ଜର୍ଜ ଫ୍ଲଇଡ୍‌ଙ୍କୁ ହତ୍ୟା କରିଥିବା ଆମେରିକୀୟ ପୁଲିସ ଅଫିସର୍‌ ଡେରେକ୍‌ଙ୍କୁ ୨୨.୫ ବର୍ଷ କାରାଦଣ୍ଡାଦେଶ

ମିନିଆପଲିସ୍‌: ଜର୍ଜ ଫ୍ଲଇଡ୍‌ଙ୍କୁ ହତ୍ୟା କରିଥିବା ମିନିଆପଲିସ୍‌ର ପୂର୍ବତନ ପୁଲିସ ଅଫିସର୍‌ ଡେରେକ୍‌ ସୋଭିନ୍‌ଙ୍କୁ ଶୁକ୍ରବାର ଦିନ ସାଢ଼େ ୨୨ ବର୍ଷ କାରାଦଣ୍ଡାଦେଶ ଦିଆଯାଇଛି। ଗତବର୍ଷ ମିନିଆପଲିସ୍‌ ରାସ୍ତାରେ ଫ୍ଲଇଡ୍‌ଙ୍କୁ ତଳେ ପକାଇ ସୋଭିନ୍‌ ତାଙ୍କ ବେକରେ ଆଣ୍ଠୁ ମାଡ଼ି ରଖିବାରୁ ସେ ଅଣନିଃଶ୍ବାସୀ ହୋଇ ମୃତ୍ୟୁବରଣ କରିଥିଲେ। କୃଷ୍ଣକାୟ ବ୍ୟକ୍ତି ଫ୍ଲଇଡ୍‌ଙ୍କ ଏତାଦୃଶ ମୃତ୍ୟୁ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

ଦଣ୍ଡାଦେଶ ପୂର୍ବରୁ ୪୫ ବର୍ଷିୟ ସୋଭିନ୍‌ ଅତି ସଂକ୍ଷପରେ କିଛି କହିବା ସହ ଫ୍ଲଇଡ୍‌ଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ। ମିନିସୋତା ଆଇନ ଅନୁସାରେ, ସୋଭିନ୍ ଦଣ୍ଡାଦେଶର ଦୁଇ ତୃତୀୟାଂଶ କିଂବା ୧୫ ବର୍ଷ ଭୋଗ କରିବେ। ବାକି ସାଢ଼େ ୭ ବର୍ଷ ସେ ପାରୋଲ୍‌ରେ ଯାଇ ପାରିବେ।

Image Courtesy of Mainichi.jp

ଏ ଧରଣର ଅପରାଧ ପାଇଁ ମିନିସୋଟା ଦଣ୍ଡବିଧି ମାର୍ଗଦର୍ଶିକା ଅନୁସାରେ ୧୦ ବର୍ଷ ୮ ମାସ ରୁ ୧୫ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡାଦେଶ ହୋଇଥାଏ। କିନ୍ତୁ, ଫ୍ଲଇଡ୍‌ଙ୍କ ମୃତ୍ୟୁ ଯୋଗୁଁ ‌ପୁଲିସର ପାଶବିକତା ବିପକ୍ଷରେ ଦେଶବ୍ୟାପୀ ବ୍ୟାପକ ପ୍ରତିବାଦ ହୋଇଥିଲା। ‘ବ୍ଲାକ୍‌ ଲାଇଭ୍‌ସ୍‌ ମ୍ୟାଟର୍‌’ ଲିଖିତ ପ୍ଲାକାର୍ଡ ଧରି ଲୋକେ ବର୍ଣ୍ଣବୈଷମ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ।

ବିଚାରପତି ପିଟର୍ କେଚିଲ୍‌ କହିଲେ, ଏହି ଦଣ୍ଡାଦେଶ ଆବେଗ କିଂବା ଜନମତଭିତ୍ତିକ ନୁହେଁ। ସମସ୍ତ ପରିବାର, ବିଶେଷକରି ଫ୍ଲଇଡ୍‌ଙ୍କ ପରିବାର ଭୋଗିଥିବା ଭୀଷଣ ଓ ମର୍ମଭେଦୀ ଆଘାତ ପ୍ରତି ସମବେଦନା ଜଣାଇ ଏଭଳି ରାୟ ଦିଆଯାଇଛି।

ସମ୍ବନ୍ଧିତ ଖବର