ବିଶ୍ୱରେ ଭାଙ୍ଗୁଛି କରୋନା ସଂକ୍ରମଣର ରେକର୍ଡ: ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଦେଢ କୋଟି ଲୋକ

ନୂଆଦିଲ୍ଲୀ: ସାରା ଦେଶରେ ଓମିକ୍ରନ ସଂକ୍ରମଣ ବଢିଚାଲିଛି । ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଙ୍ଗଳବାର ଜାରି କରିଥିବା ରିପୋର୍ଟରେ କହିଛି ଯେ, ଗତ ସପ୍ତାହରେ କରୋନା ସଂକ୍ରମଣରେ ପ୍ରାୟ ୫୫ ପ୍ରତିଶତ ବୃଦ୍ଧି ହୋଇଛି । ତେବେ ରିପୋର୍ଟ ଅନୁସାରେ, ଏହି ସମୟ ମଧ୍ୟରେ ପ୍ରାଣ ହରାଇଛନ୍ତି ୪୩ ହଜାରରୁ ଅଧିକ ଲୋକ । ଆଉ ଏହି ସଂଖ୍ୟା ସ୍ଥିର ରହିଛି । ଆଫ୍ରିକାକୁ ଛାଡି ଦୁନିଆର ଅନ୍ୟ ଦେଶରେ କରୋନା ସଂକ୍ରମଣ ବଢୁଛି। କେବଳ ଆଫ୍ରିକାରେ କୋଭିଡ ମାମଲା ୧୧ ପ୍ରତିଶତ କମିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ କହିଛନ୍ତି ଯେ, ଗତ ସପ୍ତାହରେ କରୋନା ସଂକ୍ରମଣ ପ୍ରାୟ ଦେଢ କୋଟିରେ ପହଞ୍ଚିଛି, ଯାହା ବର୍ତ୍ତମାନ ସୁଦ୍ଧା ସବୁଠାରୁ ଅଧିକ ସଂକ୍ରମଣ । ଆଉ ଅଧିକାଂଶ ସକ୍ରମଣ ଓମିକ୍ରନ କାରଣରୁ ହେଉଥିବା ସାମ୍ନାକୁ ଆସୁଛି । ଏବେ ଡେଲଟାର ସ୍ଥାନ ନେଉଛି ଓମିକ୍ରନ । କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ପୁଣି ସଂକ୍ରମିତ ହେଉଛନ୍ତି । ଟିକା ନେଇଥିବା ଲୋକ ବି ଓମିକ୍ରନରେ ସଂକ୍ରମିତ ହେଉଛନ୍ତି । ତଥ୍ୟ ଅନୁସାରେ, ଡିସେମ୍ବର ପହିଲାରେ ବିଶ୍ୱରେ ୬ ଲକ୍ଷ ୭୮ ହଜାର ମାମଲା ସାମ୍ନାକୁ ଆସିଥିଲା । ଆଉ ୧୨ ଜାନୁଆରିରେ ଏହା ବଢି ୨୮ ଲକ୍ଷ ହୋଇଥିଲା । ଏହା ଦର୍ଶାଉଛି ସଂକ୍ରମଣ କେଉଁ ହାରରେ ବୃଦ୍ଧି ପାଉଛି । ଓମିକ୍ରନ ବୃଦ୍ଧିକୁ ଦୃଷ୍ଟିରେ ରଖି ଟିକାକରଣକୁ ଜୋରଦାର କରାଯାଇଛି । କିନ୍ତୁ ଆଫ୍ରିକୀୟ ଦେଶରେ ଟିକାକରଣ ମନ୍ଥର ଗତିରେ ଚାଲିଛି । ଆଫ୍ରିକାରେ ବର୍ତ୍ତମାନ ସୁଦ୍ଧା ୮୫ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇନାହାନ୍ତି । ଓମିକ୍ରନ ସଂକ୍ରମଣ ବଢୁଥିବାରୁ କରୋନା ଗାଇଡଲାଇନ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର