ସିଓପି୨୬ ସମ୍ମିଳନୀ: ପରିବେଶ ଅନୁକୂଳ ବିକାଶ ପାଇଁ ମୋଦୀଙ୍କ ଆହ୍ବାନ

ବିଧ୍ବଂସକ ଉପକରଣରେ ବନ୍ଧା ହୋଇଛି ବିଶ୍ବ: ଜନ୍‌ସନ୍‌

ଗ୍ଲାସ୍‌ଗୋ: ଆଜି ସ୍କଟଲାଣ୍ଡର ବୃହତ୍ତମ ନଗରୀ ଗ୍ଲାସ୍‌ଗୋଠାରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସମ୍ମିଳନୀ ‘ସିଓପି୨୬’ ଆରମ୍ଭ ହୋଇଛି। ବିଶ୍ବର ପ୍ରାୟ ୨୦୦ ଦେଶର ନେତା ଓ ପ୍ରତିନିଧି ଏଥିରେ ଯୋଗ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ, ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା, ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ପ୍ରମୁଖ ଯୋଗ ଦେଇ ଜଳବାୟୁ ପରିବର୍ତ୍ତନର ବିପତ୍ତି ଓ ପରିବେଶ ସୁରକ୍ଷା ଉପରେ ନିଜ ଦେଶର ଆଭିମୁଖ୍ୟ ଉପସ୍ଥାପନ କରିଛନ୍ତି।

ଭାରତର ପ୍ରଧାନମନ୍ତ୍ରୀ ମୋଦୀ ସମ୍ମିଳନୀ ସ୍ଥଳରେ ପହଞ୍ଚିବା ପରେ ଜାତିସଂଘ ମହାସଚିବ ଗୁଟେରସ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ ପ୍ରମୁଖ ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ। ଆଜି ସମ୍ମିଳନୀରେ ପରିବେଶ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ବକ୍ତବ୍ୟ ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ କରିବା ପାଇଁ ହେଲେ ବିଶ୍ବ ଏହାର ବିକାଶମୂଳକ ନୀତି ଏବଂ ଯୋଜନା ଗୁଡ଼ିକୁ ପରିବେଶ ଅନୁକୂଳ କରିବା ଆବଶ୍ୟକ। ଭାରତ ସରକାରଙ୍କ ନୀତି ଉପରେ ଉଳ୍ଲେଖ କରି ମୋଦୀ କହିଛନ୍ତି, ଭାରତ ଏହାର ନାଗରିକମାନଙ୍କୁ କେବଳ ପରିବେଶ ଅନୁକୂଳ ବିକାଶର ଲାଭ ପହଞ୍ଚାଇ ନାହିଁ, ବରଂ ସେମାନଙ୍କର ଜୀବନର ମାନରେ ଉନ୍ନତି ଆଣିବା ପାଇଁ ‘ନଲ୍‌ ସେ ଜଲ୍’, କ୍ଲିନ୍ ଇଣ୍ଡିଆ ମିସନ୍ ଏବଂ ଉଜ୍ଜ୍ବଳା ଭଳି ସ୍କିମ୍ ଚଳାଇଛି। ଭାରତ ଭଳି ବିଶ୍ବର ଅନ୍ୟ ସବୁ ବିକାଶିତ ଦେଶପାଇଁ ପରିବଶେ ଏକ ବଡ଼ ଆହ୍ବାନ। ପାନୀୟ ଜଳଠାରୁ ଆରମ୍ଭ କରି ସୁଲଭ ଗୃହ ଆଦି ପରିବେଶ ପରିବର୍ତ୍ତନ ପ୍ରତି ସହଣୀୟ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ବିଦ୍ୟାଳୟ ପାଠ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ ବିଷୟକୁ ସାମିଲ କରିବା ପାଇଁ ସେ କହିଛନ୍ତି।

ସମ୍ମିଳନୀରେ ବ୍ରିଟିସ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଜଳବାୟୁ ପରିବର୍ତ୍ତନର ପରିଣାମ ନେଇ ସେ ସତର୍କ କରାଇ ଦେଇଛନ୍ତି। ବିଶ୍ବ ବିଧ୍ବଂସକ ଉପକରଣରେ ବନ୍ଧା ହୋଇଛି ବୋଲି ସେ ମତ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଆମେରିକା କେବଳ କଥା ନୁହେଁ, ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ କାର୍ଯ୍ୟ କରିବାର ଉଦାହରଣ ସୃଷ୍ଟି କରିଛି। ବିକାଶଶୀଳ ଦେଶଗୁଡ଼ିକୁ ଅଧିକ ସହାୟତା ଦେବା ଉପରେ ସେ ଆଗ୍ରହୀ ଥିବା କହିଛନ୍ତି।

ସମ୍ବନ୍ଧିତ ଖବର