ସ୍ବାସ୍ଥ୍ୟସେବା ପାଇଁ ବଡ଼ ବିପଦ, ହସ୍ପିଟାଲ୍‌ ପାଲଟୁଛି ସଂକ୍ରମଣ କ୍ଷେତ୍ର

ନୂଆଦିଲ୍ଲୀ: ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ। ଚଳିତ ବର୍ଷ ବିଶ୍ବ ସ୍ବାସ୍ଥ୍ୟ ଦିବସକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ନର୍ସ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ସମର୍ପିତ କରିଛନ୍ତି। କିନ୍ତୁ ନର୍ସ ଏବଂ ଅନ୍ୟ ସ୍ବାସ୍ଥ୍ୟକର୍ମୀମାନେ କରୋନା ଭାଇରସ୍‌ ପାଇଁ ଏକ ବଡ଼ ଧରଣର ଚ୍ୟାଲେଂଜକୁ ସାମ୍ନା କରୁଛନ୍ତି। ଦେଶ ଏବେ ସବୁଠୁ ବଡ଼ ଜରୁରୀ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛି। ଏଭଳି ସ୍ଥିତିରେ ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟକର୍ମୀ ହେଉଛନ୍ତି ଆଗ ଧାଡ଼ିର ଯୋଦ୍ଧା। କିନ୍ତୁ ଭାରତରେ ଡାକ୍ତର ଏବଂ ନର୍ସମାନେ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ହେବା ଏବଂ ହସ୍ପିଟାଲ୍‌ଗୁଡ଼ିକ ସଂକ୍ରମିତ କ୍ଷେତ୍ର ଓ ନିଷିଦ୍ଧାଞ୍ଚଳରେ ପରିଣତ ହେବା ଏବେ ଚିନ୍ତା ବଢ଼ାଇଛି। ଭାରତରେ ଏବେ କେତେକ ହସ୍ପିଟାଲ୍‌ କରୋନା ଭାଇରସ୍‌ର ହଟ୍‌ସ୍ପଟ୍‌ ହୋଇଥିବାରୁ ସେଗୁଡ଼ିକୁ ବନ୍ଦ କରିଦିଆଯାଇଛି।

ଗତକାଲି ମୁମ୍ବାଇର ୱକହର୍ଡ ହସ୍ପିଟାଲରେ ୨୬ ଜଣ ନର୍ସ ଏବଂ ୩ ଡାକ୍ତର ଭାଇରସ୍‌ ଆକ୍ରାନ୍ତ ହେବାପରେ ଉକ୍ତ ହସ୍ପିଟାଲ୍‌କୁ ସିଲ୍‌ କରାଯାଇଥିଲା। ସେହିପରି ମୁମ୍ବାଇର ଅନ୍ୟ ଏକ ହସ୍ପିଟାଲ୍‌ ଜସଲୋକ ହସ୍ପିଟାଲ୍‌ ବି ସିଲ୍ ହୋଇଛି। ସେହିପରି ଦିଲ୍ଲୀରେ ଏକ କ୍ୟାନସର ହସ୍ପିଟାଲ୍‌ରେ ଡାକ୍ତର ଏବଂ ଅନ୍ୟକିଛି ସ୍ବାସ୍ଥ୍ୟକର୍ମୀ କରୋନା ପଜିଟିଭ୍‌ ଥିବା ଜଣାପଡ଼ିବାପରେ ଉକ୍ତ ହସ୍ପିଟାଲ୍‌କୁ ସିଲ୍‌ କରାଯାଇଛି। ପୂର୍ବରୁ ମାର୍ଚ୍ଚ ଶେଷ ବେଳକୁ ରାମ୍‌ ମନୋହର ଲୋହିଆ ହସ୍ପିଟାଲ୍‌ର ୬ ଜଣ ଡାକ୍ତରଙ୍କ ସମେତ ୧୪ ସ୍ବାସ୍ଥ୍ୟ କର୍ମୀ ଭାଇରସ୍‌ ସଂକ୍ରମିତ ହୋଇଥିଲେ। ଦିଲ୍ଲୀର ଏକ ପ୍ରମୁଖ ହସ୍ପିଟାଲ୍‌ ସାର୍‌ ଗଙ୍ଗାରାମ୍‌ ହସ୍ପିଟାଲ୍‌ରେ ୧୦୦ରୁ ଅଧିକ ସ୍ବାସ୍ଥ୍ୟ କର୍ମୀଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯାଇଛି। ଏଠାରେ ୨ ଜଣ ରୋଗୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବାପରେ ହସ୍ପିଟାଲ୍‌ର ସବୁ ଷ୍ଟାଫ୍‌ଙ୍କୁ କ୍ବା‌ରାଣ୍ଟିନ୍‌ରେ ରଖାଯାଇଛି। ଏମ୍ସରେ ପ୍ରାୟ ୧୨ ଜଣ ଷ୍ଟାଫ୍‌ଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯାଇଛି। ସଫଦରଜଙ୍ଗ୍‌ ହସ୍ପିଟାଲ୍‌ରେ ୨ ଜଣ ଡାକ୍ତର କ‌ରୋନା ସଂକ୍ରମିତ ହେବାପରେ ଉକ୍ତ ହସ୍ପିଟାଲ୍‌ର ୫୦ ସ୍ବାସ୍ଥ୍ୟ କର୍ମୀ ଏବେ ସେଲ୍‌ଫ କ୍ବାରାଣ୍ଟିନ୍‌ରେ ଅଛନ୍ତି। ସେହିପରି ପୁନେରେ ଡିୱାଇ ପାଟିଲ୍‌ ହସ୍ପିଟାଲ୍‌ର ୪୨ ଡାକ୍ତରଙ୍କ ସମେତ ୯୦ ସ୍ବ‌ାସ୍ଥ୍ୟ କର୍ମୀ କ୍ବାରାଣ୍ଟିନ୍‌‌ରେ ଅଛନ୍ତି। ରାଜସ୍ଥାନ, କେରଳ ଏବଂ ବିହାର‌ରେ ବି ଡାକ୍ତର , ନର୍ସ ଏବଂ ଅନ୍ୟ ସ୍ବାସ୍ଥ୍ୟକର୍ମୀ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ଦେଶରେ ଏବେ ୫୦ରୁ ଅଧିକ ସ୍ବାସ୍ଥ୍ୟ କର୍ମୀ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପ‌କ୍ଷେ ଡାକ୍ତର ଏବଂ ନର୍ସମାନେ କରୋନା ମୁକାବିଲା ପାଇଁ ଆବଶ୍ୟକ ସୁରକ୍ଷା ଉପକରଣ ନଥିବା ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର କହୁଛନ୍ତି ଏବେ ୪.୫ ଲକ୍ଷରୁ ଅଧିକ ପିପିଇ ଏବଂ ୨୫ ଲକ୍ଷରୁ ଅଧିକ ମାସ୍କ ରାଜ୍ୟମାନଙ୍କ ପାଇଁ ଉପଲବ୍ଧ ଅଛି। କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରୁଛନ୍ତି ଯେ ଭାରତକୁ ଆଗାମୀ ମାସ ମଧ୍ୟରେ କୋଟି କୋଟି ମାସ୍କ ଏବଂ ପିପିଇ ଦରକାର ହେବ।

ସମ୍ବନ୍ଧିତ ଖବର