ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍ ପ୍ରକୋପ ଲଗାତାର ବଢ଼ିଚାଲିଛି ଏବଂ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ମୁତାବକ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯୦୫ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିରୁ ୧୫୦୩ଟି ମାମଲା କେବଳ ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ଦିଲ୍ଲୀ ଏବଂ ତାମିଲନାଡ଼ୁର ବୋଲି ଜଣାପଡ଼ିଛି। ଦୈନିକ ଆକ୍ରାନ୍ତ ସଂଖ୍ୟା ବୃଦ୍ଧିରେ ଏହା ଏକ ରେକର୍ଡ। ଏହା ସହିତ ଗୋଟିଏ ଦିନରେ ୭୩ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏ ପର୍ଯ୍ୟନ୍ତ ଦେଶବ୍ୟାପୀ ୩୧,୭୮୧ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୦୮ରେ ପହଞ୍ଚିଛି। ଆଜି ଆନ୍ଧ୍ର ପ୍ରଦେଶରେ ୭୩, ରାଜସ୍ଥାନରେ ୨୯, ପଂଜାବରେ ୧୬ ଏବଂ କର୍ଣ୍ଣାଟକରେ ୯ଟି ନୂଆ ମାମଲା ଚିହ୍ନଟ ହୋଇଛି। ପଶ୍ଚିମବଂଗରେ ୩୩ଟି ନୂଆ ମାମଲା ସହ ଆକ୍ରାନ୍ତ ସଂଖ୍ୟା ୫୫୦ରେ ପହଞ୍ଚିଯାଇଛି।
କରୋନା ସଂକ୍ରମଣ ଓ ମୃତ୍ୟୁ କ୍ଷେତ୍ରରେ ମହାରାଷ୍ଟ୍ର ଏବଂ ଗୁଜରାଟର ସ୍ଥିତି ଚିନ୍ତାଜନକ ରହିଛି। ଆଜି ଅହମଦାବାଦରେ ୧୯ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ଏବଂ ସହରରେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୧୨୯ରେ ପହଞ୍ଚିଛି। ମହାରାଷ୍ଟ୍ରରେ ଗତକାଲି ୩୧ ଜଣ କରୋନାରେ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ ମୃତ୍ୟୁ ମୁମ୍ବାଇରେ ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ର ଏବଂ ଗୁଜରାଟରେ ଏ ପର୍ଯ୍ୟନ୍ତ କରୋନାରେ ୫୮୩ ଜଣଙ୍କ ଜୀବନ ଯାଇଛି। ଏହା ଦେଶର ମୋଟ କରୋନା ମୃତ୍ୟୁର ୬୦ ପ୍ରତିଶତ ବୋଲି ଜଣାପଡ଼ିଛି। ମହାରାଷ୍ଟ୍ରରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ଯୁଦ୍ଧସ୍ତରରେ ବ୍ୟାପକ ପ୍ରୟାସ ଚାଲିଛି। ଗତକାଲି ଗୋଟିଏ ଦିନରେ ୭୨୯ଟି ନୂଆ ମାମଲା ଆସିବା ସହ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୯୩୧୮ରେ ପହଞ୍ଚିଯାଇଛି। ବହୁ ସଂଖ୍ୟାରେ ସ୍ବାସ୍ଥ୍ୟକର୍ମୀ ଏବଂ ଡାକ୍ତର କରୋନା ଆକ୍ରାନ୍ତ ହେଉଥିବାରୁ ସ୍ଥିତି ଜଟିଳ ରୂପ ନେଇଛି।
