ଦେଶରେ କରୋନା ସଂକ୍ରମଣ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି, ସୁସ୍ଥ ହେଲେଣି ୧୨୩

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ନେଇ ତାଜା ତଥ୍ୟ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ରାତିରେ ଜାରି ସୂଚନା ଅନୁଯାୟୀ ଦେଶରେ ଏଯାବତ୍ କୋଭିଡ -୧୯ ଆକ୍ରାନ୍ତଙ୍କ ସଂଖ୍ୟା ୧୩୯୭ରେ ପହଞ୍ଚିଛି | ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ୩୫କୁ ବୃଦ୍ଧି ପାଇଛି। ତେବେ ସକାରାତ୍ମକ ଖବର ହେଲା ଇତିମଧ୍ୟରେ ୧୨୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନାରୁ ମୁକୁଳିଛନ୍ତି।

ଭାରତରେ ଗତ ୨୪ଘଣ୍ଟା ମଧ୍ୟରେ ୨୨୦ରୁ ଅଧିକ ନୂତନ କରୋନାଭାଇରସ ସଂକ୍ରମଣ ଚିହ୍ନଟ କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସନ୍ଧ୍ୟାରେ ସୂଚନା ଦେଇଥିଲେ। ଏହା ସହ ଲୋକଙ୍କୁ ଭୂତାଣୁର ସମ୍ଭାବ୍ୟ ବିସ୍ତାର ବିଷୟରେ ଚେତାବନୀ ଦିଆଯାଉ ନ ଥିବାରୁ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବଢୁଥିବା ସେ କହିଥିଲେ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି କୋଭିଡ -୧୯ ବିରୋଧରେ ସଂଗ୍ରାମର ସଫଳତା ଜନସାଧାରଣଙ୍କ ସାହାଯ୍ୟ ଉପରେ ନିର୍ଭର କରେ। ଲୋକଙ୍କ ସହାୟତା ବିନା ଏହାକୁ ହରାଇ ହେବନାହିଁ | ଗତ ୨୪ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଏବଂ ଗୁଜୁରାଟରେ ତିନୋଟି ନୂତନ ମୃତ୍ୟୁ ଘଟିଥିବା ସେ ସୂଚନା ଦେଇଥିଲେ। ଲୋକମାନେ ସତର୍କ ନ ହେଲେ ଏହି ସଂଖ୍ୟା ବଢିଚାଲିବ ବୋଲି ଚେତାଇ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ୍।

ସମ୍ବନ୍ଧିତ ଖବର