ନୂଆଦିଲ୍ଲୀ: ଚୀନ୍‌ରୁ ପାଣ୍ଠି ସଂଗ୍ରହ କରିବା ଓ ଅର୍ଥ ହେରଫେର କରିବା ଅଭିଯୋଗରେ ଦିଲ୍ଲୀ ପୁଲିସର ଏକ ସ୍ବତନ୍ତ୍ର ସେଲ୍‌ ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍‌କ୍ଲିକ୍‌ ସାମ୍ବାଦିକଙ୍କ ଘରେ ଚଢ଼ଉ କରିଛି। ପୂର୍ବରୁ ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ମାମଲା ଦାୟର ହୋଇଥିଲା। ସେହି ମାମଲାକୁ ଭିତ୍ତି କରି ଦିଲ୍ଲୀ ପୁଲିସ୍‌ ମଙ୍ଗଳବାର ଦିଲ୍ଲୀ-ଏନସିଆର ଅଞ୍ଚଳରେ ନ୍ୟୁଜକ୍ଲିକ୍‌ ଗଣମାଧ୍ୟମ ଅଧିକାରୀ ତଥା ଏହାର କର୍ମଚାରୀଙ୍କ ବାସଭବନ ଉପରେ ଚଢ଼ଉ କରୁଥିବା ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ସାମ୍ବାଦିକମାନଙ୍କୁ ଏ ନେଇ ପଚରାଉଚରା କରାଯିବା ପାଇଁ ପୁଲିସ୍‌ ଷ୍ଟେସନ୍‌ ନିଆଯାଇଛି।

Advertisment

ଉଲ୍ଲେଖଯୋଗ୍ୟ, ଆମେରିକାର କୋଟିପତି ନେଭିଲ୍‌ ରୟ ସିଂଘମ୍ ଚୀନ୍‌ର ବାର୍ତ୍ତାକୁ ବିଶ୍ୱବ୍ୟାପୀ ପହଞ୍ଚାଇବା ପାଇଁ ଏକ ଆର୍ଥିକ ନେଟୱାର୍କକୁ ପାଣ୍ଠି ଯୋଗାଉଥିବା ନ୍ୟୁୟର୍କ ଟାଇମ୍‌ସର ଏକ ଅନୁସନ୍ଧାନରୁ ନିକଟରେ ଜଣାପଡ଼ିଥିଲା। ଦୁଇ ବର୍ଷ ତଳେ ଏକ ନ୍ୟୁଜ୍‌ ୱେବସାଇଟ ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଇଥିଲା, ଯାହାର ଚେର ଏହି କୋଟିପତିଙ୍କ ପର୍ଯ୍ୟନ୍ତ ଲମ୍ବିଥିବ‌ା ଜାଣିବାକୁ ମିଳିଥିଲା । ଚୀନକୁ ବିଶ୍ୱର ବିଭିନ୍ନ ଦେଶରେ ନିଜର ବାର୍ତ୍ତା ପ୍ରଚାର କରିବାରେ ସେ ସାହାଯ୍ୟ କରୁଥିବା ନେଇ ଠୋସ୍‌ ପ୍ରମାଣ ମିଳିଥିଲା।

ନେଭିଲଙ୍କର ଭାରତରେ ନ୍ୟୁଜ୍‌କ୍ଲିକ୍‌ ନାମକ ଏକ ନ୍ୟୁଜ୍‌ ପୋର୍ଟାଲ ମଧ୍ୟ ଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦୁଇ ବର୍ଷ ତଳେ ଏହାର ଅନୁସନ୍ଧାନ କରିଥିଲା ଏବଂ ଜାଣିବାକୁ ପାଇଥିଲା ଯେ ଏହି ପୋର୍ଟାଲ୍‌ ବିଦେଶରୁ ପାଖାପାଖି ୩୮ କୋଟି ଟଙ୍କାର ପାଣ୍ଠି ପାଇଥିଲା। ଏହି ଟଙ୍କାର ମୂଳ ସୂତ୍ରକୁ ଖୋଜିବା ପ୍ରକ୍ରିୟାରେ ଇଡି ଯାଇ ପହଞ୍ଚିଥିଲା ଆମେରିକୀୟ କୋଟିପତି ସିଂଘମଙ୍କ ପାଖରେ।