ହୃଦ୍‌ଘାତ, ମଧୁମେହ ନେଉଛି କରୋନା ରୋଗୀଙ୍କ ଜୀବନ

ନୂଆଦିଲ୍ଲୀ : କୋଭିଡ୍‌-୧୯ ‌ରୋଗୀଙ୍କ ପାଇଁ, ହୃଦ୍‌ଘାତ, ମଧୁମେହ, ଶ୍ବାସକ୍ରିୟା ଜନିତ ସମସ୍ୟା , ଶରୀରର ଏକାଧିକ ଅଙ୍ଗ ଅଚଳ ଏବଂ ସେପ୍ଟିକ୍‌ ସକ୍‌ ଏବେ କାଳ ହେଉଛି। ଅନେକ ରୋଗୀ ହୃଦ୍‌ଘାତ ଏବଂ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଅଚଳ ହୋଇଯିବାରୁ ପ୍ରାଣ ହରାଉଛନ୍ତି। ତେବେ ଏହି ମୃତ୍ୟୁର କାରଣ କୋଭିଡ୍‌ -୧୯ ହିଁ ରହୁଛି। ବୈଜ୍ଞାନିକ ଏବଂ ବିଭିନ୍ନ ପ୍ରମୁଖ ଅନୁଷ୍ଠାନର ଡାକ୍ତରମାନେ ଏନେଇ ମତ ରଖିଛନ୍ତି। ଅତି ସାଂଘାତିକ ନ୍ୟୁମୋନିଆ ପରି ଶ୍ବାସକ୍ରିୟା ବିଫଳତା ଏବଂ ହୃଦ୍‌ଘାତ ଯୋଗୁଁ ବି କୋଭିଡ୍‌-୧୯ ରୋଗୀଙ୍କ ମୃତ୍ୟୁ ହେଉଛି। ଚଳିତ ସପ୍ତାହରେ ଗୁରୁଗ୍ରାମ୍‌ର ଜଣେ ୭୮ ବର୍ଷୀୟା ଇଟାଲୀୟ ମହିଳାଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇଯିବାରୁ ଏବଂ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କ ମୃତ୍ୟୁର କାରଣ ହେଉଛି କୋଭିଡ୍‌-୧୯। ଶରୀରରେ ସଂକ୍ରମଣର ମାତ୍ରା ଅଧିକ ଥିବାରୁ ଏହା ଏକାଧିକ ଅଙ୍ଗକୁ ଅକାମୀ କରିଦେଲା ବୋଲି ଜେଣ ଡାକ୍ତର କହିଛନ୍ତି। ବିଭିନ୍ନ ଦେଶର ତଥ୍ୟ ଆକଳନରୁ ଜଣାପଡ଼ିଛି ଯେ ପ୍ରତି ୫ ଜଣରେ ଜଣେ ଯିଏ କି କୋଭିଡ୍‌ -୧୯ର ଶିକାର ହୋଇଛନ୍ତି ସେମାନେ ବହୁତ୍‌ ଅସୁସ୍ଥ। ସେମାନଙ୍କର କ୍ରୋନିକ୍‌ ଫୁସ୍‌ଫୁସ୍‌ ‌‌ରୋଗ, ହୃଦ୍‌ରୋଗ ଏବଂ ଡାଇବେଟିସ୍ ଆଦି ରହିଛି। କରୋନା ରୋଗୀଙ୍କ କ୍ଷେତ୍ରରେ ଏହିସବୁ କାରଣଗୁଡ଼ିକ ଅତ୍ୟନ୍ତ ବିପଦ ସାବ୍ୟସ୍ତ ହୋଇଛି। ଚୀନ୍‌ରେ ପ୍ରାୟ ୪୪,୬୭୨ ମୃତକଙ୍କୁ ନେଇ ଏକ ଅଧ୍ୟୟନ କରି ଜଣାପଡ଼ିଛି ଯେ,ପ୍ରାୟ ସମସ୍ତଙ୍କର ଏହିସବୁ ରୋଗ ରହିଥିଲା।

ଉହାନ୍‌ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ପ୍ରତି ୫ ଜଣରେ ଜଣଙ୍କର ହୃଦ୍‌ରୋଗଜନିତ ସମସ୍ୟା ରହିଛି। ଅଧିକାଂଶ କରୋନା ରୋଗୀଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ନ୍ୟୁ ଇଂଲଣ୍ଡ୍‌ ଜର୍ନାଲ୍‌ ଅଫ ମେଡିସିନ୍‌ର ୨୦୧୮ ମସିହାର ଏକ ଅଧ୍ୟୟନ ଅନୁଯାୟୀ ଜଣେ ବ୍ୟକ୍ତି ଯେତେବେଳ କୌଣସି ସଂକ୍ରମଣର ଶିକାର ହୋଇଥିବେଳେ ସେତେବେଳେ ତାଙ୍କର ହୃଦ୍‌ଘାତ ହେବାର ସମ୍ଭାବନା ୬ ଗୁଣା ଅଧିକ ରହିଛି। ଯେଉଁମାନେ ଧୁମପାନ କରନ୍ତି ସେମାନେ ଖୁବ୍‌ ଶୀଘ୍ର ସଂକ୍ରମଣର ଶିକାର ହୋଇପାରନ୍ତି।

ସମ୍ବନ୍ଧିତ ଖବର