ଧାର୍ମିକ ସମାବେଶରୁ ଏସିଆରେ କରୋନା କ୍ଲଷ୍ଟର

ନୂଆଦିଲ୍ଲୀ: ଏକ ରକ୍ଷଣଶୀଳ ଧାର୍ମିକ ଗୋଷ୍ଠୀ ”ତବ୍‌ଲିଗି ଜମାତ୍‌”ର ବିଶାଳ ସମାବେଶ ଯୋଗୁ ମାଲେସିଆ ଓ ଭାରତ ପରେ ଏବେ ପାକିସ୍ତାନରେ କରୋନଭୂତାଣୁ ହଟ୍‌ସ୍ପଟ୍‌ ବଢ଼ିବାରେ ଲାଗିଛି। ସୁନ୍ନୀ ମୁସଲିମ୍‌ ମିଶନାରୀ ଗ୍ରୁପ୍‌ ଆୟୋଜିତ ସମାବେଶରେ ୩ହଜାର ବିଦେଶାଗତଙ୍କ ସମେତ ୭୦ହଜାର ଶ୍ରଦ୍ଧାଳୁ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୨୨୫୮ ଜଣଙ୍କ ଠାରେ କୋଭିଡ୍‌-୧୯ ଚିହ୍ନଟ ହୋଇଥିବା ସରକାରୀ ତଥ୍ୟ କହୁଛି। ଏହି ୫ଦିନିଆ ବାର୍ଷିକ ଧର୍ମସମାବେଶ ହୋଇଛି, ପାକିସ୍ତାନରେ ଲକ୍‌ଡାଉନ୍‌ ଲାଗୁ ହେବା ପୂର୍ବରୁ। ଏହି ଧାର୍ମିକ ସଂଗଠନ ହେଉଛି ବିଶ୍ୱର ବୃହତ୍ତମ ଧାର୍ମିକ ଆନ୍ଦୋଳନ, ଯାହାର ୧୫୦ ଦେଶରେ ଉପସ୍ଥିତି ରହିଛି। କୌଣସି ଔପଚାରିକ ସଦସ୍ୟତା ନଥିବା ଏହି ସଂଗଠନ, ଇସ୍‌ଲାମୀୟ ରୀତିରିୱାଜ୍‌ ଅନୁପାଳନ କରି ପକ୍କା ମୁସଲମାନ ଜୀବନ ବଞ୍ଚିବାକୁ ତାଲିମ୍‌ ଦେଇଥାଏ। ବିଶ୍ୱର ଅନେକ କୋଭିଡ୍‌-୧୯ ହଟ୍‌ସ୍ପଟ୍‌ର ସଂପର୍କ ଏବେ ଏହାର ସମାବେଶ ସହିତ ରହିଥିବା ଜଣାପଡ଼ିଛି। ସେହିଭଳି ଦକ୍ଷିଣକୋରିଆରେ ଏକ ଚର୍ଚ୍ଚ କାରଣରୁ ୫୨୦୦ ଜଣ କରୋନା ସଂକ୍ରମିତ ବୋଲି ଫେବ୍ରୁଆରିରେ ଜଣାପଡ଼ିବା ପରେ ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିଛି। ଏହାପରେ ସିଙ୍ଗପୁର ସରକାର ତୁରନ୍ତ ଦକ୍ଷିଣକୋରୀୟମାନଙ୍କ ସହ କୌଣସି ପ୍ରକାର କାର୍ଯ୍ୟକଳାପକୁ ନିଷେଧ କରିଥିଲେ। ମାତ୍ରାଧିକ ରକ୍ଷଣଶୀଳ ୟହୁଦୀ ସଂପ୍ରଦାୟ ଯୋଗୁ ଉଭୟ ନ୍ୟୁୟର୍କ ଓ ଇସ୍ରାଏଲ ଏବେ କରୋନା ସଂକ୍ରମଣର ନିଆଁଝୁଲ ପାଲଟିଛି। ସାମାଜିକ ଦୂରାବସ୍ଥାନ କାଳେ ସେମାନଙ୍କ ଆସ୍ଥା ବିରୋଧୀ! ଏଣେ ଭାରତରେ ଜଣେ ଶିଖ୍‌ ଧର୍ମଗୁରୁ ୟୁରୋପରୁ ଫେରି ଆତ୍ମ ଏକାନ୍ତବାସରେ ରହିବାକୁ ମନା କରିଦେବା ପରେ ୩୦ହଜାର ଲୋକଙ୍କୁ କଡ଼ା ସଙ୍ଗରୋଧ ଖୁଆଡ଼ ଭିତରେ ରହିବାକୁ ହୋଇଛି। ସେ ୨୦ରୁ ବେଶି ଗାଆଁରେ ସମାବେଶରେ ଯୋଗ ଦେଇଥିଲେ ଏବଂ ଶେଷରେ ତାଙ୍କର କୋଭିଡ୍‌-୧୯ ସଂକ୍ରମଣରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ଦିଲ୍ଲୀର ତବ୍‌ଲିଗି ଜମାତ ସମାବେଶ ସହ ୪୩୦୦ ସଂକ୍ରମିତ ମାମଲା ସଂଶ୍ଳିଷ୍ଟ ଅଛି। ସେହିଭଳି ମାଲେସିଆର କୁଆଲାଲୁମ୍ପୁରରେ ଏକ ମସ୍‌ଜିଦ୍‌ରେ ୧୬ହଜାର ଜମା ହୋଇଥିବା ବେଳେ ତହିଁରୁ ୧୯୪୬ ଚିହ୍ନିତ ସଂକ୍ରମିତ ଥିବା ବେଳେ ପୂରା ଦେଶର ସେଇ ସଂଖ୍ୟା ୫୪୨୫। ଏହି ସମାବେଶ ସଂଶ୍ଳିଷ୍ଟ ସିଙ୍ଗାପୁର ଓ ବ୍ରୁନେଇରେ ମଧ୍ୟ ସଂକ୍ରମିତ ଧରାପଡ଼ିଛନ୍ତି। ପାକିସ୍ତାନରେ ସେଇଭଳି ଇରାନ୍‌ରୁ ଫେରିଥିବା ସିଆ ତୀର୍ଥଯାତ୍ରୀଙ୍କ ଠାରୁ ସଂକ୍ରମିତଙ୍କ ସୁଅ ଛୁଟିଛି। ପାକିସ୍ତାନ ଏପ୍ରିଲ୍‌ ମାସ ଶେଷ ସୁଦ୍ଧା ଲକ୍‌ଡାଉନ୍‌ କରିଥିଲେ ସୁଦ୍ଧା ୬୮ ବର୍ଷ ମଧ୍ୟରେ ଏତେ ଉତ୍କଟ ଆର୍ଥିକ ସ୍ଥିତିକୁ ସାମ୍ନା କରିନଥିଲା। ତଥାପି ପାକିସ୍ତାନ ସରକାର ଏଇ ୧୮ ତାରିଖରୁ ମସ୍‌ଜିଦ୍‌ରୁ ତାଲାବନ୍ଦ ହଟାଇଦେଇଛି। ତେବେ ସବୁବେଳ ଭଳି କାନ୍ଧକୁ କାନ୍ଧ ନମିଶାଇ ୬ଫୁଟ ଦୂରରେ ପ୍ରତ୍ୟେକେ ଠିଆହେବେ।

ସମ୍ବନ୍ଧିତ ଖବର