ବଢ଼ିଚାଲିଛି କରୋନା ପ୍ରକୋପ, ଦିନକରେ ୭୧୪ କରୋନା ମୃତ୍ୟୁ ୮୯,୧୨୯ ନୂଆ ମାମଲା

ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ଆଜି ମଧ୍ୟ ଦୈନିକ ସଂକ୍ରମଣରେ ନୂଆ ରେକର୍ଡ ହୋଇଛି। ଗୋଟିଏ ଦିନରେ ୮୯,୧୨୯ ନୂଆ ମାମଲା ଚିହ୍ନଟ ହୋଇଛି। ୬ ମାସ ମଧ୍ୟରେ ଏହା ସର୍ବାଧିକ ସଂକ୍ରମଣ। ଅନ୍ୟପକ୍ଷେ କରୋନା ମୃତ୍ୟୁ ୭୦୦ ଟପିଯାଇଛି। ୨୪ ଘଣ୍ଟା ମଧ୍ୟରେ ୭୧୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ଗତ ୩ ସପ୍ତାହ ଧରି ଦେଶରେ ସଂକ୍ରମଣ ମାମଲା ବଢ଼ିଚାଲିଛି। ମହାରାଷ୍ଟ୍ର ଏବଂ ମୁମ୍ବାଇ ସ୍ଥିତି ଅତି ଜଟିଳ ରହିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା ୬,୫୮,୯୦୯ ପହଞ୍ଚିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୫.୩୨ ପ୍ରତିଶତ। ଆରୋଗ୍ୟ ହାର ମଧ୍ୟ ୯୩.୩୬ ପ୍ରତିଶତକୁ ଖସିଆସିଛି।

ଦେଶରେ ଚିହ୍ନଟ ହୋଇଥିବା ମୋଟ୍‌ ସଂକ୍ରମଣ ମାମଲାର ୮୧.୪୨ ପ୍ରତିଶତ ୮ଟି ରାଜ୍ୟରୁ ଚିହ୍ନଟ ହୋଇଛି। ଏହି ୮ଟି ରାଜ୍ୟ ହେଉଛି ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ଼, ଦିଲ୍ଲୀ, ତାମିଲନାଡ଼ୁ, ଉତ୍ତରପ୍ରଦେଶ , ପଂଜାବ ଏବଂ ମଧ୍ୟପ୍ରଦେଶ। ସେହିପରି ଦେଶର ମୋଟ୍‌ ସକ୍ରିୟ ମାମଲାର ୫୦ ପ୍ରତିଶତ ୧୦ ଟି ଜିଲ୍ଳାରୁ ଚିହ୍ନଟ ହୋଇଛି ଏବଂ ଏହି ୧୦ ଟି ଜିଲ୍ଳା ହେଉଛି ପୁନେ, ମୁମ୍ବାଇ, ନାଗପୁର, ଥାନେ, ନାଶିକ, ବେଙ୍ଗାଲୁରୁ ଅର୍ବାନ୍‌, ଔରଙ୍ଗାବାଦ୍‌, ‌ଦିଲ୍ଲୀ, ଅହମଦନଗର ଏବଂ ନାଣ୍ଡେଡ୍‌। ତେବେ ମହାରାଷ୍ଟ୍ର ବାଦ୍‌ ପଂଜାବ, କର୍ଣ୍ଣାଟକ, କେରଳ, ଛତିଶଗଡ଼, ଚଣ୍ଡିଗଡ଼, ଗୁଜରାଟ, ମଧ୍ୟପ୍ରଦେଶ, ତାମିଳନାଡ଼ୁ , ଦିଲ୍ଲୀ ଏବଂ ହରିୟାଣା ସଂକ୍ରମଣ ଖୁବ୍‌ ଚିନ୍ତାଜନକ ବୋଲି କେନ୍ଦ୍ର ସରକାର କହିଛନ୍ତି। ଦିଲ୍ଲୀରେ ଲଗାତାର ୨ ଦିନ ଧରି ଦୈନିକ ସଂକ୍ରମଣ ମାମଲା ୩,୫୦୦ରୁ ଅଧିକ ରହିଛି। ବିଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୩,୫୬୭ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୨,୯୦୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୧,୨୩,୯୨,୨୬୦ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୧୬୪,୧୪୧କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ଗତକାଲି ସର୍ବାଧିକ ୪୭,୯୧୩ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରେ ୪,୯୯୧ ମାମଲା ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର