ସୀତାମାଢ଼ି: ବିହାରର ଏକ ଛୋଟିଆ କଥାକୁ ନେଇ ପେଟ୍ରୋଲ୍ ପମ୍ପ୍ ଭିତରେ ତୁମୁଳ କାଣ୍ଡ ଘଟିଛି। ଜଣେ ପୁଲିସ୍ ଅଧିକାରୀ ଓ ପେଟ୍ରୋଲ୍ ପମ୍ପ୍ କର୍ମଚାରୀଙ୍କ ମଧ୍ୟରେ ଛୋଟ କଥା ପାଇଁ ବିରାଟ ଗଣ୍ଡଗୋଳ ଉପୁଜିଥିବା ଦେଖିବାକୁ ମିଳିଛି।
ସୂଚନା ମୁତାବକ, ପୁଲିସ୍ ଅଧିକାରୀ ଜଣକ ପେଟ୍ରୋଲ୍ ପମ୍ପ୍ରେ ଯାଇ ୧୨୦ ଟଙ୍କାର ତେଲ ଗାଡ଼ିରେ ପକାଇବାକୁ କହିଥିଲେ। ମାତ୍ର ପେଟ୍ରୋଲ୍ ପମ୍ପ୍ କର୍ମଚାରୀ ତାଙ୍କ ଗାଡ଼ିରେ ଭୁଲ୍ବଶତଃ ୭୨୦ ଟଙ୍କାର ପକାଇ ଦେଇଥିଲେ। ଏହି କଥାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଖୁବ୍ ଜୋର୍ରେ ପାଟିତୁଣ୍ଡ ହୋଇଥିଲା। ଏପରିକି ତାହା ମାଡ଼ଗୋଳ ପର୍ଯ୍ୟନ୍ତ ବି ଯାଇଥିଲା।
ଏହି ଘଟଣାଟି ବିହାରର ସୀତାମାଢ଼ି ଜିଲ୍ଲାରେ ଘଟିଛି। ଯେଉଁଠାରେ ପୁଲିସ ଅଧିକାରୀ ତାଙ୍କ ଗାଡ଼ିରେ ପେଟ୍ରୋଲ ଭର୍ତ୍ତି କରିବାକୁ ଯାଇଥିଲେ। ସେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ୧୨୦ ଟଙ୍କାର ପେଟ୍ରୋଲ ଦେବାକୁ କହିଥିଲେ। କିନ୍ତୁ, କର୍ମଚାରୀ ଭୁଲବଶତଃ ୭୨୦ ଟଙ୍କା ପେଟ୍ରୋଲ ଢାଳି ଦେଇଥିଲେ। ଏଥିରେ କ୍ରୋଧିତ ହୋଇ ପୁଲିସ ଜଣକ କର୍ମଚାରୀଙ୍କୁ ଚାପୁଡ଼ା ମାରିଥିଲେ। କିନ୍ତୁ ପରବର୍ତ୍ତୀ ଘଟଣା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। କାରଣ ପେଟ୍ରୋଲ ପମ୍ପର ଅନ୍ୟ କର୍ମଚାରୀମାନେ ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ।
ଘଟଣାର ଏକ ଭିଡିଓ କ୍ୟାମେରାରେ କଏଦ ହୋଇଛି। ଯେଉଁଥିରେ ଜଣେ କର୍ମଚାରୀ ପୁଲିସ କର୍ମଚାରୀଙ୍କୁ ଅତି କମରେ ଚାରିରୁ ପାଞ୍ଚ ଥର ଚାପୁଡ଼ା ମାରୁଥିବାର ଦେଖାଯାଉଛି। ଅନ୍ୟ ଜଣେ କର୍ମଚାରୀ ମଧ୍ୟ ଅଧିକାରୀଙ୍କୁ ମାଡ଼ ମାରିଛନ୍ତି। ଏହାକୁ ନେଇ ଏକ ମାମଲା ରୁଜୁ କରାଯାଇଛି ଏବଂ ପୁଲିସ ଏହାର ତଦନ୍ତ କରୁଛି ବୋଲି ଅଧିକାରୀମାନେ କହିଛନ୍ତି।