ଦିଲ୍ଲୀର ତିସ୍ ହଜାରୀ କୋର୍ଟ ପରିସରରେ ପୁଲିସ୍-ଓକିଲ ମୁହାଁମୁହିଁ : ଜଳିଗଲା ପୁଲିସ୍ ଭ୍ୟାନ୍, ଓକିଲ ଗୁରୁତର
ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ତିସ୍ ହଜାରୀ ଅଦାଲତ ପରିସରରେ ଶୁକ୍ରବାର ଅପରାହ୍ନରେ ପୁଲିସ୍ ଓ ଓକିଲ ମୁହାଁମୁହିଁ ହେବା ସହ ଗୁଳି ଚାଳନାରେ ଏକ ପୁଲିସ୍ ଗାଡ଼ିରେ ନିଆଁ ଲାଗି ଯାଇଥିବା ସୂଚନା ରହିଛି। ଏହି ଅଗ୍ନିକାଣ୍ଡରେ ଜଣେ ଓକିଲ ଆହତ ହେବା ପରେ ତାଙ୍କୁ ସେଣ୍ଟ୍ ଷ୍ଟିଫେନ୍ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗାଡ଼ି ପାର୍କିଂକୁ ନେଇ ବିବାଦ ଉପୁଜିବା ପରେ ପ୍ରଥମେ ପୁଲିସ୍ ଗୁଳି ଚାଳନା କରିଛି ବୋଲି ଓକିଲ ଅଭିଯୋଗ ଆଣିଥିବା ବେଳେ ପୁଲିସ୍ ସୂତ୍ରରୁ ଏଯାବତ୍ କୌଣସି ସୂଚନା ମିଳିନାହିଁ। ଏହି ବିବାଦ ସମୟରେ ସେଠାରେ ଉପସ୍ଥିିତ ଥିବା କିଛି ସାମ୍ବାଦିକଙ୍କୁ ବି ମାଡ଼ ମରାଯାଇଛି ବୋଲି ସୂଚନା ରହିଛି।
Delhi: A scuffle has broken out between Delhi Police and lawyers at Tis Hazari court. One lawyer injured and admitted to hospital. A vehicle has been set ablaze at the premises. More details awaited. pic.twitter.com/8wrvNXuLLT
— ANI (@ANI) November 2, 2019
ଜାଣିବାକୁ ମିଳିଛି ଯେ କିଛି ପୁଲିସ୍ କର୍ମୀଙ୍କ ଉପରକୁ ବି ଗୁଳି ଚାଳନା କରାଯାଇଛି। ତେବେ, ନିଆଁ ଲିଭାଇବା ପାଇଁ ସଂପୃକ୍ତ ଅଞ୍ଚଳରେ ଦମକଳ ଗାଡ଼ି ଆସି ପହଞ୍ଚିଛି। ଓକିଲ୍ କୋର୍ଟ ଗେଟ୍ରେ ତାଲା ପକାଇ ଦେଇଥିବା ଦେଖିବାକୁ ମିଳିଛି। ଅତିରିକ୍ତ ପୁଲିସ୍ ବଳ ପହଞ୍ଚି ଘଟଣାକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି।
ପାର୍କିଂକୁ ନେଇ ବିବାଦରୁ ଏତେ ବଡ଼ ଘଟଣା ଘଟିଥିବା ଜଣାପଡ଼ିଛି। ଜନୈକ ପ୍ରତ୍ୟକ୍ଷଦର୍ଶୀ ବରୁଣ ଜୈନଙ୍କ ଅନୁଯାୟୀ, ପାର୍କିଂକୁ ନେଇ ବିବାଦରୁ ବଚସା ହୋଇଥିଲା ଏହାପରେ ଜଣେ ପୁଲିସ କର୍ମଚାରୀ ହଠାତ ବନ୍ଧୁକ ବାହାର କରି ଗୁଳିଚାଳନା କରିଥିଲେ। ସେହିପରି ଗୁଲଜାରୀ ଲାଲ୍ ନାମକ ଜଣେ ଆଇନଜୀବୀ କହିଛନ୍ତି ଯେ ତାଙ୍କୁ ଜଣେ ପୁଲିସ କର୍ମଚାରୀ ମାଡ଼ମାରି ଆହତ କରିଛନ୍ତି। ଏହି ଘଟଣାର ପ୍ରତିବାଦରେ ଦିଲ୍ଲୀ ଓକିଲ ସଂଘ ନଭେମ୍ବର ୪ ତାରିଖ ଦିନ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି।