ଆମେରିକାରେ କରୋନା ମୃତ୍ୟୁର ତାଣ୍ଡବ: ସପ୍ତାହକରେ ୨୨ ହଜାର ମୃତ, ଦୈନିକ ମୃତ୍ୟୁରେ ନୂଆ ବିଶ୍ବ ରେକର୍ଡ

ୱାସିଂଟନ: ଆମେରିକାରେ ପୁଣି କରୋନା ମୃତ୍ୟୁର ବିଭୀଷିକା ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି। ସପ୍ତାହକରେ ୨୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ଗତ ଗୁରୁବାର ଦିନ ୨୪ ଘଣ୍ଟାରେ ୪ ହଜାର ଲୋକଙ୍କ ମୃତ୍ୟୁ ଆତଙ୍କ ସୃଷ୍ଟି କରିଛି। କରୋନା ମହାମାରୀ ଆରମ୍ଭ ପରଠାରୁ କୌଣସି ରାଷ୍ଟ୍ରରେ ଏତେ ସଂଖ୍ୟାରେ ଦୈନିକ ମୃତ୍ୟୁ ଦେଖିବାକୁ ମିଳିନଥିଲା। ପ୍ରତିଦିନ ଆମେରିକାରେ ହାରାହାରି ୨୭୦୦ ଲୋକଙ୍କ ମୃତ୍ୟୁ ଘଟୁଥିବା ବେଳେ ଚଳିତ ସପ୍ତାହରେ ଏଥିରେ ୧୬ ପ୍ରତିଶତ ବୃଦ୍ଧି ଘଟିଛି। ଚଳିତ ଜାନୁଆରିରେ ୨୨ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ପରେ ବିଭିନ୍ନ ରାଜ୍ୟରେ କଟକଣା କଡ଼କଡ଼ି କରାଯାଉଛି। ଦେଶର ବରିଷ୍ଠ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ. ଆନ୍ଥୋନି ଫସି କହିଛନ୍ତି ଆଗକୁ ଭୟାନକ ସ୍ଥିତି ସୃଷ୍ଟି ହେବ ଏବଂ ଜାନୁଆରି ଶେଷ ହେବା ବେଳକୁ ଆହୁରି ୫୦ ହଜାର ଲୋକଙ୍କ ମୃତ୍ୟୁ ଘଟିପାରେ। ଆମେରିକାରେ ଲୋକେ ଠିକ୍‌ ଭାବେ ସୁରକ୍ଷା ନିୟମ ପାଳନ କରୁନାହାନ୍ତି ଏବଂ ସାମାଜିକ ଦୂରତା ରକ୍ଷା ଦିଗରେ ସାମାନ୍ୟତମ ଆଗ୍ରହ ପ୍ରକାଶ କରୁନଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି। ଆମେରିକାରେ ଏବେ ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକ ରହୁଛି। ଗତ ଗୁରୁବାର ଦିନ ଏହା ୨ ଲକ୍ଷ ୭୫ ହଜାରରେ ପହଞ୍ଚିଥିଲା।

ଆମେରିକାରେ ଟିକାକରଣ ଅଭିଯାନ ଜାରି ରହିଛି ଏବଂ ୨ କୋଟିରୁ ଅଧିକ ଲୋକଙ୍କୁ କୋଭିଡ-୧୯ ଟିକା ପ୍ରଦାନ କରାଯାଇ ସାରିଲାଣି। ବିଗତ ୨୪ ଘଣ୍ଟାରେ ରେକର୍ଡ ୬ ଲକ୍ଷ ଲୋକ ଟିକା ନେଇଥିବା ଜଣାପଡ଼ିଛି। ଆମେରିକା ପ୍ରଜାତିର କରୋନା ଭୂତାଣୁ ୫୦% ଅଧିକ ସଂକ୍ରମଣକ୍ଷମ ବୋଲି ହ୍ବାଇଟ୍‌ହାଉସ୍‌ କୋଭିଡ୍‌ ଟାସ୍କଫୋର୍ସ ପକ୍ଷରୁ ଚେତାବନୀ ଦିଆଯାଇଛି। ବ୍ରିଟେନ୍‌ରେ ଆବିର୍ଭାବ ହୋଇଥିବା ନୂତନ ପ୍ରଜାତିର ଭୂତାଣୁ ସହିତ ଏହି ଆମେରିକୀୟ ପ୍ରଜାତିର ସଂକ୍ରମଣ ଖୁବ୍‌ ଜୋରରେ ମାଡ଼ି ଚାଲିଛି ଏବଂ ଏହା ମୂଳ ଭୂତାଣୁ ଅପେକ୍ଷା ୫୦% ଅଧିକ ସଂକ୍ରମଣକ୍ଷମ ବୋଲି ଟାସ୍କ ଫୋର୍ସ ଚେତାଇ ଦେଇଛି। ଏଥି ପ୍ରତି ସଜାଗ ରହିବାକୁ ଆମେରିକାର ବିଭିନ୍ନ ପ୍ରଦେଶରେ ସତର୍କତା ଜାରି କରାଯାଇଛି। ସାଧାରଣତଃ ବସନ୍ତ ଓ ଗ୍ରୀଷ୍ଣ ଋତୁରେ ଦେଖାଦେଇଥିବା ସଂକ୍ରମଣ ଅପେକ୍ଷା ବର୍ତ୍ତମାନର ସଂକ୍ରମଣ ପାଖାପାଖି ଦୁଇଗୁଣ ହେବ। ଆମେରିକାରେ ବ୍ୟାପୁଥିବା ବ୍ରିଟେନ୍‌ ପ୍ରଜାତି ଭୂତାଣୁ ସଂକ୍ରମଣ ସାଙ୍ଗକୁ ଏଠାରେ ମଧ୍ୟ ଏକ ପ୍ରକାର ନୂତନ ପ୍ରଜାତି ସଂକ୍ରମଣ ଆରମ୍ଭ କରିଥିବା ଆଶଙ୍କା କରାଯାଉଛି। ଆମେରିକାରେ ଆଜି ସୁଦ୍ଧା ୨ କୋଟି ୨୭ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୧ ହଜାର ଅତିକ୍ରମ କରିଯାଇଛି।

ସମ୍ବନ୍ଧିତ ଖବର