ଅନ୍ୟପକ୍ଷରେ କେରଳ, କର୍ଣ୍ଣାଟକ ଏବଂ ତେଲେଙ୍ଗାନାରେ କରୋନା ସଂକ୍ରମଣ ସ୍ଥିତିରେ ସୁଧାର ହେଉଛି। ବିଗତ ୪ ଦିନ ମଧ୍ୟରେ ତେଲେଙ୍ଗାନାରେ ମାତ୍ର ୧୭ଟି ମାମଲା ଆସିଥିବା ବେଳେ କର୍ଣ୍ଣାଟକରେ ୨୩ଟି ମାମଲା ଏବଂ କେରଳରେ ୨୮ଟି ମାମଲା ସାମ୍ନାକୁ ଆସିଛି।
ଦିଲ୍ଲୀରେ ଦ୍ବିତୀୟ ୧୦୦୦ ମାମଲା ପାଇଁ ୮ ଦିନ
ପ୍ରଥମ ୧୦୦୦ ପାଇଁ ୪୨ ଦିନ, ଗତ ୩ ଦିନରେ ଦିଲ୍ଲୀରେ ଗୋଟିଏ ବି ମୃତ୍ୟୁ ନାହିଁନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ତେବେ ଦିଲ୍ଲୀରେ ଗତ ୩ ଦିନ ମଧ୍ୟରେ ଗୋଟିଏ ହେଲେ ମୃତ୍ୟୁ ହୋଇନାହିଁ। ଦିଲ୍ଲୀରେ ଏପ୍ରିଲ ୨୭ ସୁଦ୍ଧା ୮୭୭ ଜଣ ରୋଗୀ କରୋନାରୁ ସୁସ୍ଥ ହୋଇଥିଲେ ଏବଂ ୨,୧୭୭ ମାମଲା ଥିଲା। ଦିଲ୍ଲୀରେ ପ୍ରଥମ ୧୦୦୦ ମାମଲା ହେବାପାଇଁ ୪୨ ଦିନ ଲାଗିଥିଲା କିନ୍ତୁ ଦିଲ୍ଲୀରେ ମାମଲା ୧,୦୦୦ରୁ ୨,୦୦୦ ଏବଂ ୨୦୦୦ରୁ ୩୦୦୦ ପହଞ୍ଚିବା ପାଇଁ ମାତ୍ର ୮ ଦିନ ଲାଗିଛି। ମାର୍ଚ୍ଚ ୧ ତାରିଖରେ ଦିଲ୍ଲୀରେ ପ୍ରଥମ ମାମଲା ଚିହ୍ନଟ ହୋଇଥିଲା। ଏପ୍ରିଲ ୧୧ ତାରିଖରେ ମାମଲା ୧,୦୦୦ ଅତିକ୍ରମ କରିଥିଲା। ତେବେ ଏପ୍ରିଲ ୧୯ ତାରିଖରେ ଦିଲ୍ଲୀରେ କରୋନା ମାମଲା ୨,୦୦୦ ଅତିକ୍ରମ କରି ୨,୦୦୩ରେ ପହଞ୍ଚିଥିଲା। ତେବେ ଏପ୍ରିଲ ୨୭ରେ ଦିଲ୍ଲୀରେ କରୋନା ମାମଲା ୩,୧୦୮ରେ ପହଞ୍ଚିଥିଲା।
କେବଳ ୦.୩୩% ଭେଣ୍ଟିଲେଟରରେ ଅଛନ୍ତି
ନୂଆଦିଲ୍ଲୀ : ଦେଶରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୦.୩୩ ପ୍ରତିଶତ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି। ୧.୫ ପ୍ରତିଶତ ରୋଗୀ ଅକ୍ସିଜେନ୍ ସପୋର୍ଟ୍ରେ ଅଛନ୍ତି ଏବଂ ୨.୩୪ ପ୍ରତିଶତ ଲୋକ ଆଇସିୟୁରେ ଅଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ଏହି ସୂଚନା ଦେଇଛନ୍ତି। ଦେଶରେ ସମସ୍ତ ସକ୍ରିୟ କରୋନା ରୋଗୀ ଏବେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ଦେଶରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୨ ହଜାର ୯୮୨ ରହିଛି। ତେବେ ବିଶ୍ବସ୍ତରରେ କରୋନା ମୃତ୍ୟୁହାର ୭ ପ୍ରତିଶତ ଥିବାବେଳେ ଭାରତରେ ଏହା ୩ ପ୍ରତିଶତ ରହିଛି।