କରୋନା ଭାଇରସ ମୃତ୍ୟୁସଂଖ୍ୟା ୨ ହଜାର ଟପିଲା, ଡାଇମଣ୍ଡ ପ୍ରିନସେସ ଜାହାଜରେ ସଂକ୍ରମିତ ହୋଇନଥିବା ଯାତ୍ରୀମାନଙ୍କୁ ଯିବାକୁ ଅନୁମତି

ବେଜିଂ : ସାରା ବିଶ୍ୱରେ କରୋନା ଭାଇରସ ମୃତ୍ୟୁସଂଖ୍ୟା ୨ ହଜାର ଟପିଯାଇଛି । କେବଳ ୬ ଟିକୁ ଛାଡ଼ିଦେଲେ ଅନ୍ୟ ସବୁ ମୃତ୍ୟୁ ଚୀନରେ ହୋଇଛି । ସେହିପରି ଏବେ ପ୍ରାୟ ୭୫ ହଜାର ଲୋକଙ୍କଠାରେ ଏହି ଭାଇରସ ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୭୪ ହଜାର ଚୀନରେ ଅଛନ୍ତି । ତେବେ ଚୀନରେ ଆରୋଗ୍ୟଲାଭ କରୁଥିବା ଲୋକମାନଙ୍କ ସଂଖ୍ୟାରେ ମଧ୍ୟ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି ।

ସବୁଠାରୁ ଅଧିକ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି ହୁବେଇ ପ୍ରଦେଶରେ । ଏଠାରେ ମୋଟ ୧୯୨୧ ଜଣ ମୃତ୍ୟୁବରଣ କରିଛନ୍ତି ଓ ୬୧୬୮୨ ଜଣ ସଂକ୍ରମିତ ହୋଇଛନ୍ତି ।

ଚୀନ ବାହାରେ ସବୁଠାରୁ ଅଧିକ କରୋନା ଭାଇରସ ସଂକ୍ରମଣ ଜାପାନ ଉପକୂଳରେ ଅଟକିରହିଥିବା ଡାଇମଣ୍ଡ ପ୍ରିନସେସ କ୍ରୁଜ ଜାହାଜରେ ହୋଇଛି । ଏହି ଜାହାଜରେ ଥିବା ପ୍ରାୟ ୫୪୫ ଜଣ ଯାତ୍ରୀଙ୍କଠାରେ କରୋନା ଭାଇରସ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରେ ୬ ଜଣ ଭାରତୀୟ ଅଛନ୍ତି । ବୁଧବାରଦିନ ଜାପାନ ସରକାର ସଂକ୍ରମିତ ଲୋକଙ୍କୁଛାଡ଼ି ଅନ୍ୟମାନଙ୍କୁ ଘରକୁ ଫେରିଯିବାକୁ ଅନୁମତି ଦେଇଛନ୍ତି ।
ଏହି ଜାହାଜରେ ଫସି ରହିଥିବା ମୋଟ ୩୭୧୧ ଲୋକଙ୍କ ମଧ୍ୟରୁ ୧୩୮ ଜଣ ଭାରତୀୟ ଥିବା ଜଣାଯାଇଛି । ଗତକାଲିଠାରୁ ଆମେରିକା ଓ ଅଷ୍ଟ୍ରେଲିଆ ଏହି ଜାହାଜରୁ ନିଜ ନାଗରିକମାନଙ୍କୁ ଉଦ୍ଧାର କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର