ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ୁଛି। ଗତକାଲି ତୁଳନାରେ ଆଜି ଯଦିଓ ଦେଶରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି ତଥାପି ଏହା ଉଦ୍ବେଗଜନକ ଭାବେ ଦେଢ଼ ଲକ୍ଷ ଉପରେ ରହିଛି। ତେବେ ମୁମ୍ବାଇରେ ଗତ ଚାରିଦିନ ହେଲା ସଂକ୍ରମଣ କମୁଛି। ମୁମ୍ବାଇରେ ଆଜି ୧୧,୬୪୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ଦିଲ୍ଲୀ ଏବଂ କେରଳରେ ସଂକ୍ରମଣ ବୃଦ୍ଧି ହୋଇଛି। ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୦ ହଜାରରୁ ଅଧିକ, କେରଳରେ ୯,୦୬୬ ନୂଆ ମାମଲା ଚିହ୍ନଟ ହୋଇଛି। ଦେଶରେ ଗତ ୨୪ ଘଣ୍ଟାରେ ୧,୬୮,୦୬୩ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ଆଜି ଦେଶରେ ୧୧,୬୬୦ (୬.୪୮ ପ୍ରତିଶତ) କମ୍ ମାମଲା ରହିଛି। କିନ୍ତୁ ଦେଶରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୬୧କୁ ବୃଦ୍ଧି ପାଇଛି। ଆଜି ସୁଦ୍ଧା ଦେଶରେ ସକ୍ରିୟ ମାମଲା ୮,୨୧,୪୪୬କୁ ବୃଦ୍ଧି ପାଇଛି ଏବଂ ୨୦୮ ଦିନରେ ଏହା ସର୍ବାଧିକ।
ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୯୭,୮୨୭ ବୃଦ୍ଧି ହୋଇଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୨.୨୯ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ଉତ୍ତରପ୍ରଦେଶରେ ୨୭୭ ଜଣଙ୍କ ମୃତ୍ୟୁ ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୪,୮୪,୨୧୩କୁ ବୃଦ୍ଧି ପାଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୫୮,୭୫,୭୯୦ରେ ପହଞ୍ଚିଛି। ଦୈନିକ ପଜିଟିଭ୍ ହାର ୧୦.୬୪ ପ୍ରତିଶତ ଥିବାବେଳେ ସାପ୍ତାହିକ ପଜିଟିଭ୍ ହାର ୮.୮୫ ପ୍ରତିଶତ ରହିଛି।
ଆମେରିକାରେ ଦିନକରେ ୧୧.୩ ଲକ୍ଷ
ନୂଆଦିଲ୍ଲୀ : ଆମେରିକାରେ ଆଜି ରେକର୍ଡ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦିନକରେ ୧୧ ଲକ୍ଷ ୩୦ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ବିଶ୍ବରେ କୌଣସି ରାଷ୍ଟ୍ରରେ ପୂର୍ବରୁ ଏତେ ସଂଖ୍ୟକ ସଂକ୍ରମଣ ମାମଲା ଚିହ୍ନଟ ହୋଇ ନଥିଲା। ଜାନୁଆରି ୩ ତାରିଖରେ ଆମେରିକାରେ ସଂକ୍ରମଣ ମାମଲା ୧୦.୩୦ ଲକ୍ଷ ଥିଲା।
ବାରମ୍ବାର ବୁଷ୍ଟର ନେବା ନିରର୍ଥକ: ହୁ
ଜେନେଭା: କରୋନାର ନୂଆ ଭାରିଆଣ୍ଟ ପାଇଁ ଏକାଧିକ ଥର ବୁଷ୍ଟର ନେବା ନିରର୍ଥକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି। ଟିକାଗୁଡ଼ିକର ଫଳପ୍ରଦତା ଉପରେ ଅନୁଧ୍ୟାନ କରିବା ପାଇଁ ନିଯୁକ୍ତ ବିଶ୍ବ ସ୍ବାସ୍ଥ୍ୟ ସଂସ୍ଥାର ବିଶେଷଜ୍ଞ ଦଳ କହିଛନ୍ତି ଏକା ଟିକାକୁ ଅଧିକ ଥର ନେବା ନୂଆ ଭାରିଆଣ୍ଟକୁ ମୁକାବିଲା କରିବାର ଉତ୍ତମ ଉପାୟ ନୁହେଁ। କାରଣ ପୁରୁଣା ଟିକା ନୂଆ ଭାରିଆଣ୍ଟ ଓମିକ୍ରନ୍କୁ ସଫଳ ଭାବେ ମୁକାବିଲା କରିପାରୁ ନାହିଁ। କିନ୍ତୁ ଯେଉଁମାନେ ଟିକା ନେଇଛନ୍ତି, ସେମାନେ ନିଶ୍ଚିତ ଭାବେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇବେ। ସେଥିପାଇଁ ଅଧିକ ଥର ଏକା ଟିକା ନେବାକୁ ପଡ଼ିବ ନାହିଁ। ବିଶେଷଜ୍ଞ କମିଟିଙ୍କ ମତରେ ଏପରି ନୂଆ ଟିକାର ବିକାଶ କରାଯିବା ଦରକାର ଯାହା ରୋଗ ସଂକ୍ରମଣ, ରୋଗୀ ଗୁରୁତର ହେବା ଓ ମୃତ୍ୟକୁ ରୋକିପାରିବ।