ଡରାଇଲାଣି କରୋନା : ଦିନକରେ ୨୨,୮୫୪ ସଂକ୍ରମିତ

୨୦୨୧ର ସର୍ବାଧିକ ସଂକ୍ରମଣ, ଚିନ୍ତା ବଢ଼ାଇଲେଣି ୬ ରାଜ୍ୟ, ମହାରାଷ୍ଟ୍ରରେ ଲେଉଟିଲା ଲକ୍ ଡାଉନ୍

ନୂଆଦିଲ୍ଲୀ : ଦେଶରେ ପୁଣି ଆତଙ୍କ ସୃଷ୍ଟି କଲାଣି କରୋନାର ଦ୍ରୁତ ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୮୫୪ ଜଣ କ‌ରୋନା ସଂକ୍ରମିତ ହୋଇଛନ୍ତି। ୨୦୨୧ରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ ବୋଲି କୁହାଯାଉଛି। କରୋନା ବିଶ୍ବ ମହାମାରୀ ଘୋଷଣା ହେବାର ଆଜି ଏକ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଭାରତରେ କରୋନାର ପରିବର୍ତ୍ତିତ ରୂପ ସମସ୍ୟା ବଢ଼ାଇଛି।

ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି ଯେ ଦେଶରେ ଏବେ ବ୍ରିଟେନ୍‌, ବ୍ରାଜିଲ୍‌ ଏବଂ ଦକ୍ଷିଣ ଆଫ୍ରିକା ପ୍ରଜାତି ଭୂତାଣୁ କାୟାବିସ୍ତାର କରିଚାଲିଛି। ଗତ ଜାନୁଆରି ୭ରେ ଦେଶରେ ଦୈନିକ ସଂକ୍ରମଣ ୨୦ ହଜାରରୁ୍ ଅଧିକ ଥିଲା। ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ଯୋଗୁଁ ଦେଶର ଦୈନିକ ସଂକ୍ରମଣ ମାମଲା ଅଚାନକ ଏତେ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୧୩ ହଜାର ୬୫୯ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ କେରଳରେ ୨୪୭୫ ଏବଂ ପଞ୍ଜାବରେ ୧୩୯୩ ମାମଲା ଚିହ୍ନଟ ହୋଇଛି। ଫେବ୍ରୁଆରି ମଧ୍ୟଭାଗରୁ ଦେଶରେ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଗତ ସପ୍ତାହକ ମଧ୍ୟରେ ଦେଶରେ ସଂକ୍ରମଣ ମାମଲାର ୮୬ ପ୍ରତିଶତ କେବଳ ୬ଟି ରାଜ୍ୟରେ ରହିଛି। ସେଥିରେ ରହିଛି ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ପଞ୍ଜାବ, ଗୁଜରାଟ ଏବଂ ତାମିଲନାଡୁ।

ତେବେ ମହାରାଷ୍ଟ୍ର ସ୍ଥିତି ସବୁଠାରୁ ଚିନ୍ତାଜନକ ରହିଛି। ଦେଶରେ ପ୍ରାୟ ୬୦ ଭାଗ ସଂକ୍ରମଣ କେବଳ ଏହି ରାଜ୍ୟରେ ହେଉଛି। ପରିସ୍ଥିତିର ମୁକବିଲା ଲାଗି ନାଗପୁରରେ ଆଜି ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ଅନ୍ୟ ଅଂଚଳରେ ମଧ୍ୟ କଟକଣା କଡ଼ାକଡ଼ି ହେବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଘୋଷଣା କରିଛନ୍ତି। ‌

ଦିଲ୍ଲୀରେ ଗତ ୨୪ ଘଣ୍ଟା‌ ମଧ୍ୟରେ ୪୦୦ରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଥିବାରୁ କେନ୍ଦ୍ର ସରକାର ସତର୍କ କରାଇ ଦେଇଛନ୍ତି ଏବଂ କୋଭିଡ୍‌ ନିୟମାବଳି କଡ଼ାକଡ଼ି କରିବାକୁ କହିଛନ୍ତି। ଶେଷଥର ପାଇଁ ଗତ ଜାନୁଆରି ୩ରେ ଜାତୀୟ ରାଜଧାନୀରେ ଦୈନିକ ସଂକ୍ରମଣ ୪୨୪ ଥିଲା। ଦିଲ୍ଲୀ‌ରେ ଆଜି ୪୦୯ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ ମୋଟ୍‌ ସଂକ୍ରମଣ ମାମଲା ୬୪୨,୪୩୯ ରହିଛି ଏବଂ ମୃତ୍ୟୁସଂଖ୍ୟା ୧୦,୯୩୪ରେ ପହଞ୍ଚିଛି।

ଦେଶବ୍ୟାପୀ ଏବେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଛି ଏବଂ ଗତକାଲି ସୁଦ୍ଧା ୨ କୋଟି ୫୬ ଲକ୍ଷ ୮୫ ହଜାର ଲୋକଙ୍କ ଟିକାକରଣ ସରିଛି।

ସମ୍ବନ୍ଧିତ ଖବର