ନୂଆଦିଲ୍ଲୀ : ଆଇଫୋନ୍ ନିର୍ମାତା ଆପଲ୍ର ସିଇଓ ଟିମ୍ କୁକ୍ ନିଜ ପାଞ୍ଚଦିନିଆ ଭାରତ ଗସ୍ତ ସାରି ଆମେରିକା ଫେରିଯାଇଛନ୍ତି। ଯିବା ବେଳେ ସେ ଟ୍ବିଟରରେ ଜଣାଇଛନ୍ତି ଯେ ମୁଁ ପୁଣି ଥରେ ଫେରିବାକୁ ଆଉ ପ୍ରତୀକ୍ଷା କରିପାରୁନି। ଭାରତ ଗସ୍ତରେ ସେ ଅନେକ ସ୍ମୃତି ନେଇ ସ୍ବଦେଶ ଫେରିଛନ୍ତି। ଫେରିବା ପୂର୍ବରୁ ସେ ଭାରତୀ ଏୟାରଟେଲ୍ର ଅଧ୍ୟକ୍ଷ ସୁନିଲ ମିତ୍ତଲଙ୍କୁ ସାକ୍ଷାତ କରିଛନ୍ତି। ଭାରତ ଓ ଆଫ୍ରିକାରେ ଆପଲ ଓ ଏୟାରଟେଲ୍ ମଧ୍ୟରେ ସହଯୋଗିତାକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କୁକ୍ ନିଜ ଭାରତ ଗ୍ରସ୍ତ ଆରମ୍ଭ କରିବା ପରେ ଗତ ସପ୍ତାହରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନି ଓ ତାଙ୍କ ପରିବାର ସଦସ୍ୟଙ୍କୁ ମୁମ୍ବାଇ ସ୍ଥିତ ମୁକେଶଙ୍କ ବାସଭବନ ଆଣ୍ଟିଲିଆରେ ଭେଟିଥିଲେ।
ମୁମ୍ବାଇ ଓ ଦିଲ୍ଲୀରେ ଆପଲ୍ ନିଜର ଦୁଇଟି ଅଫିସିଆଲ୍ ଷ୍ଟୋର୍ ଖୋଲି ଦେଶରେ ଏହାର ଉପସ୍ଥିତିକୁ ଜାହିର କରିଛି। ଏହି ଦୁଇ ଷ୍ଟୋର ଖୋଲିବାକୁ ଭାରତ ଆସିଥିବା କୁକ୍ଙ୍କ ଗସ୍ତ ବେଶ ଘଟଣା ବହୁଳ ଥିଲା। ସେ ଷ୍ଟୋର୍ ଉଦ୍ଘାଟନ କରିବା ବ୍ୟତୀତ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଏହି ଗସ୍ତକୁ ବେଶ ସ୍ମରଣୀୟ କରିପାରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କ୍ରୀଡ଼ା ଜଣେ ସଚ୍ଚୋଟ ପ୍ରଶଂସକ ଭାବେ ସେ ବ୍ୟାଡ୍ମିଣ୍ଟନ ତାରକାଙ୍କୁ ଭେଟିଥିଲେ ଏବଂ ଦିଲ୍ଲୀରେ ଆଇପିଏଲ୍ ମ୍ୟାଚ୍ ମଧ୍ୟ ଦେଖିଥିଲେ। ସେ ବିଭିନ୍ନ ଡେଭେଲପରମାନଙ୍କୁ ମଧ୍ୟ ଭେଟିଥିଲେ। ପୁଜାଙ୍କ କିଚେନ୍ରେ ବିଭିନ୍ନ ରଙ୍ଗବେରଙ୍ଗର ପାଉଁରୁଟି ଦେଖି ତାହାକୁ ପ୍ରଶଂସା କରିଥିଲେ। ଅପେକ୍ଷା ମେକର ଓ ଜୋସୁଆ କାର୍ତ୍ତିକଙ୍କ ଫୁଲ ପାଖୁଡ଼ାରେ ତିଆରି ରଙ୍ଗୋଲି ଦେଖି ବିମୋହିତ ହୋଇଥିଲେ।