ନୂଆଦିଲ୍ଲୀ : ଅଧିକ ପ୍ରଭାବିତ ରାଜ୍ୟଗୁଡ଼ିକରେ ଯଦି କରୋନାଭୂତାଣୁ ସଂକ୍ରମଣର ଧାରା ଜାରି ରହେ, ତେବେ ମେ ମଧ୍ୟଭାଗ ବେଳକୁ ଏକାନ୍ତବାସ ଶଯ୍ୟା ଓ ଭେଣ୍ଟିଲେଟର ଅଭାବ ପଡ଼ିବା ଆଶଙ୍କା କରାଯାଉଛି। ଆଠଟି ସର୍ବାଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ଗୁଜରାଟ, ମହାରାଷ୍ଟ୍ର ଓ ଦିଲ୍ଲୀ ସବାଆଗରେ ଅଛନ୍ତି। ଏହି ରାଜ୍ୟଗୁଡ଼ିକରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହାର ୧୦%ରୁ ବେଶି। ତେଣୁ ପ୍ରାୟ ୭ ଦିନରେ ଦିଗୁଣା ହୋଇଯାଉଛି ଆକ୍ରାନ୍ତ ସଂଖ୍ୟା। ତେଣୁ ଆଶଙ୍କା କରାଯାଉଛି ଯେ ଜୁନ୍‌ ପ୍ରଥମ ସପ୍ତାହ ବେଳକୁ ଆଇସିୟୁ ଶଯ୍ୟା ଓ ଭେଣ୍ଟିଲେଟରର ଅଭାବ ଦେଖାଦେବ। କାରଣ ଏବେ ସୁଦ୍ଧା ଏହି ଅସ୍ପୃଶ୍ୟ ବ୍ୟା଼ଧି ପାଇଁ ସ୍ୱତନ୍ତ୍ର ହସପିଟାଲ, ଅଲଗା ଡାକ୍ତର ଓ ଅଲଗା ସ୍ୱାସ୍ଥ୍ୟକର୍ମୀ କାର୍ଯ୍ୟ କରିବା ସହ ଗୋଟିଏ ରାଜ୍ୟର ରୋଗୀଙ୍କୁ ଅନ୍ୟ ରାଜ୍ୟକୁ ନେବାର ପରମ୍ପରା ଆରମ୍ଭ ହୋଇନାହିଁ। ଓଡ଼ିଶାରେ ଗୋଟିଏ ବ୍ୟତିକ୍ରମ ଘଟଣାକୁ ଛାଡ଼ିଲେ, ପ୍ରତିରାଜ୍ୟର ସ୍ୱାସ୍ଥ୍ୟସେବା ସଂରଚନା ବା ସ୍ୱତନ୍ତ୍ର ଭିତ୍ତିଭୂମି ଉପରେ ହିଁ ସେହି ରାଜ୍ୟର କୋଭିଡ୍‌-୧୯ ମୁକାବିଲା ନିର୍ଭର କରୁଛି। ଯିଏ ବି କରୋନା-ପଜିଟିଭ୍‌ ଚିହ୍ନଟ ହେବେ ସେ ନିଶ୍ଚିତ ଆଇସୋଲେସନ ବା ଏକାନ୍ତବାସରେ ରହିବେ। ଏଣୁ ଏକାନ୍ତବାସ ୱାର୍ଡ ନିର୍ମାଣ ସଂପୃକ୍ତ ରାଜ୍ୟଗୁଡ଼ିକ ପାଇଁ ଏକ ଆହ୍ୱାନ ହୋଇ ଦେଖାଦେଇଛି।

Advertisment

ଲକ୍ଷଣ ଦିଶୁନଥିବା ବା ମୃଦୁ ଲକ୍ଷଣ ଥିବା ରୋଗୀମାନଙ୍କୁ ନିଜ ଘରେ ଏକାନ୍ତବାସରେ ରହିବାକୁ ୮-ସୂତ୍ରୀ ସର୍ତ୍ତ ରହିଛି। ଆଉ ବଡ଼ ଜଟିଳ ଆହ୍ୱାନ ହେଉଛି ପରିବାର ସଦସ୍ୟମାନଙ୍କୁ ସେତେବେଳେ ସଙ୍ଗରୋଧରେ ରହିବାର ଯଥେଷ୍ଟ ସ୍ଥାନ ଭାରତୀୟ ଘରଗୁଡ଼ିକରେ ଅଛି ତ? ଏଣୁ କରୋନା-ପଜିଟିଭ୍‌ ଥିବା ପ୍ରତ୍ୟେକଙ୍କ ପାଇଁ ଗୋଟିଏ ଗୋଟିଏ ଶଯ୍ୟା ଲୋଡ଼ା ହେଉଛି। ଏପ୍ରିଲ ୪ ସୁଦ୍ଧା ଭାରତରେ ଏକାନ୍ତବାସ ଶଯ୍ୟା ରହିଛି ୧,୫୨,୪୦୩ଟି। ରାଜସ୍ଥାନରେ ସର୍ବାଧିକ ୨୦,୮୩୫, ତାମିଲନାଡ଼ୁରେ ୧୯,୮୬୦, କେରଳରେ ୧୩,୦୨୮ ଶଯ୍ୟା ରହିଛି। ମହାରାଷ୍ଟ୍ରରେ କରୋନା-ପଜିଟିଭ୍‌ ସଂଖ୍ୟା ପ୍ରାୟ ୮୬୦୦ ହୋଇଯାଇଥିବା ବେଳେ, ଏକାନ୍ତବାସ ଶଯ୍ୟା ରହିଛି ମାତ୍ର ୧୧,୮୬୧ଟି। ମହାରାଷ୍ଟ୍ରରେ ୭୮% ପ୍ରାଇଭେଟ୍‌ ହସପିଟାଲ ସୁବିଧା ରହିଛି ବୋଲି ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟର ତଥ୍ୟରୁ ଜଣାପଡୁଛି। ପ୍ରାଇଭେଟ୍‌ ହସପିଟାଲ ଅବଦାନକୁ ହିସାବକୁ ନେଲେ, ମୋଟ ଶଯ୍ୟାସଂଖ୍ୟା ୧୬,୪୮୭ ହେଉଛି। ମାତ୍ର ୩୧ ମେ ବେଳକୁ ସର୍ବାଧିକ ପ୍ରଭାବିତ ମହାରାଷ୍ଟ୍ର ଓ ଗୁଜରାଟ ରାଜ୍ୟରେ ମାମଲା ଯଥାକ୍ରମେ ୭ ଲକ୍ଷ ଏବଂ ୫ ଲକ୍ଷ ୩୦ହଜାର ହୋଇଯାଇଥିବା ଆକଳନ କରାଯାଉଛି। ତେଣୁ ସ୍ୱାସ୍ଥ୍ୟସେବା ସଂରଚନାକୁ ଲକ୍ଷ୍ୟ କଲେ ୧୭ ମେ ବେଳକୁ ଏକାନ୍ତବାସ ଶଯ୍ୟାର ଘୋର ଅଭାବ ଦେଖାଦେବ। କରୋନା-ପଜିଟିଭ୍‌ ବୃଦ୍ଧିହାର ଯଦି ତଳମୁହାଁ ନହୁଏ, ତେବେ ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଏ ଦେଶରେ ଏହି ବିଶ୍ୱମହାମାରୀ ପରିଚାଳନା କରିବା ଅସମ୍ଭାଳ ହୋଇପଡ଼ିବ।