୩ ଦିନ ଧରି ଦେଶରେ କରୋନା ମୃତ୍ୟୁ ୩ ହଜାରରୁ ଅଧିକ

ନୂଆଦିଲ୍ଲୀ : ଲଗାତାର ୩ ଦିନ ଧରି ଦେଶରେ କରୋନା ମୃତ୍ୟୁ ୩ ହଜାରରୁ ଅଧିକ ରହିଛି। ବିଗତ ୨୪ ଘଣ୍ଟାରେ ଦେଶରେ ୩୮୬,୪୫୨ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୩,୪୯୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧,୮୭,୬୨,୯୭୬କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ସକ୍ରିୟ ମାମଲା ୩୧,୭୦,୨୨୮ରେ ପହଞ୍ଚିଛି। ଏହା ମୋଟ୍‌ ସଂକ୍ରମଣ ମାମଲାର ୧୬.୯୦ ପ୍ରତିଶତ।

ଜାତୀୟ ଆରୋଗ୍ୟ ହାର ୮୧.୯୯ ପ୍ରତିଶତକୁ ଖସି ଆସିଛି। ଦେଶରେ କରୋନା ମୃତ୍ୟୁ ୨,୦୮,୩୩୦ ରହିଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ୧,୫୩,୮୪,୪୧୮ରେ ପହଞ୍ଚିଛି। ମୃତ୍ୟୁହାର ୧.୧୧ ପ୍ରତିଶତ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୬୭,୯୮୫ କରୋନା ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୧୫,୭୭୨, କର୍ଣ୍ଣାଟକରେ ୧୫,୩୦୬, ତାମିଲନାଡ଼ୁରେ ୧୩,୯୩୩, ଉତ୍ତରପ୍ରଦେଶରେ ୧୨,୨୩୮, ପଶ୍ଚିମବଙ୍ଗରେ ୧୧,୨୪୮, ପଂଜାବରେ ୮,୯୦୯ ଏବଂ ଛତିଶଗଡ଼ରେ ୮,୩୧୨ କରୋନା ମୃତ୍ୟୁ ହୋଇଛି। ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ୭୦ ପ୍ରତିଶତରୁ ଅଧିକ କରୋନା ମୃତ୍ୟୁ ହେଉଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସପ୍ତାହେରୁ ଅଧିକ ଦିନ ହେଲା ଦେଶରେ ସଂକ୍ରମଣ ମାମଲା ୩ ଲକ୍ଷରୁ ଅଧିକ ରହୁଛି। ଏପ୍ରିଲ ୨୨ରେ ଦେଶର ସଂକ୍ରମଣ ମାମଲା ପ୍ରଥମ ଥର ପାଇଁ ୩ ଲକ୍ଷ ଟପିଥିଲା। ଏହା ପରଠାରୁ ଲଗାତାର ଭାବେ ସଂକ୍ରମଣ ବଢ଼ୁଛି। ଶୀର୍ଷ ୫ ରାଜ୍ୟ ମହାରାଷ୍ଟ୍ର, କେରଳ, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଏବଂ ଦିଲ୍ଲୀରେ ଦେଶର ମୋଟ୍‌ ସଂକ୍ରମଣ ମାମଲାର ଅର୍ଦ୍ଧାଧିକ ରହୁଛି। କେରଳରେ ସଂକ୍ରମଣ ବଢ଼ିବାରୁ କେରଳ ସରକାର ପୁଣିଥରେ କଟକଣା କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛନ୍ତି। କେରଳ‌ରେ ଦୈନିକ ସଂକ୍ରମଣ ମାମଲା ୩୮ ହଜାର ଟପିଯାଇଛି। ଅନ୍ୟପକ୍ଷେ ମୋଟ୍‌ ସଂକ୍ରମଣ ମାମଲା ୧୫ ଲକ୍ଷ ଛୁଇଁବ। ସଂକ୍ରମଣ ବଢ଼ୁଥିବା ବେଳେ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ବିଶେଷଜ୍ଞମାନେ କହିଛନ୍ତି। କିନ୍ତୁ ମହାରାଷ୍ଟ୍ର, ପଂଜାବ, ଗୁଜରାଟ, ଦିଲ୍ଳୀ ଏବଂ ଆନ୍ଧ୍ରପ୍ରଦେଶ ପରି ରାଜ୍ୟମାନଙ୍କରେ ଟିକା‌ ଅଭାବ ଦେଖାଦେଇଛି। ଅନେକ ରାଜ୍ୟ ୧ ତାରିଖରୁ ୧୮-୪୪ ବର୍ଷ ବୟସ ମଧ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଅସମର୍ଥ ବୋଲି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର