ମୁମ୍ବାଇ: କୋଭିଡ୍-୧୯ ସଂକ୍ରମଣ ମାମଲା ହଠାତ୍ ବୃଦ୍ଧି ପାଇବାରୁ ଖୋଲା ସ୍ଥାନ ବ୍ୟତୀତ ବାକି ସମସ୍ତ ସର୍ବସାଧାରଣସ୍ଥାନଗୁଡ଼ିକରେ ମାସ୍କ୍ ପରିଧାନ କରିବା ପାଇଁ ମହାରାଷ୍ଟ୍ର ସରକାର ନାଗରିକମାନଙ୍କ ନିମନ୍ତେ ଆଦେଶ ଜାରି କରିଛନ୍ତି। ଲଗାତାର ୬ଦିନ ହେଲାଣି ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଂଖ୍ୟା ୧,୦୦୦ ଉପରେ ରହିଛି। ଗତ ୨୪ଘଣ୍ଟାରେ ମହାରାଷ୍ଟ୍ରରେ ୧୮୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ଜଣେ ମହିଳା ବିଏ.୫ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହୋଇଛନ୍ତି। ସଂକ୍ରମଣ ସଂଖ୍ୟା ବଢ଼ିବା ସହ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୪୩୨ରେ ପହଞ୍ଚିଛି।
୨୪ଘଣ୍ଟାରେ ମହାରାଷ୍ଟ୍ରରେ ୧୮୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୭୮ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏବେ ସୁସ୍ଥତା ହାର ୯୮.୦୨ ରହିଛି।
ସଂକ୍ରମଣ ବୃଦ୍ଧି ହେଉଥିବାରୁ ଏବେ ସର୍ବସାଧାରଣ ସ୍ଥାନଗୁଡ଼ିକରେ ମାସ୍କ୍ ପିନ୍ଧିବା ପାଇଁ ଆଦେଶ ଦିଆଯିବା ସହ ଟ୍ରେନ୍, ବସ୍, ସିନେମା, ଅଡିଟରିୟମ୍, ଅଫିସ୍, ହସ୍ପିଟାଲ୍, କଲେଜ, ସ୍କୁଲ୍ ଆଦି ଆବଦ୍ଧ ସର୍ବସାଧାରଣ ସ୍ଥାନଗୁଡ଼ିକରେ ମାସ୍କ୍ ପିନ୍ଧିବା ପାଇଁ କୁହାଯାଇଛି। ଗତ ଦୁଇ ମାସ ହେବ ରାଜ୍ୟରେ କୋଭିଡ୍-୧୯ ମାମଲା କ୍ରମଶଃ ହ୍ରାସ ପାଇବା ପରେ ସଂକ୍ରମଣ ମାମଲା ଧୀରେ ଧୀରେ ବୃଦ୍ଧି ପାଉଥିଲା। କିନ୍ତୁ ଜୁନ୍ ପହିଲାରେ ଦୈନିକ ସଂକ୍ରମଣ ମାମଲା ପ୍ରଥମ ଥର ପାଇଁ ୧୦୦୦ ଟପିଯାଇଛି। ଏବେ ମୁମ୍ବାଇ ମେଟ୍ରୋପଲିଟାନ୍ ଅଞ୍ଚଳ ଏବଂ ଥାନେରେ କୋଭିଡ୍-୧୯ ସଂକ୍ରମଣ ମାମଲା ଦ୍ରୁତ ବୃଦ୍ଧି ପାଉଛି। ଏହାଛଡ଼ା, ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ପଜିଟିଭିଟି ହାର ବୃଦ୍ଧି ପାଉଛି।