ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷତି ହ୍ରାସ କରିବା ପାଇଁ ବିଶ୍ବ ପାଣିପାଗ ବିଜ୍ଞାନ ସଂଗଠନ (ଡବ୍ଲୁଏମ୍‌ଓ) ସାରା ବିଶ୍ବରେ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ସ୍ଥାପନ କରିବା ପାଇଁ ଏକ ପଞ୍ଚବାର୍ଷିକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ପୂର୍ବ ବର୍ଷର ଜଳବାୟୁ ବୈଠକରେ ଭାରତ ସମର୍ଥିତ ସିଡିଆର୍‌ଆଇ (ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ସଂଗଠନ)ର କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ଏହି ମହତ୍ତ୍ବାକାଂକ୍ଷୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
ସାରା ବିଶ୍ବର ୧୦୦ରୁ ଅଧିକ ନେତା ଇଜିପ୍ଟର ସର୍ମ-ଏଲ୍‌-ସେଖଠାରେ ସମ୍ପ୍ରତି ଚାଲୁଥିବା ‘କୋପ୍୨୭ ସଂଯୁକ୍ତ ରାଷ୍ଟ୍ର ଜଳବାୟୁ ଶିଖର ସମ୍ମେଳନ’ରେ ଯୋଗ ଦେଇଛନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଦ୍ବାରା ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ୨୦୨୭ ଭିତରେ ୩.୧ ବିଲିୟନ ଡଲାର ନିବେଶର ପରିକଳ୍ପନା କରାଯାଇଛି। ପରିବେଶକୁ ସୁଧାରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣରେ ଏହି ଟଙ୍କା ଖର୍ଚ୍ଚ ହେବ। ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀର କ୍ଷମତା ବୃଦ୍ଧି ଲାଗି ମଧ୍ୟ ଭିତ୍ତିଭୂମି ନିର୍ମାଣ କରାଯିବ। ଡବ୍ଲୁଏମ୍‌ଓର କହିବା ଅନୁସାରେ ବିଶ୍ବର ଅଧା ଦେଶ ପାଖରେ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ନାହିଁ।

Advertisment

ଡବ୍ଲୁଏମ୍‌ଓ ମହାସଚିବ ପେଟେରି ଟାଲସ କହିଛନ୍ତି ଯେ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ବହୁ ଜୀବନ ବଞ୍ଚାଇବାରେ ସାହାଯ୍ୟ କରେ ଏବଂ ବହୁ ଆର୍ଥିକ ଲାଭ ମଧ୍ୟ ପ୍ରଦାନ କରେ। ଯଦି ବନ୍ୟା, ବାତ୍ୟା, ଭୂକମ୍ପ ଆଦିର ସୂଚନା ୨୪ ଘଣ୍ଟା ଆଗରୁ ମିଳିଯାଏ, ସେଥିରୁ ହେବାକୁ ଥିବା କ୍ଷତିକୁ ୩୦ ପ୍ରତିଶତ ପର୍ଯ୍ୟନ୍ତ କମାଇ ଦିଆଯାଇପାରେ। ଏକ ଆକଳନ ଅନୁସାରେ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀରେ ଯଦି ୮୦୦ ନିୟୁତ ଡଲାର ଖର୍ଚ୍ଚ କରାଯାଏ ତେବେ ପ୍ରତିବର୍ଷ ପ୍ରାୟ ୩ରୁ ୧୬ ଶହ କୋଟି ଡଲାର ପର୍ଯ୍ୟନ୍ତ କ୍ଷତିରୁ ରକ୍ଷା ମିଳିପାରିବ।

ସିଡିଆର୍‌ଆଇ ହେଉଛି ଭାରତ ସମର୍ଥନରେ ତିନିବର୍ଷ ତଳେ ଗଠିତ ଏକ ସଂଗଠନ, ଯାହା ଗତବର୍ଷ ଏପରି ଯୋଜନା ନେଇ ଆସିଥିଲା। ଏହି ଯୋଜନା ମୁଖ୍ୟ ରୂପରେ ଛୋଟ ଦ୍ବୀପରାଜ୍ୟ ଉପରେ କେନ୍ଦ୍ରିତ ଥିଲା। ଭାରତର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଡବ୍ଲୁଏମ୍‌ଓ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ କହିଛନ୍ତି, ନୂଆଦିଲ୍ଲୀ ବି ଏହାକୁ ପୂର୍ଣ୍ଣ ସମର୍ଥନ କରୁଛି। ଭାରତରେ ପ୍ରାରମ୍ଭିକ ଚେତାବନୀ ଢାଞ୍ଚା ମଜଭୁତ ଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଯାଇ ପାରୁଛି ବୋଲି ସେ କହିଥିଲେ।