ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀର ଦ୍ବିତୀୟ ଲହର ଭୟାନକ ସ୍ଥିତି ସୃଷ୍ଟି କରିଛି। କରୋନା ମୃତ୍ୟୁର ସମସ୍ତ ପୂର୍ବ ରେକର୍ଡ ଆଜି ଭାଙ୍ଗିଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୪୨୦୫ ଜଣଙ୍କ ଜୀବନ ଯାଇଛି। ଅନ୍ୟପକ୍ଷରେ ନୂଆ ସଂକ୍ରମଣ ମାମଲାରେ ମଧ୍ୟ ବୃଦ୍ଧି ହୋଇଛି। ଗତକାଲି ସକାଳ ୮ରୁ ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୩.୪୮ ଲକ୍ଷ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଗତକାଲି ୩.୨୯ ଲକ୍ଷ ନୂଆ ମାମଲା ଆସିଥିଲା। ମହମାରୀ ଆରମ୍ଭରୁ ଦେଶରେ ଏତେ ସଂଖ୍ୟାରେ ଦୈନିକ କରୋନା ମୃତ୍ୟୁ ଦେଖିବାକୁ ମିଳିନଥିଲା। ଏହା ପୂର୍ବରୁ ମେ ୮ ତାରିଖରେ ସବୁଠାରୁ ଅଧିକ ୪୧୮୭ ଜଣଙ୍କ ମୃତ୍ୟୁ ହୋଇଥିଲା।

Advertisment

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୪୮ ହଜାର ୪୨୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏହା ସହିତ ଦେଶରେ ମୋଟ୍‌ ସଂକ୍ରମିତ ସଂଖ୍ୟା ୨ କୋଟି ୩୩ ଲକ୍ଷ ୪୦ ହଜାର ୯୩୮ରେ ପହଞ୍ଚିଛି। ଦେଶରେ ମୋଟ୍‌ କରୋନା ମୃତ୍ୟୁ ୨ ଲକ୍ଷ ୫୪ ହଜାର ୧୯୭ରେ ପହଞ୍ଚିଥିବା ବେଳେ ଗତ ୨୪ ଘଣ୍ଟାରେ ୩,୫୫,୩୩୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। କୋଭିଡ୍‌ରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧ କୋଟି ୯୩ ଲକ୍ଷ ୮୨ ହଜାର ୬୪୨ରେ ପହଞ୍ଚିଛନ୍ତି। ଦେଶବ୍ୟାପୀ ସକ୍ରିୟ ମାମଲା ହ୍ରାସ ପାଇଥିବାରୁ ଏହା ସାମାନ୍ୟ ଆଶ୍ବସ୍ତି ଆଣିଛି। ଏବେ ୩୭ ଲକ୍ଷ ୪ ହଜାର ୯୯ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।