ହରିୟାଣା ଓ ଝାଡ଼ଖଣ୍ଡ ପରେ ଗୁଜୁରାଟରେ ପୁଲିସ କର୍ମଚାରୀଙ୍କୁ ଗାଡି ଚଢାଇ ହତ୍ୟା କଲେ ଦୃବୁର୍ତ୍ତ
ଗତ ୨୪ ଘଣ୍ଟା ମଧ୍ୟରେ ତୃତୀୟ ଘଟଣା
ଅହମ୍ମଦାବାଦ: ହରିୟାଣା ଏବଂ ଝାଡ଼ଖଣ୍ଡ ପରେ ଗୁଜୁରାଟରେ ମଧ୍ୟ ଜଣେ ପୁଲିସ କର୍ମଚାରୀଙ୍କୁ ଗାଡି ଚଢାଇ ହତ୍ୟା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ତିନିଜଣ ପୁଲିସ କର୍ମୀଙ୍କୁ ହତ୍ୟା କରାଯିବା ଘଟଣାକୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଗୁଜୁରାଟର ବୋରସାଦରେ ଜଣେ ପୁଲିସ୍ କନଷ୍ଟେବଳଙ୍କ ଉପରେ ଗାଡି ଚଢାଇ ଦିଆଯାଇଥିଲା |କରାଯାଇଥିଲା। କୁହାଯାଉଛି ଯେ ରାଜସ୍ଥାନର ଏକ ସନ୍ଦିଗ୍ଧ ଟ୍ରକ୍ ଦିନ ପ୍ରାୟ ୧ଟା ସମୟରେ ଦ୍ରୁତବେଗରେ ଯାଉଥିବାବେଳେ ପୁଲିସ କନେଷ୍ଟବଳ କିରଣ ରାଜଙ୍କର ଏହା ଉପରେ ସନ୍ଦେହ ହୋଇଥିଲା | ଆଉ ସେ ଏହି ଟ୍ରକକୁ ଅଟକାଇବାବେଳେ ଡ୍ରାଇଭର ଜଣକ ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଦେବା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି ।
ଦୁର୍ଘଟଣା ପରେ କନେଷ୍ଟବଳ ଜଣକ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ତେବେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ଥାଉ କି ଏହି ଘଟଣାକୁ ମିଶାଇ ଗତ ୨୪ ଘଣ୍ଟା ମଧ୍ୟରେ ତିନିଜଣ ପୁଲିସ କର୍ମୀଙ୍କୁ ଦୃବୁର୍ତ୍ତମାନେ ହତ୍ୟା କରିଛନ୍ତି | ମଙ୍ଗଳବାର ରାତିରେ ପାଟ୍ରୋଲିଙ୍ଗ୍ ଡିୟୁଟି କରୁଥିବା ଜଣେ ମହିଳା ସବ୍-ଇନ୍ସ୍ପେକ୍ଟର୍ଙ୍କୁ ରାଞ୍ଚି ଅନ୍ତର୍ଗତ ତୁପୁଦାନା ଥାନା ଅଞ୍ଚଳରେ ଏକ ପିକ୍ଅପ୍ ଭ୍ୟାନ୍ ଚଢ଼ାଇ ହତ୍ୟା କରାଯାଇଥିଲା |
ଗତକାଲି ରାତି ପ୍ରାୟ ୩ଟା ବେଳେ ସବ୍-ଇନ୍ସ୍ପେକ୍ଟର୍ ସନ୍ଧ୍ୟା ଟୋପ୍ନୋ ଯାଞ୍ଚ ପାଇଁ ଏକ ଗାଡ଼ିକୁ ଅଟକାଇବା ବେଳେ ଏହି ଘଟଣା ଘଟିଥିଲା । ଉପରୋକ୍ତ ଘଟଣାର ଦିନକ ପୂର୍ବରୁ ହରିୟାଣାର ନୂହ୍ ଅନ୍ତର୍ଗତ ପଞ୍ଚଗାଓଁରେ ଖଣି ମାଫିଆମାନେ ଡିଏସ୍ପି ସ୍ତରର ପୁଲିସ ଅଧିକାରୀ ସୁରେନ୍ଦ୍ର ସିଂହଙ୍କ ଉପରେ ଟ୍ରକ୍ ଚଢ଼ାଇ ହତ୍ୟା କରିଥିଲେ।