ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩କୁ ବୃଦ୍ଧି , ଇରାନରେ ଫସିରହିଛନ୍ତି ୬୦୦୦ ଭାରତୀୟ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି । ବୁଧବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦ ଥିବାବେଳେ ଆଜି ଆଉ ୧୩ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି ।
ଚିନ୍ତାଜନକ ବିଷୟ ହେଉଛି ଇରାନରେ ପ୍ରାୟ ୬ ହଜାର ଭାରତୀୟ ଫସିରହିଛନ୍ତି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଆଜି ଲୋକସଭାରେ ଘୋଷଣା କରିଛନ୍ତି । ସେମାନଙ୍କ ମଧ୍ୟରୁ ମହାରାଷ୍ଟ୍ର ଓ କଶ୍ମୀରରୁ ଯାଇଥିବାପ୍ରାୟ ୧୧୦୦ ଜଣ ତୀର୍ଥଯାତ୍ରୀ ଅନ୍ତର୍ଭୁକ୍ତ । ସେହିପରି ୬୦୦ ଜଣ ଛାତ୍ରଛାତ୍ରୀମଧ୍ୟ ସେଠାରେ ରହିଛନ୍ତି । ଇରାନରେ ଫସିରହିଥିବା ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଦିଲ୍ଲୀ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପକ୍ଷରେ ବିଶ୍ୱସ୍ତରରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ହ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗଛି । ଗୁରୁବାର ସୁଦ୍ଧା ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାରରେ ପହଞ୍ଚିଛି ଓ ମୃତ୍ୟୁସଂଖ୍ୟା ୪୫୦୦ ଟପିଯାଇଛି । ଆଶ୍ୱସ୍ତିର କଥା ହେଉଛି ଚୀନରେ ସଂକ୍ରମିତଙ୍କ ପ୍ରାୟତଃ ସଂଖ୍ୟା ସ୍ଥିର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚୀନରେ ମାତ୍ର ୧୫ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି । ତେବେ ବିଶ୍ୱର ଅନ୍ୟ ଦେଶ ଯଥା ଇଟାଲି, ଇରାନ, ଆମେରିକା, ଜର୍ମାନି ଆଦିରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର