ଆମେରିକାରେ କରୋନାର ପ୍ରଳୟଙ୍କରୀ ରୂପ, ୨୪ ଘଣ୍ଟାରେ ୨୧ ଶହ ମୃତ: ଏସିଆରେ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିଲା

ବିଶ୍ବବ୍ୟାପୀ ୧୭ ଲକ୍ଷରୁ ଅଧିକ ଆକ୍ରାନ୍ତ, ୧ ଲକ୍ଷ ୫ ହଜାର ମୃତ, ୩ ଲକ୍ଷ ୮୨ ହଜାର ସୁସ୍ଥ

ୱାସିଂଟନ,: ଆମରେିକାରେ କରୋନା ଭାଇରସ୍‌ ଏବେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି। ୨୪ ଘଣ୍ଟା ମଧ୍ୟରେ କରୋନା ବିଶ୍ବ ମହାମାରୀ ଏଠାରେ ପ୍ରାୟ ୨୧ ଶହ ଲୋକଙ୍କ ଜୀବନ ନେଇଛି ଏବଂ ମୃତ୍ୟୁ ସଂଖ୍ୟା ୧୯ ହଜାର ଅତିକ୍ରମ କରିଯାଇଛି। ଏବେ ବିଶ୍ବର ସର୍ବାଧିକ କରୋନା ଆକ୍ରାନ୍ତ ଆମେରିକାରେ ଅଛନ୍ତି। ଆକ୍ରାନ୍ତ ସଂଖ୍ୟା ଏଠାରେ ୫ ଲକ୍ଷ ଅତିକ୍ରମ କରିଯାଇଛି। ନ୍ୟୁୟର୍କ ସ୍ଥିତି ସାଂଘାତିକ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୨ ହଜାରରେ ପହଞ୍ଚିଥିବା ବେଳେ ରାଜ୍ୟରେ ୨୪ ଘଣ୍ଟାରେ ୭୭୭ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ଏ ପର୍ଯ୍ୟନ୍ତ ୨୦ ଲକ୍ଷରୁ ଅଧିକ ଲୋକଙ୍କ ପରୀକ୍ଷା କରାଯାଇଛି ଏବଂ ୪ ଲକ୍ଷ ୫୮ ହଜାର ସକ୍ରିୟ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୧ ହଜାର ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଅନ୍ୟପକ୍ଷରେ କରୋନା ଭାଇରସ୍‌ରେ ବିଶ୍ବବ୍ୟାପୀ ୧୭ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଏଥିରୁ କେବଳ ୟୁରୋପରେ ୮ ଲକ୍ଷ ସଂକ୍ରମିତ ଅଛନ୍ତି ଏବଂ ୭୦ ହଜାରରୁ ଅଧିକ ପ୍ରାଣ ହରାଇଛନ୍ତି। ଏସିଆରେ ୧୦ ହଜାର ୨୩୫ ଜଣ କରୋନାରେ ଏ ପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି। ଇରାନ୍‌ରେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆମେରିକାରେ କରୋନା ମୃତ୍ୟୁର ୬୦ ପ୍ରତିଶତ କେବଳ ନ୍ୟୁୟର୍କ, ନ୍ୟୁଜର୍ସି ଏବଂ ମିସିଗନ୍‌ ରାଜ୍ୟରେ ହୋଇଛି। କରୋନା ଯୋଗୁଁ ଇଟାଲି ପରେ ଆମେରିକାରେ ସର୍ବାଧିକ ମୃତ୍ୟୁ ହୋଇଛି। ଇଟାଲିରେ ୨୪ ଘଣ୍ଟାରେ ୫୭୦ ଜଣଙ୍କ ମ୍ୟତ୍ୟୁ ହୋଇଛି ଏବଂ ୪ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ଆସିଛି। ଫ୍ରାନ୍ସରେ ମଧ୍ୟ ସ୍ଥିତି ଧ୍ୟ ଗମ୍ଭୀର ରହିଛି। ଫ୍ରାନ୍ସରେ ୧୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧ ଲକ୍ଷ ୨୫ ହଜାର ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ବ୍ରିଟେନ୍‌ରେ କରୋନା ଆଜି ସୁଦ୍ଧା ପ୍ରାୟ ୯ ହଜାର ଲୋକଙ୍କ ଜୀବନ ନେଇଛି ଏବଂ ୭୫ ହଜାରରୁ ଅଧିକ ସଂକ୍ରମିତ ହୋଇଛନ୍ତି। ବ୍ରିଟେନ୍‌ରେ ଆଗାକୁ ସ୍ଥିତି ଆହୁରି ଭୟାନକ ହେବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର