ନୂଆଦିଲ୍ଲୀ : ଯଦିଓ ଦେଶରେ ଗତ ୫ ଦିନ ହେଲା ଦୈନିକ ସଂକ୍ରମଣ ୪ ଲକ୍ଷର ଯଥେଷ୍ଟ ତଳେ ରହି ଆସିଛି, ତେବେ ଲଗାତାର ତୃତୀୟ ଦିନ ପାଇଁ ଦେଶରେ କୋଭିଡ୍ ମୃତକଙ୍କ ସଂଖ୍ୟା ଗୁରୁବାର ୪,୦୦୦ ଉପରେ ରହିବା ଚିନ୍ତାର ବିଷୟ ହୋଇଛି। ସେଥି ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୮୫୦ ଜଣ ମୃତକ ରହିଥିବା ବେଳେ ତାହା ପଛକୁ କର୍ଣ୍ଣାଟକର ୩୪୪ ଜଣ ରହିଛନ୍ତି। ଗୁରୁବାରର ଏହି ମୃତ୍ୟୁସଂଖ୍ୟାକୁ ମିଶାଇ ଦେଶରେ ମୋଟ କୋଭିଡ୍ ମୃତକଙ୍କ ସଂଖ୍ୟା ୨,୬୨,୩୧୭ ହୋଇଛି। ସେହିପରି ଶୁକ୍ରବାର ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟା ଭିତରେ ସମଗ୍ର ଦେଶରେ ୩,୪୩,୧୪୪ ଜଣ ସଂକ୍ରମିତ ଠାବ ହେବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୪୦,୪୬,୮୦୯ରେ ପହଞ୍ଚିଛି। ଏହି ନୂତନ ସଂକ୍ରମିତଙ୍କ ମଧ୍ୟରେ ମହାରାଷ୍ଟରେ ସର୍ବାଧିକ ୪୨,୫୮୨ ଜଣ, କେରଳରେ ୩୯,୯୫୫ ଜଣ, କର୍ଣ୍ଣାଟକରେ ୩୫,୨୯୭ ଜଣ, ତାମିଲନାଡୁରେ ୩୦,୬୨୧ ଜଣ ଓ ଆନ୍ଧ୍ରପ୍ରଦେଶରେ ୨୨,୩୯୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅପରପକ୍ଷେ, ଏହି ଦିନକ ଭିତରେ ଦେଶରେ ୩,୪୪,୭୭୬ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଅଦ୍ୟାବଧି ମୋଟ ୨,୦୦,୭୯,୫୯୯ ଜଣ କୋଭିଡ୍ ପୀଡ଼ିତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଜଣାଯାଇଛି। ସଂକ୍ରମିତଙ୍କ ତୁଳନାରେ ସକ୍ରିୟ ମାମଲା ୧୫.୪୧ ପ୍ରତିଶତ ରହିଥିବା ବେଳେ ଆରୋଗ୍ୟ ହାର ୮୩.୫୦ ପ୍ରତିଶତ ହୋଇଛି। ତଥାପି ଦେଶରେ ଏବେ ବି ୩୭,୦୪,୮୯୩ଟି ସକ୍ରିୟ ମାମଲା ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି। ତେବେ ପୁଣି ଥରେ ନୂତନ ସଂକ୍ରମିତଙ୍କ ତୁଳନାରେ ଅଧିକ ଆରୋଗ୍ୟ ହେବା ଖବର ସାମାନ୍ୟ ଆଶ୍ବସ୍ତି ଆଣିଛି। ସେହିପରି କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ଦୈନିକ ସଂକ୍ରମଣ ସଂଖ୍ୟା କମିଆସିବା ଲକ୍ଷଣରୁ ଦକ୍ଷିଣ ଭାରତରେ କୋଭିଡ୍ ସ୍ଥିତିରେ କିଛି ସୁଧାର ଆସୁଥିବା ଅନୁମାନ କରାଯାଉଛି।