ଦେଶରେ ଆକ୍ରାନ୍ତ ସଂଖ୍ୟା ୫୦ ହଜାର ଟପିଲା; ୨୪ ଘଣ୍ଟାରେ ୨୯୫୮ ନୂଆ ମାମଲା, ୧୨୬ ମୃତ୍ୟୁ

୫ ଦିନରେ ୫୨୬ ଜଣଙ୍କ ମୃତ୍ୟୁ, ୧୧,୦୦୦ରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୦,୦୦୦ ଟପିଯାଇଛି। ବେସରକାରୀ ସୂତ୍ରରୁ ଏହା ଜଣାପଡ଼ିଛି। କେରଳରେ ପ୍ରଥମ ମାମଲା ଚିହ୍ନଟ ହେବାର ୪ ମାସ ପରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ହଜାର ଟପିଛି। ମିଳିଥିବା ସୂଚନାନୁଯାୟୀ ଦେଶରେ ଏବେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୫୦ହଜାର ୫୪୫ରେ ପହଞ୍ଚିଛି। ତେବେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବୁଧବାର ସକାଳେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଦେଶରେ ୨୪ ଘଣ୍ଟାରେ ୨୯୫୮ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୧୨୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୯ ହଜାର ୩୯୧ରେ ପହଞ୍ଚିଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରେ ୩୩ ହଜାର ୫୧୪ଟି ସକ୍ରିୟ ମାମଲା ରହିଛି ଏବଂ ୧୬୯୪ ଜଣଙ୍କ ମୃତ୍ୟୁ ହୋଇଛି। ୧୪ ହଜାର ୧୮୨ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର ହେଉଛି ମହାରାଷ୍ଟ୍ର। ଏଠାରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୫ହଜାର ୫୨୫ରେ ପହଞ୍ଚିଛି। ମୋଟ୍‌ ୧୬୯୪ ମୃତ୍ୟୁରୁ କେବଳ ମହା‌ରାଷ୍ଟ୍ରରେ ୬୧୭ଟି ହୋଇଛି। ଅନ୍ୟପକ୍ଷେ ବେସରକାରୀ ଭାବେ ମହାରାଷ୍ଟ୍ରରେ ମୋଟ୍‌ ମାମଲା ୧୬ ହଜାର ୭୫୮ରେ ପହଞ୍ଚିଥିବା ଜଣାପଡ଼ିଛି। କେବଳ ଗୋଟିଏ ଦିନରେ ମହାରାଷ୍ଟ୍ରରେ ୧୨୩୩ଟି ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ର ପରେ ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୨୪୫ରେ ପହଞ୍ଚିଛି ଏବଂ ୩୬୮ ଜଣଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ମୋଟ୍‌ ମାମଲା ୫ ହଜାର ୧୦୪ ରହିଛି ଏବଂ ୬୪ ଜଣଙ୍କ ମୃତ୍ୟୁ ହୋଇଛି। ତାମିଲନାଡ଼ୁ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବି ସଂକ୍ରମଣ ମାମଲା ବଢ଼ିଚାଲିଛି। ତାମିଲନାଡ଼ୁରେ ଆକ୍ରାନ୍ତ ସଂଖ୍ୟା ୪ ହଜାର ୫୮ରେ ପହଞ୍ଚିଥିବାବେଳେ ରାଜସ୍ଥାନରେ ୩ ହଜାର ୧୫୮ ଏବଂ ମଧ୍ୟପ୍ର‌ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଟପିଛି।

ଉତ୍ତରପୂର୍ବ ରାଜ୍ୟ ତ୍ରିପୁରାରେ ସଂକ୍ରମଣ ମାମଲା ହଠାତ୍‌ ବଢ଼ିଯାଇଛି। ଏହି ରାଜ୍ୟରେ ଏବେ ୪୩ଟି ନୂଆ ମାମଲା ଚିହ୍ନଟ ହୋଇଛି। ଅନ୍ୟପକ୍ଷେ ଉତ୍ତରପ୍ରଦେଶରେ ୨,୮୮୦, ଆନ୍ଧ୍ରପ୍ରଦେଶରେ ୧୭୧୭, ପଶ୍ଚିମବଙ୍ଗରେ ୧୩୪୪, ତେଲେଙ୍ଗାନାରେ ୧୦୯୬ ଜଣ ସଂକ୍ରମିତ ହୋଇଛନ୍ତି। ଗତ ୩ ଦିନ ମଧ୍ୟରେ ଦେଶରେ ୧୦ହଜାରରୁ ଅଧିକ ଜଣ କରୋନା ସଂକ୍ରମିତ ହୋଇଛନ୍ତି।

୫ ଦିନରେ ୫୨୬ ଜଣଙ୍କ ମୃତ୍ୟୁ, ୧୧,୦୦୦ରୁ ଅଧିକ ଆକ୍ରାନ୍ତ
ନୂଆଦିଲ୍ଲୀ : ଗତ ୫ ଦିନ ମଧ୍ୟରେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ମାମଲା ମାତ୍ରାଧିକ ବଢ଼ିଛି। କୋଭିଡ୍‌-୧୯ ଆକଳନରୁ ଏହା ଜଣାପଡ଼ିଛି ଯେ ଗତ ୫ ଦିନ ମଧ୍ୟ‌ରେ ଦେଶରେ ୫୨୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୧ ହଜାରରୁ ଅଧିକ କ‌ରୋନା ସଂକ୍ରମିତ ହୋଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ସୋମବାରରୁ ମଙ୍ଗଳବାର ମଧ୍ୟରେ ଦେଶରେ ୧୯୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୩,୮୭୫ ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ଦେଶରେ ୧୨,୭୨୬ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ଆରୋଗ୍ୟ ହାର ୨୮.୧୭ ପ୍ରତିଶତ ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ଦିଲ୍ଲୀରେ ମଙ୍ଗଳବାର ୨୦୬ ନୂଆ ମାମଲା ଚିହ୍ନଟ ହୋଇଛି। ୧୧ ଦିନରେ ମୋଟ୍‌ ସଂକ୍ରମଣ ମାମଲା ଦ୍ବିଗୁଣ ହୋଇ ୫,୧୦୪‌ରେ ପହଞ୍ଚିଛି। ଗତ ୫ ଦିନ ମଧ୍ୟରେ ଦିଲ୍ଲୀରେ ୧୫୦୦ ମାମଲା ଚିହ୍ନଟ ହୋଇଛି। ଦେଶର ସମୁଦାୟ ମାମଲାର ୧୦.୩ ପ୍ରତିଶତ ଦିଲ୍ଲୀରୁ ରେକର୍ଡ କରାଯାଇଛି। ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗରେ ଗତ ୫ ଦିନ ମଧ୍ୟରେ ସଂକ୍ରମଣ ମାମଲା ଅଧିକ ରହିଛି। ଜାତୀୟ ହାରାହାରି ସଂକ୍ରମଣ ଠାରୁ ଏହି ସବୁ ରାଜ୍ୟ ଗୁଡ଼ିକରେ ସଂକ୍ରମଣ ମାତ୍ରା ଅଧିକ ରହିଛି। ତାମିଲନାଡ଼ୁରେ ସଂକ୍ରମଣ ମାତ୍ରା ୧୪.୩ ପ୍ରତିଶତ ଥିବାବେଳେ ପଂଜାବରେ ସଂକ୍ରମଣ ହାର ୧୭.୭୭ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର