଙ୍କ ସ୍ବାସ୍ଥ୍ୟାବସ୍ଥା ବଝିବା ସହ ଡାକ୍ତରଖାନା ନେବା ପାଇଁ ପୁଲିସ ଗାଡ଼ି ଦରକାର କି ବୋଲି ପ୍ରଶ୍ନ କରିଥିଲେ। କିନ୍ତୁ ବାହାରେ ଥିବା ଲୋକେ ସିଆଇଏସଏଫ କର୍ମୀ ବାଳକକୁ ମାଡ଼ ମାରିଥିବା ଭାବି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ୩୦୦ରୁ ୪୦୦ ଗ୍ରାମବାସୀ ସୁରକ୍ଷା କର୍ମୀ ଓ ପୁଲିଂ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏହାପରେ ଘଟଣା ବିସ୍ଫୋରକ ରୂପ ନେଇଥିଲା। ସୁରକ୍ଷା କର୍ମୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଗୁଳିଚାଳନା କରିଥିଲେ। ଏହାଫଳରେ ୪ଜଣଙ୍କର ଜୀବନ ଯାଇଛି।

cooch behar firing deaths
indiatoday

ଏହି ଘଟଣା ପରେ ପଶ୍ଚିମବଙ୍ଗରେ ଶୃଙ୍ଖଳାର ସହ ମତଦାନ ଲାଗି ସିଏପିଏଫର ଅତିରିକ୍ତ କମ୍ପାନି ମୁତୟନ କରାଯିବ ବୋଲି ଜଣାପଡ଼ିଛି। ବିଏସ୍ଏଫର ୩୩ଟି କମ୍ପାନି, ସିଆରପିଏଫର ୧୨ଟି କମ୍ପାନି, ଆଇଟିବିପିର ୧୩ଟି କମ୍ପାନି, ଏସଏସବିର ୯ଟି କମ୍ପାନି ଏବଂ ସିଆଇଏସଏଫର ୪ଟି କମ୍ପାନି ନିୟୋଜିତ ହେବେ। ମୋଟ ୭୧କମ୍ପାନି ନିୟୋଜିତ ହେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର