ଭାରତରେ ୨୪ ଘଣ୍ଟାରେ ୭୭୩ ଆକ୍ରାନ୍ତ ଚିହ୍ନଟ : ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଟପିଲା, ୧୪୯ ମୃତ

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି। ଆଜି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫୨୭୪ରେ ପହଞ୍ଚିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୭୭୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ଏ ପର୍ଯ୍ୟନ୍ତ କରୋନାରେ ୧୪୯ ଜଣଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ । ଏବେ ୪୬୪୩ଟି ସକ୍ରିୟ ମାମଲା ରହିଥିବା ବେଳେ ଅନ୍ୟମାନେ ସୁସ୍ଥ ହୋଇ ଫେରିଛନ୍ତି। ଦେଶବ୍ୟାପୀ କରୋନା ଭାଇରସ୍‌ ଟେଷ୍ଟିଂକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯାଇଛି। ପ୍ରତିଦିନ ୧ ଲକ୍ଷ ଲୋକଙ୍କ ଟେଷ୍ଟିଂ ପାଇଁ ସରକାର ଏବେ ଯୋଜନା କରୁଛନ୍ତି। ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡ଼ୁ ଆଦି ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଟେଷ୍ଟିଂ ଲ୍ୟାବ୍‌ ସଂଖ୍ୟା ଯୁଦ୍ଧକାଳୀନ ଭିତ୍ତିରେ ବଢ଼ାଇ ଦିଆଯାଇଛି। ବିଭିନ୍ନ ରାଜ୍ୟରେ ଘରକୁ ଘର ଯାଇ ଲୋକଙ୍କୁ ସ୍କ୍ରିନିଂ କରାଯାଉଛି। ରାଜ୍ୟ ସରକାରମାନେ କରୋନା ବିରୋଧରେ ଅହରହ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। କରୋନା ଭାଇରସ୍‌ ସଂକ୍ରମଣର ସବୁଠୁ ଅଧିକ ମାମଲା ଏବେ ମହାରାଷ୍ଟ୍ରରେ ରହିଛି। ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୧ ହଜାର ଅତିକ୍ରମ କରିଯାଇଥିବା ବେଳେ ୬୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଆନ୍ଧ୍ର ପ୍ରଦେଶରେ ୩୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆସାମରେ ୨୭ ଜଣ, ବିହାରରେ ୩୮ ଜଣ, ଦିଲ୍ଲୀରେ ୫୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀର କେତେକ ଅଂଚଳରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବାରୁ ସଂପୃକ୍ତ ଅଂଚଳକୁ ସିଲ୍‌ କରି ଯୁଦ୍ଧସ୍ତରରେ ମୁକାବିଲା କରାଯାଉଛି।

ଗୁଜରାଟରେ ୧୬୫ ଜଣ କରୋନା ଆକ୍ରାନ୍ତ ଆଜି ସୁଦ୍ଧା ଚିହ୍ନଟ ହୋଇଥିବା ବେଳେ ହରିୟାଣାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ରେ ପହଞ୍ଚିଛି। ଜମ୍ମୁ କାଶ୍ମୀରରେ ୧୧୬ ଜଣ ଆକ୍ରାନ୍ତ ହୋଇଛନ୍ତି। କର୍ଣ୍ଣାଟକରେ ଆଜି ସୁଦ୍ଧା ୧୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ଜମାତୀଙ୍କ ପାଇଁ ସଂକ୍ରମଣ ବଢ଼ିବାରେ ଲାଗିଛି। କେରଳରେ ୩୩୬ ଜଣ ଆକ୍ରାନ୍ତ ହୋଇଛନ୍ତି। କେରଳରେ ଲକ୍‌ଡାଉନ୍‌ ବ୍ୟବସ୍ଥା କଡ଼ାକଡ଼ି ଭାବେ ପାଳନ କରାଯାଉଛି। ମଧ୍ୟପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୯ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର