ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୭ ଦିନ ମଧ୍ୟରେ ଦେଶର ୮୦ ଜିଲ୍ଲାରୁ କରୋନା ସଂକ୍ରମଣ ହେବା ସମ୍ପର୍କରେ କୌଣସି ତଥ୍ୟ ଆସିନାହିଁ । ଆଜି ଏହି ତଥ୍ୟ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଗତ ୧୪ ଦିନ ମଧ୍ୟରେ ୪୭ ଜିଲ୍ଲାରେ କୌଣସି ନୂତନ କରୋନା ଆକ୍ରାନ୍ତ ନେଇ ତଥ୍ୟ ଆସିନାହିଁ । ୨୮ ଦିନରେ ୧୭ ଜିଲ୍ଲାରେ କରୋନା ନେଇ ବି କୌଣସି ସୂଚନା ନାହଁ ।
ଦେଶ ଏବେ କରୋନା ସହ ଲଢେଇ କରୁଥିବା ବେଳେ ଭାରତ ଭେଂଟିଲେଟର ତିଆରି କରିବା ଆରମ୍ଭ କରିଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଦେଶରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ହଜାର ଅତିକ୍ରମ କରିଥିବା ବେଳେ ୯୩୪ ଜଣ ପ୍ରାଣ ହରାଇସାରିଲେଣି । ଏହି ସମୟ ମଧ୍ୟରେ ହର୍ଷବର୍ଦ୍ଧନଙ୍କ ବୟାନ ଆଶ୍ୱସ୍ତି ଆଣିଦେଇଛି ।
ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା କି କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ଶରୀରରୁ ସଂକ୍ରମଣ ବ୍ୟାପିବାର କୌଣସି ଆଶଙ୍କା ନାହିଁ । ବରଂ ପ୍ଲାଜମା ଚିକିତ୍ସା ମାଧ୍ୟମରେ ସେମାନଙ୍କ ଦ୍ୱାରା ଅନ୍ୟମାନେ ଆରୋଗ୍ୟ ଲାଭ କରିପାରିବେ । ଏଣୁ ସୁସ୍ଥ ରୋଗୀଙ୍କୁ ନେଇ ଲୋକମାନଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଦୂର ହେବା ଆବଶ୍ୟକ।