କରୋନା ମୃତ୍ୟୁ ଲକ୍ଷେ ଟପିଲା, ବିଶ୍ୱରେ ୧୬ ଲକ୍ଷରୁ ଅଧିକ ଆକ୍ରାନ୍ତ

ଇଟାଲି ଶୀର୍ଷରେ, ଆମେରିକାରେ ୧୭ ହଜାର ମୃତ, ଆମେରିକା ଓ ୟୁରୋପରେ ସଂକ୍ରମଣ କମିପାରେ

ବ୍ରସେଲ୍ସ : ବିଶ୍ବ ମହାମାରୀ କରୋନାର ପ୍ରକୋପ ସାରା ବିଶ୍ବରେ ଜାରି ରହିଛି। ପ୍ରତିଦିନ ଲକ୍ଷାଧିକ ଲୋକ ଆକ୍ରାନ୍ତ ହେଉଥିବାବେଳେ ହଜାର ହଜାର ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ବିଶ୍ବରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଆଜି ଏକ ଲକ୍ଷ ଟପି ଯାଇଛି। ଶେଷ ଖବର ସୁଦ୍ଧା ବିଶ୍ବରେ ୧୬ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୧ଲକ୍ଷ ୨୬୦ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। କେବଳ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୦ ହଜାର ଅତିକ୍ରମ କରିଯାଇଥିବା ବେଳେ ପ୍ରାୟ ୧୭ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ସ୍ପେନ୍‌ରେ ମଧ୍ୟ ମୃତ୍ୟୁ ସଂଖ୍ୟା ୧୬ ହଜାରରେ ପହଞ୍ଚିଛି ଏବଂ ୧ ଲକ୍ଷ ୫୭ ହଜାର ଆକ୍ରାନ୍ତ ହୋଇଛନ୍ତି। ତେବେ କରୋନା ଆକ୍ରାନ୍ତ ହୋଇଥିବା ୩ ଲକ୍ଷ ୬୯ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ସାରିଲେଣି। ଆମେରିକା ଓ ୟୁରୋପରେ ଏହି ସଙ୍କଟ ଚରମରେ ପହଞ୍ଚିଥିବା ବେଳେ ସପ୍ତାହକ ମଧ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି ଆଶା କରାଯାଉଛି।

ୟୁରୋପରେ କରୋନାର ପ୍ରକୋପ ସବୁଠାରୁ ଘାତକ ରହିଛି। କରୋନା ଇଟାଲିରେ ସର୍ବାଧିକ ୧୮,୨୭୯ ‌ଲୋକଙ୍କ ଜୀବନ ନେଇଛି। ଏଠାରେ ୧ ଲକ୍ଷ ୪୩ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି। ଜର୍ମାନିରେ ୧ ଲକ୍ଷ ୧୮ ହଜାର ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୨୭୦୦ ଲୋକଙ୍କ ମୃତ୍ୟୁ ଘଟିଲାଣି। ଫ୍ରାନ୍ସରେ ୧ ଲକ୍ଷ ୧୮ ହଜାର ଲୋକ ଆକ୍ରାନ୍ତ ହୋଇଥିବାବେଳେ ୧୨ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ସେହିପରି ବ୍ରିଟେନ୍‌ରେ ୮ ହଜାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ହଜାରରେ ପହଞ୍ଚିଛି। ବ୍ରିଟେନ୍‌ର ରାଜକୁମାର ପ୍ରନ୍ସ ଚାର୍ଲସ ଓ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ୟୁରୋପ ବ୍ୟତୀତ କରୋନା ଦ୍ବାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଆମେରିକା। ବିଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୭୮୩ ମୃତ୍ୟୁ ହୋଇଛି। ଦୁଇ ଦିନ ତଳେ ଏଠାରେ ୨୪ ଘଣ୍ଟାରେ ପ୍ରାୟ ୨ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଭାରତରେ କରୋନା ଏଯାଏ ଏତେ ବେଶି ମୁଣ୍ଡ ନେଇ ନ ଥିଲେ ହେଁ କ୍ରମଶଃ ଏହା ଭୟଙ୍କର ‌େହବାରେ ଲାଗିଛି। ଆଜି ସୁଦ୍ଧା ଭାରତରେ ୬୭୬୧ ଆକ୍ରାନ୍ତ ହୋଇଥିବାବେଳେ ୨୦୬ ଜଣଙ୍କ ମୃତ୍ୟୁ ଘଟିଛି।

ଏବେ ସମଗ୍ର ବିଶ୍ବ ଭୟଙ୍କର ସଙ୍କଟ ଦେଇ ଗତି କରୁଥିବା ବେଳେ ଏ ପର୍ଯ୍ୟନ୍ତ ଏହି ମହାମାରୀର ମୁକାବିଲା ପାଇଁ କୌଣସି ବୈଶ୍ବିକ ରଣନୀତି ଦେଖିବାକୁ ମିଳିନାହିଁ। ଭାରତ ଏବେ ନିଜର ବନ୍ଧୁ ରାଷ୍ଟ୍ରମାନଙ୍କୁ ଔଷଧ ଏବଂ ଅନ୍ୟ ଚିକିତ୍ସା ଉପକରଣ ଯୋଗାଇ ଦେଇଛି। ଆମେରିକା, ବ୍ରାଜିଲ, ଇସ୍ରାଏଲ, ଶ୍ରୀଲଙ୍କା ଆଜି ରାଷ୍ଟ୍ରକୁ ଔଷଧ ଏବଂ ଚିକିତ୍ସା ଉପକରଣ ପଠାଯାଇଛି।

ସମ୍ବନ୍ଧିତ ଖବର