ଗୁଜରାଟରେ କରୋନାର ଘାତକ ରୂପ : ସୁସ୍ଥ ହେବା ପରେ ଅଚାନକ ମୃତ୍ୟୁ

ଅହମଦାବାଦ୍ : ଗୁଜରାଟରେ କୋଭିଡ୍‌-୧୯ର ରହସ୍ୟମୟ ରୂପ ଆତଙ୍କ ସୃଷ୍ଟି କରିଛି। କରୋନାରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ମଧ୍ୟ କିଛି ଲୋକଙ୍କର ଅଚାନକ ମୃତ୍ୟୁ ହୋଇଯାଉଛି। ଏଭଳି ମାମଲା ବଢ଼ି ଚାଲିବାରୁ ଏହା ଏବେ ଡାକ୍ତର, ବିଶେଷଜ୍ଞ ଏବଂ ପ୍ରଶାସନର ଚିନ୍ତା ବଢ଼ାଇଦେଇଛି।

ଗତ ଜୁଲାଇ ୧୭ ତାରିଖରେ ସୁରଟ ପୌର ନିଗମ ଦ୍ବାରା ପରିଚାଳିତ ସ୍ମିମର୍‌ ହସ୍ପିଟାଲ୍‌ରୁ ଜଣେ ୭୦ ବର୍ଷୀୟା ରୋଗୀ ହେମିବେନ୍‌ ଚୋବାତିୟାଙ୍କୁ ହସ୍ପିଟାଲ୍‌ରୁ ଡିସଚାର୍ଜ କରାଯାଇଥିଲା। ହେମିବେନ୍‌ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ଏବଂ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ଡାକ୍ତରମାନେ ତାଙ୍କୁ ହସ୍ପିଟାଲ୍‌ରୁ ଡିସଚାର୍ଜ କରି ଘରକୁ ପଠାଇଥିଲେ। କିନ୍ତୁ ଘରେ ପହଞ୍ଚିବାର ମାତ୍ର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହି ଘଟଣା ଡାକ୍ତରମାନଙ୍କୁ ଆଚମ୍ବିତ କରିଦେଇଥିଲା। କିନ୍ତୁ ଏହା ପ୍ରଥମ ନୁହେଁ। ୨ ମାସ ପୂର୍ବେ ଚଗ୍ଗନ ମକ୍‌ୱାନା ନାମକ ଜଣେ ୬୭ ବର୍ଷୀୟ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇ ସିଭିଲ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଥିଲେ। ସେ ସୁସ୍ଥ ହେବାପରେ ତାଙ୍କୁ ହସ୍ପିଟାଲ୍‌ରୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ କିଛି ଘଣ୍ଟା ପରେ ବସ୍‌ ଷ୍ଟାଣ୍ଡ୍‌ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେହିପରି ସୁରଟ୍‌ର ଜଣେ ୬୮ ବର୍ଷୀୟ ଚିକିତ୍ସକ ତଥା କବି ଡ. ଦିଲୀପ ମୋଦୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ଦଶା ଉପୁଜିଛି। ଗତ ୧୫ ତାରିଖରେ ଡାକ୍ତରମାନେ ତାଙ୍କ ପରିବାର ସଦସ୍ୟଙ୍କୁ କହିଥିଲେ ଯେ ଡ. ଦିଲୀପଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରୁଛି। କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ସେହିଦିନ ସନ୍ଧ୍ୟାରେ ହିଁ ତାଙ୍କର ଅଚାନକ ମୃତ୍ୟୁ ହୋଇ ଯାଇଥିଲା।

ଗୁଜରାଟରେ ସଂକ୍ରମଣ ଗୋଟିଏ ପଟେ ବଢ଼ି ଚାଲିଥିବା ବେଳେ ଅନ୍ୟପକ୍ଷେ ଡାକ୍ତରମା‌ନେ କହିଛନ୍ତି ଯେ ସେମାନେ କରୋନା ଭାଇରସ୍‌ର ନୂଆ ନୂଆ ଦିଗକୁ ଆବିଷ୍କାର କରୁଛନ୍ତି। କରୋନା ଭାଇରସ୍‌ ମଣିଷ ଶରୀର ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଉଛି। କୋଭିଡ୍‌ -୧୯ଯୋଗୁଁ ହାଇପର୍‌ ଇନ୍‌ଫ୍ଲାମେସନ୍‌ ଏବଂ ହାଇପରକ୍ଲଟିଂ ହୋଇ ଜଣଙ୍କର ମୃତ୍ୟୁ ହୋଇଯାଇପାରେ କିମ୍ବା ଜଣେ ଅତି ରୁଗ୍‌ଣ ହୋଇଯାଇପାରନ୍ତି। କିନ୍ତୁ ଡାକ୍ତରମାନେ କହିଛନ୍ତି ଯେ କିଛି ରୋଗୀ ଆରୋଗ୍ୟ ହେବାର ଅନେକ ସପ୍ତାହ ପର୍ଯ୍ୟନ୍ତ ମଧ୍ୟ ସେମାନଙ୍କ ପ୍ରତି ରକ୍ତ ଜମାଟ ବାନ୍ଧିବାର ବା କ୍ଲଟିଂର ବିପଦ ରହୁଛି। ଏହି କାରଣରୁ ଅନେକ ରୋଗୀଙ୍କର ଅଚାନକ ହୃଦ୍‌ଘାତ କିମ୍ବା ବ୍ରେନ୍‌ ଷ୍ଟ୍ରୋକ୍‌ ଯୋଗୁଁ ମୃତ୍ୟୁ ଘଟୁଛି। ଏହାର ଏକ ଉଦାହରଣ ଦେଇ ବରିଷ୍ଠ ଚିକିତ୍ସକ ଡ. ଶୁଭେନ୍ଦୁ ପଟେଲ୍‌ କହିଛନ୍ତି ଯେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ବିନୁଭାଇ ପାରମର କରୋନାରୁ ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଡିସଚାର୍ଜ ହେବାର ସପ୍ତାହକ ପରେ ତାଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଯାଇଛି। ଏହି ରୋଗୀ ଜଣଙ୍କ ବିଷାଦରେ ଥିବା ଡାକ୍ତରମାନେ ଧରିନେଇଥିଲେ। କିନ୍ତୁ ଭଲଭାବେ ତର୍ଜମା କରିବାପରେ ଜଣାପଡ଼ିଲା ଯେ ତାଙ୍କ ମସ୍ତିଷ୍କରେ କ୍ଲଟ୍‌ ରହିଛି। କିନ୍ତୁ ସଠିକ୍ ସମୟରେ ଏହି ସମସ୍ୟା ଜଣା ପଡ଼ିବାରୁ ତାଙ୍କର ଚିକିତ୍ସା ହୋଇପାରିଛି ଏବଂ ଏବେ ସେ ଧୀରେଧୀରେ ସୁସ୍ଥ ହେଉଛନ୍ତି। ସଂକ୍ରାମକ ରୋଗ ବିଶେଷଜ୍ଞ ଡ. ଅତୁଲ ପଟେଲ୍‌ କହିଛନ୍ତି ଯେ କରୋନା ଭାଇରସ୍‌ ହେଉଛି ନୂଆ। ତେବେ ଆଗାମୀ ଦିନରେ ଏହା କି ରୂପ ନେବ ସେ ବିଷୟରେ କେହି କିଛି କହିପାରିବେ ନାହିଁ।

ସମ୍ବନ୍ଧିତ ଖବର