ଦେଶରେ ବଢ଼ିବାରେ ଲାଗିଛି ବିଦ୍ୟୁତ ଦ୍ୱାରା ରୋଷେଇ କରିବାର ଧାରା

ନୂଆଦିଲ୍ଲୀ: ଦିନକୁ ଦିନ ଏଲପିଜି ସିଲିଣ୍ଡର ମହଙ୍ଗା ହୋଇଯାଉଥିବାରୁ ଦେଶରେ ବୈଦ୍ୟୁତିକ ଚୁଲା(ଇଂଡକ୍ସନ) ଏବଂ ଉପକରଣରେ ରୋଷେଇ କରିବାର ଧାରା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ, ଦିଲ୍ଲୀ ଏବଂ ତାମିଲନାଡୁର ୧୭ ପ୍ରତିଶତ ପରିବାର ବୈଦ୍ୟୁତିକ ଉପକରଣ ବ୍ୟବହାର କରି ଖାଦ୍ୟ (ଇ-କୁକିଙ୍ଗ) ରାନ୍ଧୁଛନ୍ତି। କାଉନ୍ସିଲ ଅନ ଏନର୍ଜି, ଏନଭାୟାରମେଣ୍ଟ ଆଣ୍ଡ ୱାଟର(ସିଇଇଡବ୍ଲ୍ୟୁ) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଏହା କୁହାଯାଇଛି।

ସୋମବାର ପ୍ରକାଶିତ ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ଯେ ଦିଲ୍ଲୀ, ତାମିଲନାଡୁ, ତେଲେଙ୍ଗାନା, ଆସାମ ଏବଂ କେରଳରେ ଇଂଡକ୍ସନ ଚୁଲା, ଇଲେକ୍ଟ୍ରିକ କୁକର ଏବଂ ମାଇକ୍ରୋୱେଭ୍ ଓଭନ ଭଳି ବୈଦ୍ୟୁତିକ ଉପକରଣର ବ୍ୟବହାର ଧୀରେ ଧୀରେ ବୃଦ୍ଧି ପାଉଛି। ଦିଲ୍ଲୀ ଏବଂ ତାମିଲନାଡୁର ୧୭ ପ୍ରତିଶତ ପରିବାର ରୋଷେଇ ପାଇଁ ବୈଦ୍ୟୁତିକ ମାଧ୍ୟମକୁ ଆପଣାଇଛନ୍ତି | ସେହିପରି ତେଲେଙ୍ଗାନାରେ ୧୫ ପ୍ରତିଶତ, କେରଳ ଏବଂ ଆସାମରେ ୧୨ ପ୍ରତିଶତ ପରିବାର ଆଂଶିକ ‘ଇ-ରନ୍ଧନ’ ବ୍ୟବସ୍ଥା ଗ୍ରହଣ କରିଛନ୍ତି।

୨୧ଟି ରାଜ୍ୟର ୧୫୨ଟି ଜିଲ୍ଲାର ମୋଟ ୧୫,୦୦୦ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରୁ ସଂଗୃହିତ ତଥ୍ୟ ଉପରେ ଏହି ରିପୋର୍ଟ ପ୍ରକାଶ ପାଇଛି |ଏଠାରେ ଉଲ୍ଲେଖଯୋଗ୍ୟ ଯେ ସରକାର ଚଳିତ ବର୍ଷ ଫେବୃଆରୀରେ ରୋଷେଇ ପାଇଁ ‘ଗୋ ଇଲେକ୍ଟ୍ରିକ୍’ ଅଭିଯାନ ଆରମ୍ଭ କରିଥିଲେ। ସିଇଇଡବ୍ଲ୍ୟୁ ଅଧ୍ୟୟନ ଅନୁଯାୟୀ, ୯୩ ପ୍ରତିଶତ ପରିବାର ଏଲପିଜି ଗ୍ୟାସ୍ ଉପରେ ନିର୍ଭର କରନ୍ତି ଏବଂ ଆବଶ୍ୟକ ସମୟରେ ବ୍ୟବହାର ପାଇଁ ବୈଦ୍ୟୁତିକ ଉପକରଣ ବ୍ୟବହାର କରୁଛନ୍ତି |

ସମ୍ବନ୍ଧିତ ଖବର